ଘୁ.ଉଦୟଗିରି/କୁତ୍ରା/କୋଇଡ଼ା: ରାଜ୍ୟରେ ନୂଆ ସରକାର ଗଠନ ପୂର୍ବରୁ ‘ଲକ୍ଷ୍ମୀ’ ବସ୍‌ର ରୂପ ବଦଳିବାରେ ଲାଗିଛି। ବିଭିନ୍ନ ସ୍ଥାନରେ ସବୁଜ ରଙ୍ଗର ଲକ୍ଷ୍ମୀ ବସ୍‌ ଗୁଡ଼ିକରୁ ରାତାରାତି ଷ୍ଟିକର୍ କାଢ଼ି ଦିଆଯାଇଥିବା ଦେଖିବାକୁ ମିଳିଛି। ଯାହାକି ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ଗାଁକୁ ବ୍ଲକ୍‌ ମୁଖ୍ୟାଳୟ ଯାତାୟାତ ସୁବିଧା ଦେବା ନିମନ୍ତେ କମ୍‌ ଭଡ଼ାରେ ବିଦାୟୀ ନବୀନ ସରକାର ‘ଲକ୍ଷ୍ମୀ’ ବସ୍‌ ଯୋଜନା ଆରମ୍ଭ କରିଥିଲେ। ଏଥିରେ ମହିଳାମାନେ ମାତ୍ର ୫ ଟଙ୍କାରେ ନିଜ ଗାଁରୁ ନିଜ ବ୍ଲକ୍‌ ସଦର ମହକୁମାକୁ ଯାତାୟାତ କରୁଛନ୍ତି। ଏହିସବୁ ବସ୍‌ ଓଡ଼ିଶା ରାଜ୍ୟ ପରିବହନ ନିଗମ ପକ୍ଷରୁ ପରିଚାଳିତ ହେଉଥିବା ବେଳେ ବସ୍‌ର ଦୁଇପାଖରେ ଲକ୍ଷ୍ମୀ ବସ୍‌ ଲେଖା ସହ ଦୁଇଟି ନର୍ତ୍ତକୀ ଶଙ୍ଖ ଫୁଙ୍କୁଥିବା ଲୋଗୋ ଲାଗିଛି। ନିର୍ବାଚନ ତାରିଖ ଘୋଷଣା ସହ ନିର୍ବାଚନ ଆଦର୍ଶ ଆଚରଣବିଧି ଲାଗୁ ହେବାପରେ ଶଙ୍ଖ ଷ୍ଟିକର୍‌ ଉପରେ ଟେପ୍‌ ଆଚ୍ଛାଦିତ କରି ଦିଆଯାଇଥିଲା। ହେଲେ, ଆଜି ସକାଳୁ ହଠାତ୍‌ କେତେକ ସ୍ଥାନରେ ଲକ୍ଷ୍ମୀ ବସ୍‌ରୁ ଲକ୍ଷ୍ମୀ ବସ୍‌ ଲୋଗୋ ଓ ନର୍ତ୍ତକୀ ଷ୍ଟିକର୍‌ ଉଭାନ ହୋଇଯାଇଛି। ଷ୍ଟିକର୍‌ର ଚିହ୍ନବର୍ଣ୍ଣ ନାହିଁ। ହେଲେ ଏହି ଷ୍ଟିକର୍‌ କିଏ କାଢ଼ିଲା ଏବଂ କାହା ନିର୍ଦ୍ଦେଶରେ କଢ଼ାଗଲା କାହାପାଖରେ ଖବର ନାହିଁ। କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି; ସୁନ୍ଦରଗଡ଼ର କୋଇଡ଼ା, କୁତ୍ରା ଭଳି କେତେକ ଅଞ୍ଚଳରେ ଏହିଭଳି ଘଟଣା ସାମ୍‌ନାକୁ ଆସିଛି।

Advertisment

ତେବେ, ଏ ସମ୍ପର୍କରେ ସେମାନେ କିଛି ଜାଣିନାହାନ୍ତି ନଥିବା ବସ୍‌ କର୍ମଚାରୀ କହିଛନ୍ତି। ସେମାନଙ୍କ ମତରେ, କାରଣ ବସ୍‌କୁ ସ୍ଥାନୀୟ ବ୍ଲକ୍‌ କାର୍ଯ୍ୟାଳୟ ପରିସରରେ ରଖି ସେମାନେ ନିଜ ଘରକୁ ପଳାଇ ଯାଇଥାନ୍ତି, ସକାଳୁ ପୁଣି ବସ୍‌ ଡ୍ୟୁଟିକୁ ଆସନ୍ତି। ତେଣୁ ସେମାନେ ଜାଣି ନଥିବା କହିଛନ୍ତି। ଏହି ଘଟଣାରୁ ଆଗକୁ ଲକ୍ଷ୍ମୀ ବସ୍‌ ଚାଲିବ କି ନାହିଁ ସମସ୍ତେ ଦ୍ୱନ୍ଦ୍ବରେ ପଡ଼ିଛନ୍ତି। ଅପରପକ୍ଷେ, କୁତ୍ରା ବ୍ଲକ୍‌ ପାଇଁ ନିଯୁକ୍ତ ହୋଇଥିବା ସଂଯୋଜକଙ୍କୁ ପଚାରିବାରୁ ସେମାନେ ଲୋଗୋ ଗୁଡ଼ିକୁ ବସ୍‌ରୁ କିଏ କାଢ଼ିଲା ଜାଣିନଥିବା କହିଥିଲେ। ସେହିପରି, ସ୍ଥାନୀୟ ବିଡିଓ ଯୁଗଳ କିଶୋର ବିଶ୍ୱାଳଙ୍କୁ ଏନେଇ ପ୍ରଶ୍ନ କରାଯିବାରୁ ଲୋଗୋ ଉଠାଯିବା ନେଇ ତାଙ୍କ ପାଖରେ କୌଣସି ସୂଚନା ନଥିବା ଏବଂ ଏହି ବସ୍‌ ଦାୟିତ୍ୱରେ ଥିବା ଉଚ୍ଚ ଅଧିକାରୀଙ୍କ ପକ୍ଷରୁ ତାଙ୍କ ପାଖକୁ ନିର୍ଦ୍ଦେଶ ଆସି ନଥିବା ସେ କହିଛନ୍ତି।