କଟକ: ହାଇକୋର୍ଟରେ ଆଜି ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଓଡିଶା ରାଜ୍ୟ ଆଇନସେବା ପ୍ରାଧିକରଣର ମୁଖ୍ୟ ପୃଷ୍ଠପୋଷକ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର, ପ୍ରାଧିକରଣର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଜଷ୍ଟିସ ଯଶୱନ୍ତ ସିଂହ ଓ ହାଇକୋର୍ଟ ଆଇନସେବା କମିଟି ଅଧ୍ୟକ୍ଷ ଜଷ୍ଟିସ ସି.ଆର୍.ଦାଶଙ୍କ ମାର୍ଗଦର୍ଶନରେ ଏହି ଲୋକ ଅଦାଲତ ଅନୁଷ୍ଠିତ ହୋଇଛି। ହାଇକୋର୍ଟ ଆଇନସେବା କମିଟି ଆନୁକୂଲ୍ୟରେ ହାଇବ୍ରିଡ୍ ମୋଡରେ ଅନୁଷ୍ଠିତ ଏହି ଲୋକ ଅଦାଲତରେ ୩୮ଟି ମାମଲାର ଆପୋସ ବୁଝାମଣାରେ ଫୈସଲା କରାଯାଇଛି। ଜଷ୍ଟିସ ସଙ୍ଗମ କୁମାର ସାହୁ, ଜଷ୍ଟିସ କେ.ଆର. ମହାପାତ୍ର, ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀ, ଜଷ୍ଟିସ ସାବିତ୍ରୀ ରଥ, ଜଷ୍ଟିସ ମୃଗାଙ୍କ ଶେଖର ସାହୁ, ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ର, ଜଷ୍ଟିସ ଭି. ନରସିଂହ, ଜଷ୍ଟିସ ବିରଜା ପ୍ରସନ୍ନ ଶତପଥୀ, ଜଷ୍ଟିସ ଏମ.ଏସ. ରମଣ ଅନୁଷ୍ଠିତ ଜାତୀୟ ଲୋକ ଅଦାଲତରେ ମାମଲା ଗୁଡିକର ଫୈସଲା କରିଥିଲେ।
ଏଥି ମଧ୍ୟରେ ବୀମା କ୍ଷତିପୂରଣ ମାମଲା, ବ୍ୟାଙ୍କ ମାମଲା, କ୍ରିମିନାଲ କମ୍ପାଉଣ୍ଡେବଲ ମାମଲା, ବିଦ୍ୟୁତ ମାମଲା, ଏନଆଇ ଆକ୍ଟର ଧାରା ୧୩୮ ସମ୍ପର୍କିତ ମାମଲା ଓ ଅନ୍ୟାନ୍ୟ ମାମଲା ରହିଛି। ଏହି ଲୋକ ଅଦାଲତରେ ସାଧାରଣ ବୀମା କମ୍ପାନି ମଧୢରୁ ନ୍ୟାସନାଲ ଇନସ୍ୟୁରାନ୍ସ, ନ୍ୟୁ ଇଣ୍ତିଆ ଆସ୍ୟୁରାନ୍ସ, ଓରିଏଣ୍ଟାଲ ଇନସ୍ୟୁରାନ୍ସ, ୟୁନାଇଟେଡ୍ ଇଣ୍ତିଆ ଇନସ୍ୟୁରାନ୍ସ କମ୍ପାନି ଓ କେତେକ ଘରୋଇ ବୀମା କମ୍ପାନି ଅଂଶ ଗ୍ରହଣ କରିଥିଲେ। କ୍ଷତିପୂରଣ ବାବଦରେ ୨ କୋଟି ୫୩ଲକ୍ଷ ୯୫ ହଜାର ଟଙ୍କା ପ୍ରଦାନ ପାଇଁ ଆଜି ଅନୁଷ୍ଠିତ ଲୋକ ଅଦାଲତରେ ନିର୍ଦ୍ଦେଶ ଦିଆଯାଇଛି ବୋଲି ସୂଚନା ମିଳିଛି।