କଟକ : ରାଜ୍ୟ ସାରା ଶନିବାର ଦିନ ଜିଲ୍ଲାସ୍ତରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଛି। ଓଡିଶା ରାଜ୍ୟ ଆଇନସେବା ପ୍ରାଧିକରଣର ମୁଖ୍ୟ ପୃଷ୍ଠପୋଷକ ହାଇକୋର୍ଟ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ୍ ଏସ.ମୁରଲୀଧର ଓ ପ୍ରାଧିକରଣର କାର୍ଯ୍ୟନିର୍ବାହୀ ଅଧୢକ୍ଷ ଜଷ୍ଟିସ ଶୁଭାଶିଷ ତାଳପତ୍ରଙ୍କ ମାର୍ଗଦର୍ଶନରେ ଏହି ଲୋକ ଅଦାଲତ ଅନୁଷ୍ଠିତ ହୋଇଥିଲା।
ଲୋକ ଅଦାଲତରେ ୧ ଲକ୍ଷ ୫୧ ହଜାର ୯୫୯ଟି ମାମଲାର ଶୁଣାଣି କରାଯାଇ ୧ ଲକ୍ଷ ୩୧ ହଜାର ୨୯୩ଟି ଆପୋସ ବୁଝାମଣାରେ ଫଏସଲା କରାଯାଇଥିଲା। ଏଥି ମଧ୍ୟରେ ୧୯୪ଟି ମୋଟର ଯାନ ଦୁର୍ଘଟଣାଜନିତ କ୍ଷତିପୂରଣ ମାମଲା, ୪୮୦ଟି ଏନଆଇ ଆକ୍ଟ ମାମଲା, ୨୧ଟି ଖାଉଟି ବିବାଦ, ୯ଟି ଭୂମି ଅଧିଗ୍ରହଣ ମାମଲା, ୨୭୨ଟି ପାରିବାରିକ ବିବାଦ, ୧୨୯୮୧୯ଟି ରାଜସ୍ବ ଓ ୪୯୮ଟି ଅନ୍ୟାନ୍ୟ ମାମଲା ଅନ୍ତର୍ଭୁକ୍ତ। ଆଜି ଅନୁଷ୍ଠିତ ଲୋକ ଅଦାଲତରେ ଜରିମାନା ଓ କ୍ଷତିପୂରଣ ବାବଦରେ ୨୭ କୋଟି ୬୩ ଲକ୍ଷ ୫ ହଜାର ୭୩୪ ଟଙ୍କା ଆଦାୟ ପାଇଁ ନିର୍ଦ୍ଦେଶ ଦିଆଯାଇଛି।