ସୁନ୍ଦରଗଡ଼ଠାରୁ ୩୫୦ କିମି ଦୂରରେ ପଙ୍ଗପାଳ

ପହଞ୍ଚିଲେଣି ଛତିଶଗଡ଼ର କୋରିଆରେ

ଜିଲ୍ଲା ଉପ-କୃଷି ବିଭାଗର ସତର୍କତା
ପବନର ଦିଗ ବଦଳିଲେ ଆନ୍ଧ୍ରପ୍ରଦେଶ କି ବିହାରକୁ ଉଡ଼ି ଯାଇପାରନ୍ତି!

ସୁନ୍ଦରଗଡ଼ : ମାଡ଼ି ଆସୁଛନ୍ତି ପଙ୍ଗପାଳ। ସୁନ୍ଦରଗଡ଼ ଜିଲ୍ଲା ସୀମାରୁ ୩୫୦ କିଲୋମିଟର ଦୂର ଛତିଶଗଡ଼ର କୋରିଆ ଜିଲ୍ଲା ଭରତପୁର ଯାଏ ଆସିଥିବା ଏହି କୀଟ ଦଳ ଏବେ ଓଡ଼ିଶାମୁହାଁ ହୋଇଛନ୍ତି। ଦିନକୁ ଶହେରୁ ଦେଢ଼ ଶହ କିଲୋମିଟର ବେଗରେ ଉଡ଼ୁଥିବା ପଙ୍ଗପାଳ ଯେ କୌଣସି ସମୟରେ ପଶ୍ଚିମ ଓଡ଼ିଶାକୁ ପ୍ରବେଶ କରିବାର ଆଶଙ୍କା ରହିଛି। ତେଣୁ ଛତିଶଗଡ଼ ସୀମାକୁ ଲାଗି ରହିଥିବା ସୁନ୍ଦରଗଡ଼, ବରଗଡ଼, ବଲାଙ୍ଗୀର, କଳାହାଣ୍ଡି, ନୂଆପଡ଼ା ଜିଲ୍ଲା ପାଇଁ ଏହା ଚିନ୍ତାର କାରଣ ହୋଇଛି। ତେବେ ପବନର ବିପରୀତ ଗତି ରହିଲେ, କୀଟ ଦଳ ଆନ୍ଧ୍ରପ୍ରଦେଶ କି ବିହାରକୁ ଉଡ଼ି ଯାଇପାରନ୍ତି ବୋଲି କୁହାଯାଉଛି।

ପଙ୍ଗପାଳ ଜନିତ ସମ୍ଭାବ୍ୟ ବିପଦକୁ ଏଡ଼ାଇବା ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ କୃଷି ବିଭାଗ ପକ୍ଷରୁ ଏସବୁ ସୀମାନ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ସୁନ୍ଦରଗଡ଼ କୃଷି ଉପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲାର ସମସ୍ତ ପଞ୍ଚାୟତରେ ପଙ୍ଗପାଳ ଦଳକୁ ଘଉଡ଼ାଇବା ପାଇଁ ଚାଷୀମାନଙ୍କୁ ସଚେତନ କରାଯାଇଛି। ତ୍ବରିତ ସଚେତନତା ପାଇଁ ହ୍ବାଟସ୍‌ଆପ୍‌ ଗ୍ରୁପ୍‌ ମାଧ୍ୟମରେ ଚାଷୀଙ୍କୁ ଏହି କୀଟ ନିୟନ୍ତ୍ରଣର ବିଭିନ୍ନ ଉପାୟ ସମ୍ପର୍କରେ ଅବଗତ କରାଯାଉଥିବା କୃଷି ଉପନିର୍ଦ୍ଦେଶକ ଲକ୍ଷ୍ମୀନାରାୟଣ ଦାଶ ପ୍ରକାଶ କରିଛନ୍ତି। ବ୍ଲକ୍ ଓ ଗ୍ରାମ୍ୟ କୃଷି କର୍ମଚାରୀଙ୍କୁ ପଙ୍ଗପାଳଙ୍କ ପ୍ରବେଶ ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶାନୁସାରେ, ୧୨ଟି ଔଷଧ ସହ ନିମ୍ବ ତେଲ ପ୍ରୟୋଗ ଉପରେ ଗୁରୁତ୍ବ ଦେବାକୁ ପରାମର୍ଶ ଦିଆଯାଇଛି।

