କଟକ: ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଛି। ଚଳିତ ବର୍ଷର ଦ୍ବିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତରେ ୧ ଲକ୍ଷ ୯୨ ହଜାର ୩ଟି  ମାମଲାର ଫଇସଲା କରାଯାଇଛି। ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣର ମୁଖ୍ୟ ପୃଷ୍ଠପୋଷକ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ହରୀଶ ଟଣ୍ଡନ ଓ ପ୍ରାଧିକରଣର କାର୍ଯ୍ୟନିର୍ବାହୀ ଅଧୢକ୍ଷ ଜଷ୍ଟିସ୍‌ ସଙ୍ଗମ କୁମାର ସାହୁଙ୍କ ମାର୍ଗଦର୍ଶନରେ ଏହି ଲୋକ ଅଦାଲତ ଅନୁଷ୍ଠିତ ହୋଇଛି। ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆୟୋଜିତ ରାଷ୍ଟ୍ରୀୟ ଲୋକ ଅଦାଲତରେ ସାରା ରାଜ୍ୟରେ ୧ ଲକ୍ଷ ୯୨ ହଜାର ୩ଟି ମାମଲାର ଫଇସଲା କରାଯାଇ ଜରିମାନା ଓ କ୍ଷତିପୂରଣ ବାବଦରେ ୧୩୦ କୋଟି ୮୦ ଲକ୍ଷ ୨୮ ହଜାର ୧୨୬ ଟଙ୍କା ଆଦାୟ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହି ଲୋକ ଅଦାଲତରେ ଉଭୟ ବିଚାରାଧୀନ ଓ ପ୍ରାକ୍‌-ମକଦ୍ଦମାସ୍ତରୀୟ ସମାଧାନଯୋଗ୍ୟ ମାମଲାର ଫଇସଲା କରାଯାଇଛି।

Advertisment

ଫଇସଲା ହୋଇଥିବା ବିଚାରାଧୀନ ମାମଲାଗୁଡ଼ିକ ମଧ୍ୟରେ ୨୬୬ଟି  ଫୌଜଦାରୀ (କ୍ରିମିନାଲ୍‌ କମ୍ପାଉଣ୍ଡେବଲ୍‌), ୯୮୧ଟି ଚେକ୍ ବାଉନ୍ସ (ଏନ୍‌ଆଇ ଆକ୍ଟର ଧାରା ୧୩୮), ୪୫୨ଟି ଅର୍ଥ ଆଦାୟ (ମନି ରିକଭରି) ମାମଲା, ୫୯୭ଟି ମୋଟରଯାନ ଦୁର୍ଘଟଣାଜନିତ କ୍ଷତିପୂରଣ, ୨୦ଟି ଶ୍ରମ ବିବାଦ, ୧୧ଟି ବିଦ୍ୟୁତ୍‌, ଜଳ ସଂପର୍କିତ ଜନସେବା ମାମଲା, ୪୭୫ଟି ପାରିବାରିକ ଓ ବୈବାହିକ ବିବାଦ, ୮ଟି ଭୂମି ଅଧିଗ୍ରହଣ ମାମଲା, ୧୬୯୩୮୨ଟି ରାଜସ୍ବ ଓ ଏ ସଂକ୍ରାନ୍ତୀୟ ଅନ୍ୟ ମାମଲା, ୧୬ଟି ଆଇପିଆର୍‌/ଉପଭୋକ୍ତା ବିବାଦ, ୧୫୧୮ଟି ଅନ୍ୟାନ୍ୟ ଦେୱାନୀ, ୧୧୬୩୨ଟି  ଅନ୍ୟାନ୍ୟ ଫୌଜଦାରୀ ମାମଲା, ୬ଟି ଆର୍‌ଡିବି ଆଇନ ଅଧୀନ ଡେବ୍ଟ ରିକଭରି ଟ୍ରିବ୍ୟୁନାଲ(ଡିଆର୍‌ଟି) ମାମଲା, ୫ଟି ରାଜ୍ୟ ଖାଉଟି ବିବାଦ ସମାଧାନ କମିସନ ମାମଲା ଅନ୍ତର୍ଭୁକ୍ତ। ପ୍ରାକ୍‌ ମକଦ୍ଦମାସ୍ତରୀୟ ୬ ହଜାର ୬୩୪ଟି ମାମଲା ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ଫଇସଲା କରାଯାଇଛି ବୋଲି ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣ ପକ୍ଷରୁ ସୂଚନା ମିଳିଛି। ନୂଆଦିଲ୍ଲୀସ୍ଥିତ ନ୍ୟାସନାଲ୍‌ ଲିଗାଲ୍‌ ସର୍ଭିସେସ୍‌ ଅଥରିଟି ନିର୍ଦ୍ଦେଶରେ ରାଜ୍ୟ ଆଇନସେବା ପ୍ରାଧିକରଣ ଆନୁକୂଲ୍ୟରେ ଏହି ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଥିଲା। ୩୦ଟି ଜିଲ୍ଲାରେ ଥିବା ଜିଲ୍ଲାସ୍ତରୀୟ ଓ ତାଲୁକାସ୍ତରୀୟ ବିଚାରବିଭାଗୀୟ ଅଦାଲତ ପରିସର ସହିତ ଡିଆର୍‌ଟି, ରାଜ୍ୟ ଖାଉଟି ବିବାଦ ସମାଧାନ କମିସନ, ଶିଳ୍ପ ଟ୍ରିବ୍ୟୁନାଲ୍‌ ଓ ଫୋରମ୍‌ରେ ଆଜି ଲୋକ ଅଦାଲତ ଅନୁଷ୍ଠିତ ହୋଇଥିଲା।