ଲୋଗୋ, ପୋଷ୍ଟର ଡିଜାଇନ୍ ଓ ଜିଙ୍ଗଲ୍ ରାଇଟିଂ ପ୍ରତିଯୋଗିତାର ବିଜେତାଙ୍କୁ ମିଳିଲା ପୁରସ୍କାର

ରାଉରକେଲା: ରାଉରକେଲା ସ୍ମାର୍ଟ ସିଟି ପକ୍ଷରୁ ‘ନର୍ଚରିଂ ନେବରହୁଡ୍ସ୍ ଚ୍ୟାଲେଞ୍ଜ’ କାର୍ଯ୍ୟକ୍ରମ ଅଧୀନରେ କରାଯାଇଥିବା ଲୋଗୋ ଡିଜାଇନ୍, ପୋଷ୍ଟର ଡିଜାଇନ୍ ଏବଂ ଜିଙ୍ଗଲ୍ ରାଇଟିଂ ପ୍ରତିଯୋଗିତାର ବିଜେତାମାନଙ୍କୁ ପୁରସ୍କୃତ କରାଯାଇଛି। ରାଉରକେଲା ମହାନଗର ନିଗମ କମିଶନର ତଥା ସ୍ମାର୍ଟ ସିଟି ସିଇଓ ଦିବ୍ୟଜ୍ୟୋତି ପରିଡ଼ା ବିଜେତାମାନଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି।

ଲୋଗୋ ଡିଜାଇନ ପ୍ରତିଯୋଗିତାରେ ରାଉରକେଲାର ଅନିଷା ପ୍ରଧାନ, ପୋଷ୍ଟର ଡିଜାଇନରେ ପ୍ରିମାଂଶୁ ପ୍ରୀତମ ବେହେରା ଏବଂ ଜିଙ୍ଗଲ ରାଇଟିଂ ପ୍ରତିଯୋଗିତାରେ ତନ୍ମୟ ନାୟକଙ୍କୁ ବିଜୟୀ ଘୋଷଣା କରାଯାଇଥିଲା। ଏହି ବିଜେତାମାନଙ୍କୁ ପୁରସ୍କାର ବାବଦରେ ଚେକ୍ ଆକାରରେ ଅର୍ଥ ରାଶି ଓ ସାର୍ଟିଫିକେଟ୍ ପ୍ରଦାନ କରାଯାଇଥିଲା।

ଏହି ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ରାଉରକେଲା ମହାନଗର ନିଗମର ଡେପୁଟି କମିଶନର ଡକ୍ଟର ଗୌରବମୟ ପ୍ରଧାନ, ରାଉରକେଲା ସ୍ମାର୍ଟ ସିଟିର ଜେନେରାଲ ମ୍ୟାନେଜର (ଇଂଜିନିୟରିଂ ଓ ଟେକ୍ନୋଲୋଜି) ତଥା ମହାନଗର ନିଗମର କାର୍ୟ୍ରନିର୍ବାହୀ ଯନ୍ତ୍ରୀ ମୀନକେତନ ସାହୁ, ନର୍ଚରିଂ ନେବରହୁଡ୍ସ୍ର ନୋଡାଲ ଅଫିସର ସାର୍ଥକ ରଥ, ସହରାଞ୍ଚଳ ସାମାଜିକ ବିକାଶ ଅଧିକାରୀ ବିବେକ ରାଜ, ମ୍ୟାନେଜର (ଏମଆଇଏସ) ଅନୁରଞ୍ଜନ ମିଞ୍ଜଙ୍କ ସହିତ ସ୍ମାର୍ଟ ସିଟିର ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ସ୍ମାର୍ଟ ସିଟି ହିସାବରେ ‘ନର୍ଚରିଂ ନେବରହୁଡ୍ସ୍ ଚ୍ୟାଲେଞ୍ଜ’ ବର୍ଗରେ ରାଉରକେଲା ଦେଶର ୨୫ଟି ପ୍ରମୁଖ ସହର ତାଲିକାରେ ସ୍ଥାନ ପାଇଛି। ତେଣୁ ରାଉରକେଲା ମହାନଗରକୁ ସାନ ସାନ ପିଲାଙ୍କ ପାଇଁ ଆନନ୍ଦମୟ ଓ ଉପଯୋଗୀ ବା ଚିଲ୍ଡ୍ରେନ୍ ଫ୍ରେଣ୍ଡଲି ସହରରେ ପରିଣତ କରିବା ପାଇଁ ବିଶେଷ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ଏହି କାର୍ଯ୍ୟକ୍ରମ ସହ ଲୋକଙ୍କୁ ଯୋଡ଼ିବା ପାଇଁ ରାଉରକେଲା ସ୍ମାର୍ଟ ସିଟି ପକ୍ଷରୁ ଲୋଗୋ ଡିଜାଇନ୍, ପୋଷ୍ଟର ଡିଜାଇନ୍ ଏବଂ ଜିଙ୍ଗଲ୍ ରାଇଟିଂ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଏହି ସର୍ଜନାତ୍ମକ ପ୍ରତିଯୋଗିତାର ଥିମ୍ ରହିଥିଲା – ‘ରାଉରକେଲା ଆଜ୍ ୟଙ୍ଗ ଚିଲ୍ଡ୍ରେନ ଆଣ୍ଡ୍ କେୟାର ଗିଭରସ୍ ଫ୍ରେଣ୍ଡଲି ସିଟି’।

ଦେଶର ଆଧୁନିକ ସହରଗୁଡ଼ିକୁ ପିଲାଙ୍କ ପାଇଁ ଅନୁକୂଳ ଓ ଆନନ୍ଦମୟ କରିବାକୁ ଭାରତ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ମନ୍ତ୍ରାଳୟ ପକ୍ଷରୁ ‘ନର୍ଚରିଂ ନେବରହୁଡସ୍ ଚ୍ୟାଲେଞ୍ଜ’ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଅନ୍ତର୍ଜାତୀୟ ସାମାଜିକ ସଙ୍ଗଠନ ବର୍ଣ୍ଣାଡ୍ ଭାନ୍ ଲିର୍ ଫାଉଣ୍ଡେସନ ଏବଂ ଓ୍ୱାଲର୍ଡ ରିସୋର୍ସେସ୍ ଇନଷ୍ଟିଚ୍ୟୁଟ୍ ସହଯୋଗିତାରେ ଏହି କାର୍ଯ୍ୟକ୍ରମ ପରିଚାଳିତ ହେଉଛି।

ସମ୍ବନ୍ଧିତ ଖବର