Al Jazeera

ସୁନ୍ଦରଗଡ଼ ଜିଲ୍ଲାରେ ଏହି ସତର୍କ ସୂଚନା ପହଞ୍ଚାଇବାକୁ ୨୭୯ଟି ପଞ୍ଚାୟତରୁ ୨୭୬ଟି ପଞ୍ଚାୟତରେ ଚାଷୀମାନଙ୍କର ହ୍ବାଟସ୍‌ଆପ୍‌ ଗ୍ରୁପ୍‌ ତିଆରି ହୋଇଛି। ଯେଉଁଠି ୨୬,୩୭୯ ଜଣ ଚାଷୀ ସଂଯୁକ୍ତ ହୋଇଛନ୍ତି। କୃଷି ଉପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟାନୁସାରେ, ସୁନ୍ଦରଗଡ଼ ଉପଖଣ୍ଡର ହେମଗିର ବ୍ଲକ୍‌ରେ ୧୯ଟି ଗ୍ରୁପ୍‌ରେ ୧୪୭୮ ଚାଷୀ, ଲେଫ୍ରିପଡ଼ା ବ୍ଲକ୍‌ରେ ୧୭ଟି ଗ୍ରୁପ୍‌ରେ ୨୦୬୬, ଟାଙ୍ଗରପାଲି ବ୍ଲକ୍‌ରେ ୧୩ଟି ଗ୍ରୁପ୍‌ରେ ୧୮୦୪, ସୁନ୍ଦରଗଡ଼ ବ୍ଲକ୍‌ରେ ୧୬ଟି ଗ୍ରୁପ୍‌ରେ ୧୫୬୪, ସବଡେଗା ବ୍ଲକ୍‌ରେ ୧୪ଟି ଗ୍ରୁପ୍‌ରେ ୧୪୪୬ ଚାଷୀ, ବାଲିଶଙ୍କରା ବ୍ଲକ୍‌ରେ ୧୯ଟି ଗ୍ରୁପ୍‌ରେ ୨୨୧୧, ବଡ଼ଗାଁ ବ୍ଲକ୍‌ରେ ୧୫ଟି ଗ୍ରୁପ୍‌ରେ ୫୪୯ ଚାଷୀ, କୁତ୍ରା ବ୍ଲକ୍‌ରେ ୧୬ଟି ଗ୍ରୁପ୍‌ରେ ୨୦୭୧ ଓ ରାଜଗାଙ୍ଗପୁର ବ୍ଲକ୍‌ରେ ୧୭ଟି ଗ୍ରୁପ୍‌ରେ ୧୪୩୦ ଚାଷୀ ସଂଯୁକ୍ତ ହୋଇଛନ୍ତି। ସେହିପରି ପାନପୋଷ ଉପଖଣ୍ଡରେ କୁଆରମୁଣ୍ଡା ବ୍ଲକ୍‌ରେ ୨୦ଟି ଗ୍ରୁପ୍‌ରେ ୨୪୪୪ ଚାଷୀ, ନୂଆଗାଁ ବ୍ଲକ୍‌ରେ ୨୦ଟି ଗ୍ରୁପ୍‌ରେ ୨୪୩୪ ଚାଷୀ, ଲାଠିକଟା ବ୍ଲକ୍‌ରେ ୧୮ଟି ଗ୍ରୁପ୍‌ରେ ୨୨୨୨, ବିଶ୍ରା ବ୍ଲକ୍‌ରେ ୧୪ଟି ଗ୍ରୁପ୍‌ରେ ୧୫୬୦ ଚାଷୀ ଓ ବଣାଇଁ ଉପଖଣ୍ଡର ଗୁରୁଣ୍ଡିଆ ବ୍ଲକ୍‌ରେ ୧୩ଟି ଗ୍ରୁପ୍‌ରେ ୪୩୩, ବଣାଇଁ ବ୍ଲକ୍‌ରେ ୧୩ଟି ଗ୍ରୁପ୍‌ରେ ୮୬୪, କୋଇଡ଼ା ବ୍ଲକ୍‌ରେ ୧୫ଟି ଗ୍ରୁପ୍‌ରେ ୫୫୦ ଓ ଲହୁଣିପଡ଼ା ବ୍ଲକ୍‌ରେ ୧୭ଟି ଗ୍ରୁପ୍‌ରେ ୧୧୫୨ ଚାଷୀ ସଂଯୁକ୍ତ ହୋଇଛନ୍ତି। ପଙ୍ଗପାଳ ପ୍ରତି ସତର୍କ ହୋଇ ରହିବାକୁ ଚାଷୀମାନଙ୍କୁ କୁହାଯାଇଥିବା ଶ୍ରୀ ଦାଶ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର