ଓଡ଼ିଶା ସୀମାରେ ପହଞ୍ଚି ନ ଥିଲେ ବି ପଙ୍ଗପାଳ ଭୟ ହଟିନି

ତିନିଟି ଜୋନ୍‌ରେ ଜିଲ୍ଲା ଭାଗ କରାଯାଇଛି, ଝିଣ୍ଟିକା ଦେଖି ପଙ୍ଗପାଳ ବୋଲି ଆତଙ୍କିତ ନ ହେବାକୁ ପରାମର୍ଶ

ଭୁବନେଶ୍ବର : ପଙ୍ଗପାଳକୁ ନେଇ ଚାଷୀ ଆତଙ୍କିତ। ଏ ଯାଏ ସେମାନେ ଓଡ଼ିଶା ସୀମାରେ ପହଞ୍ଚି ନ ଥିଲେ ବି ଯେ କୌଣସି ସମୟରେ ଆସି ପାରନ୍ତି। ଦୁଇ ଦିନ ହେଲା ପଙ୍ଗପାଳ ଦଳ ମଧ୍ୟପ୍ରଦେଶ ଓ ଛତିଶଗଡ଼ ସୀମାରେ ଅଛନ୍ତି। ସେମାନଙ୍କ ଗତି ବଦଳିନି କି ଛତିଶଗଡ଼ ଭିତରକୁ ଫେରି ନାହାନ୍ତି। କିନ୍ତୁ ଯେ କୌଣସି ସମୟରେ ଛତିଶଗଡ଼ ଦେଇ ଓଡ଼ିଶା ଭିତରକୁ ପଶିବାର ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ। ବିଶେଷ କରି ଆଗାମୀ ୧୦ ଦିନ ଗୁରୁତ୍ବପୂର୍ଣ୍ଣ ବୋଲି କୃଷି ବିଭାଗ ଆକଳନ କରୁଛି।

ଆଜି କୃଷି ମନ୍ତ୍ରୀ ଅରୁଣ ସାହୁ ଗଣମାଧ୍ୟମକୁ କହିଛନ୍ତି, ଓଡିଶାରେ ଏବେ ପଶ୍ଚିମା ବାୟୁ ବହୁଛି। ଏହା ରାଜ୍ୟ ପାଇଁ ବିପଦ। କାରଣ ପବନର ଗତି ଯୁଆଡ଼େ ପଙ୍ଗପାଳ ସିଆଡ଼େ ଯାଆନ୍ତି। ତେଣୁ ମଧ୍ୟପ୍ରଦେଶରୁ ପଙ୍ଗପାଳ ଓଡ଼ିଶା ମୁହାଁ ହୋଇପାରନ୍ତି। କାରଣ ବର୍ତମାନ ସୁଦ୍ଧା ମୌସୁମୀ ବାୟୁ ଓଡ଼ିଶା ଛୁଇଁନି। ପଙ୍ଗପାଳକୁ ମୁକାବିଲା ପାଇଁ କୃଷି ବିଭାଗ ପକ୍ଷରୁ ଆବଶ୍ୟକ ପ୍ରସ୍ତୁତି କରାଯାଇଛି। କେମିକାଲ୍‌ ସ୍ପ୍ରେ କରିବା ପାଇଁ ବନ୍ଦୋବସ୍ତ କରାଯାଇଛି। ଅଗ୍ନିଶମ ବିଭାଗର ସହାୟତା ନେଇ କର୍ମଚାରୀଙ୍କୁ ପ୍ରସ୍ତୁତ ରଖାଯାଇଛି। ପ୍ରତି ଜିଲ୍ଲାରେ ଓ କୃଷି ଭବନରେ କଣ୍ଟ୍ରୋଲ୍‌ ରୁମ୍ ଖୋଲାଯାଇଛି। ରାଜ୍ୟକୁ ତିନିଟି ଜୋନ୍‌ରେ ଭାଗ ଭାଗ କରାଯାଇଛି। ସର୍ବାଧିକ ରିସ୍କରେ ୯ଟି ଜିଲ୍ଲା ଥିଲା ବେଳେ ମଧ୍ୟମ ଧରଣ ରିସ୍କରେ ୯ଟି ଓ କମ୍ ରିସ୍କରେ ଆଉ ୯ଟି ଜିଲ୍ଲା ରହିଛି। ଅପରପକ୍ଷେ ଛତିଶଗଡ଼ ସୀମାବର୍ତ୍ତୀ ଜିଲ୍ଲାଗୁଡ଼ିକରେ ମାଳ ମାଳ ଝିଣ୍ଟିକା ଗଛପତ୍ର ଖାଇ ଲଣ୍ଡା କରୁଥିବାର ଅଭିଯୋଗ ଆସୁଛି। ଏହାକୁ ପଙ୍ଗପାଳ ଭାବି ଚାଷୀମାନେ ଆତଙ୍କିତ ହୋଇପଡ଼ିଛନ୍ତି। ଏହାକୁ ଗୁଜବ ବୋଲି କହିଛନ୍ତି ମନ୍ତ୍ରୀ। ପଙ୍ଗପାଳ ଏ ପର୍ଯ୍ୟନ୍ତ ଓଡ଼ିଶା ଆସି ନାହାନ୍ତି, ତେଣୁ ଚାଷୀମାନେ ଆତଙ୍କିତ ନ ହେବାକୁ ସେ ପରାମର୍ଶ ଦେଇଛନ୍ତି। କୃଷି ବିଭାଗର ସ୍ବତନ୍ତ୍ର ସଚିବ ଏସ୍ କେ ବଶିଷ୍ଠ କହିଛନ୍ତି ଯେ ମଧ୍ୟପ୍ରଦେଶରେ ୪ଟି ଜିଲ୍ଲାକୁ ପଙ୍ଗପାଳ ପ୍ରଭାବିତ କରିଛନ୍ତି। ଏବେ ସେମାନେ ବିଭାଜିତ ହୋଇ ଅଲଗା ଅଲଗା ଉଡ଼ୁଥିବାରୁ ଦୁର୍ବଳ ହୋଇଯାଇଥିବା କୁହାଯାଉଛି। କିନ୍ତୁ ଜୁନ୍ ୧୫ ପର୍ଯ୍ୟନ୍ତ ଆମକୁ ସବୁ ପ୍ରକାର ସତର୍କ ହୋଇ ରହିବାକୁ ପଡ଼ିବ।

ସମ୍ବନ୍ଧିତ ଖବର