ରାୟଗଡ଼ା : ବିଷମକଟକ, ମୁନିଗୁଡ଼ାରେ ଝିଣ୍ଟିକା ପ୍ରଜାତିର କୀଟକୁ ନେଇ ଚାଷୀକୂଳ ଭୟଭୀତ ହୋଇ ପଡ଼ିଛନ୍ତି। ଧାନ କ୍ଷେତ ସମେତ ପରିବା ଚାଷକୁ କୀଟମାନେ ନଷ୍ଟ କରି ଚାଲିଥିବାରୁ ପଙ୍ଗପାଳ ମାଡ଼ି ଆସିଥିବା ଚାଷୀମାନେ ସନ୍ଦେହ କରିଛନ୍ତି। କିନ୍ତୁ କୃଷି ବିଭାଗ ଅଧିକାରୀ କ୍ଷେତ୍ର ପରିଦର୍ଶନ କରିବା ପରେ ପଙ୍ଗପାଳ ନୁହଁ, ଏକ ସ୍ବତନ୍ତ୍ର ପ୍ରଜାତିର କୀଟମାନେ ଫସଲ ନଷ୍ଟ କରୁଥିବା ଜଣା ପଡ଼ିଛି।

Advertisment

ବିଷମକଟକ ବ୍ଲକର ଡାଲିଆକୁଜି, ମୁନିଗୁଡା ବ୍ଲକର ଇଚ୍ଛାପୁର, ରାଣିପିଣ୍ଡା, ପେଡିଗୁଡା ଅଞ୍ଚଳରେ କୀଟ ଗୁଡ଼ିକ ଘୁରି ବୁଲି ପରିବା ସହ ଧାନ କ୍ଷେତରେ ପ୍ରବେଶ କରି ତଳି ଘରା ନଷ୍ଟ କରୁଥିବା ଅଭିଯୋଗ ହୋଇଛି। ଗତ ଦୁଇ ଦିନ ତଳେ ଇଚ୍ଛାପୁର, ରାଣିପିଣ୍ଡା, ପେଡିଗୁଡା ଅଞ୍ଚଳରେ ଏହି ପୋକ ଦେଖିବାକୁ ମିଳିଥିଲା। କୀଟକୁ ଦେଖି ଚାଷୀମାନେ ଭୟଭୀତ ଅବସ୍ଥାରେ ଅଛନ୍ତି। ରାତି ପାହିବା କ୍ଷଣି ଚାଷୀମାନେ ନିଜ କ୍ଷେତରୁ ଏହି ପୋକକୁ ଘଉଡାଇବାରେ ବ୍ୟସ୍ତ ରହୁଥିବାରୁ ଖରିଫ୍ ଫସଲକୁ ନେଇ ଚିନ୍ତାରେ ପଡ଼ିଛନ୍ତି। ଏହି ପୋକକୁ ପୂର୍ବରୁ ସ୍ଥାନୀୟ ଚାଷୀ ଦେଖିନଥିବା ବେଳେ ହଠାତ୍ କ୍ଷେତରେ ଦେଖି ଚିନ୍ତିତ ହୋଇ ପଡ଼ିଛନ୍ତି। ଫସଲ ନଷ୍ଟକାରୀ ପଙ୍ଗପାଳ ପୋକ ସଂପର୍କରେ ଏହି ଅଞ୍ଚଳର ଚାଷୀମାନେ ଜାଣିନଥିବା ବେଳେ ଏହି ପୋକକୁ ଲୋକେ ପଙ୍ଗପାଳ ବୋଲି ଅନୁମାନ କରୁଛନ୍ତି। ସେହିପରି ବିଷମକଟକ ବ୍ଲକର ଡାଲିଆକୁଜି ଅଞ୍ଚଳରେ ମଧ୍ୟ ଏହି ପ୍ରଜାତିର କୀଟ ଘୁରି ବୁଲି ଫସଲ ନଷ୍ଟ କରିବାରେ ଲାଗିଛନ୍ତି। ଉଭୟ ବ୍ଲକର ଚାଷୀ ଲ୍ୟାମ୍ପସ୍ ଓ ସାହୁକାରଠୁ ଧାର କରଜ କରି ଚାଷ କାର୍ଯ୍ୟ ଆରମ୍ଭ କରିଛନ୍ତି। ଫସଲ ଫଳ ଧରିବା ପୂର୍ବରୁ କୀଟମାନେ ମାତିଥିବାରୁ ଚାଷୀଙ୍କ ମନରେ ଛନକା ପଶିଛି। ଅନ୍ୟପକ୍ଷରେ ଏହି କୀଟ ପଙ୍ଗପାଳ ନୁହେଁ ବୋଲି କୃଷି ବିଭାଗ ସ୍ପଷ୍ଟ କରିଛି। ଝିଣ୍ଟିକା ପ୍ରଜାତିର ପୋକ ହଠାତ୍ ଡାଲିଆକୁଜି ଅଞ୍ଚଳକୁ ଆସିଥିବାରୁ ଲୋକେ ଭୟଭୀତ ହୋଇଛନ୍ତି। ଚାଷୀମାନେ କୌଣସି ମତେ ଭୟଭୀତ ନହୋଇ ଚାଷ କାର୍ଯ୍ୟ ଜାରି ରଖନ୍ତୁ ବୋଲି କୃଷି ବିଭାଗ ପରାମର୍ଶ ଦେଇଛି। ଉକ୍ତ ଅଞ୍ଚଳକୁ କୃଷି ବିଭାଗ ଟିମ୍ ଯାଇ ଚାଷୀଙ୍କୁ ସଚେତନ କରାଇବ ବୋଲି ଗ୍ରାମ୍ୟ କୃଷି କର୍ମଚାରୀ ସୂଚନା ଦେଇଛନ୍ତି।