ପତ୍ନୀଙ୍କୁ ଛୁରି ମାରି ମାଲ୍‌ଗାଡ଼ି ଆଗକୁ ଡେଇଁଲେ ଟ୍ରେନ୍‌ ଚାଳକ

ରାଉରକେଲା: ମଙ୍ଗଳବାର ରାତିରେ ପତ୍ନୀଙ୍କୁ ଛୁରିରେ ଆକ୍ରମଣ କରିଥିବା ଜଣେ ଟ୍ରେନ୍‌ ଚାଳକ ଆଜି ସୁନ୍ଦରଗଡ଼ ଜିଲ୍ଲା ବନ୍ଧମୁଣ୍ଡା ଅନ୍ତର୍ଗତ ‘କେ’ କେବିନ୍‌ ଠାରେ ଗୋଟାଏ ମାଲ୍‌ଗାଡ଼ି ସାମ୍ନାକୁ ଡେଇଁ ଗୁରୁତର ଆହତ ହୋଇଛନ୍ତି।

ଆହତ ଟ୍ରେନ୍‌ ଚାଳକ ହେଉଛନ୍ତି ୪୮ ବର୍ଷିୟ ଫିରୁ ବଡ଼ାଇକ।

ବନ୍ଧମୁଣ୍ଡାସ୍ଥିତ ଡିଜେଲ୍‌ କଲୋନିରେ ସପରିବାର ବସବାସ କରୁଥିବା ଫିରୁ ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ଗତରାତିରେ ପାଟିତୁଣ୍ଡ ହୋଇଥିଲା। ଉତ୍‌କ୍ଷିପ୍ତ ଫିରୁ ଛୁରି ଦ୍ୱାରା ଆକ୍ରମଣ କରିବାରୁ ପତ୍ନୀ ଚିତ୍କାର କରିଥିଲେ। ଚିତ୍କାର ଶୁଣି ପଡ଼ୋଶୀମାନେ ଧାଇଁ ଆସିବାରୁ ଫିରୁ ଘରୁ ଦୌଡ଼ି ପଳାଇଥିଲେ। ଛୁରିମାଡ଼ ଯୋଗୁଁ ମୁଣ୍ଡ, ମୁହଁ ଓ କାନ କ୍ଷତବିକ୍ଷତ ହୋଇଥିବା ପତ୍ନୀଙ୍କୁ ଚିକିତ୍ସା ନିମନ୍ତେ ପଡ଼ୋଶୀମାନେ ତୁରନ୍ତ ବନ୍ଧମୁଣ୍ଡା ଡାକ୍ତରଖାନାକୁ ନେଇଯାଇଥିଲେ।

ବହୁ ଖୋଜାଖୋଜି କରିବା ପରେ ଫିରୁ ଆଉ ମିଳି ନ ଥିଲେ କି, ରାତିରେ ସେ ଘରକୁ ଫେରି ନ ଥିଲେ।

ଆଜି ସକାଳ ୭: ୩୦ରେ ଫିରୁ କୁଆଡୁ ଆସି ‘କେ’ କେବିନ୍‌ ଠାରେ ଗୋଟାଏ ମାଲ୍‌ଗାଡ଼ି ଆଗକୁ ଡେଇଁପଡ଼ିଲେ। ମାଲ୍‌ଗାଡ଼ି ଚଢ଼ିଯିବାରୁ ଫିରୁଙ୍କର ଗୋଟାଏ ଗୋଡ଼ ସମ୍ପୂର୍ଣ୍ଣ କଟିଯାଇଛି ଏବଂ ତାଙ୍କର ଛାତି ଓ ମୁଣ୍ଡରେ ଆଘାତ ଲାଗିଛି। ଚିକିତ୍ସା ନିମନ୍ତେ ପ୍ରଥମେ ତାଙ୍କୁ ବନ୍ଧମୁଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ତାଙ୍କୁ ସେଠାରୁ ଇସ୍‌ପାତ୍‌ ଜେନେରାଲ୍‌ ହସ୍‌ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଛି।
ବନ୍ଧମୁଣ୍ଡା ରେଳବାଇ ପୁଲିସ ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର