ହାଇକୋର୍ଟରେ ଲୋକ ଅଦାଲତ: ୧ କୋଟି ୧୬ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ନିର୍ଦ୍ଦେଶ

କଟକ : ହାଇକୋର୍ଟରେ ଆଜି ଲୋକ ଅଦାଲତ ଅନୁଷ୍ଠିତ ହୋଇଛି। ଓଡିଶା ରାଜ୍ୟ ଆଇନସେବା ପ୍ରାଧିକରଣର ମୁଖ୍ୟ ପୃଷ୍ଠପୋଷକ ମୁଖ୍ୟ ବିଚାରପତି ଜଷ୍ଟିସ୍‌ କେ.ଏସ୍‌.ଜାଭେରୀ, ପ୍ରାଧିକରଣର କାର୍ଯ୍ୟ ନିର୍ବାହୀ ଅଧ୍ୟକ୍ଷ ଜଷ୍ଟିସ୍‌ ଇନ୍ଦ୍ରଜିତ ମହାନ୍ତି ଓ ହାଇକୋର୍ଟ ଆଇନସେବା କମିଟି ଅଧ୍ୟକ୍ଷା କୁମାରୀ ଜଷ୍ଟିସ ସଞ୍ଜୁ ପଣ୍ଡାଙ୍କ ମାର୍ଗଦର୍ଶନରେ ଏହି ଲୋକ ଅଦାଲତ ଅନୁଷ୍ଠିତ ହୋଇଛି। ହାଇକୋର୍ଟ ଆଇନସେବା କମିଟି ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଲୋକ ଅଦାଲତରେ ୫୫ଟି ମାମଲାର ଫୈସଲା କରାଯାଇଛି। ହାଇକୋର୍ଟ ଆଇନସେବା କମିଟି ଅଧ୍ୟକ୍ଷା କୁମାରୀ ଜଷ୍ଟିସ ସଞ୍ଜୁ ପଣ୍ଡା, ଡକ୍ଟର ଜଷ୍ଟିସ ଏ.କେ.ରଥ, ଜଷ୍ଟିସ ସଙ୍ଗମ କୁମାର ସାହୁ, ଜଷ୍ଟିସ ଏସ୍‌.ଏନ୍‌.ପ୍ରସାଦ, ଜଷ୍ଟିସ୍‌ କେ.ଆର୍‌.ମହାପାତ୍ର, ଜଷ୍ଟିସ୍‌ ଜେ.ପି.ଦାସ ଅନୁଷ୍ଠିତ ହାଇକୋର୍ଟସ୍ତରୀୟ ଲୋକ ଅଦାଲତରେ ମାମଲା ଗୁଡିକର ଫୈସଲା କରିଥିଲେ। ଏଥି ମଧ୍ୟରେ ବ୍ୟାଙ୍କ ମାମଲା, କ୍ରିମିନାଲ କମ୍ପାଉଣ୍ଡେବଲ ମାମଲା, ଭୂମି ଅଧିଗ୍ରହଣ, ଚାକିରି ସଂପର୍କିତ ଓ ବୀମା କ୍ଷତିପୂରଣ ମାମଲା ରହିଛି। ସାଧାରଣ ବୀମା କମ୍ପାନି ଗୁଡିକ ମଧ୍ୟରୁ ନ୍ୟୁ ଇଣ୍ଡିଆ ଆସ୍ୟୁରାନ୍ସ କମ୍ପାନି, ନ୍ୟାସନାଲ ଇନସ୍ୟୁରାନ୍ସ କମ୍ପାନି, ଓରିଏଣ୍ଟାଲ ଇନ୍‌ସ୍ୟୁରାନ୍ସ କମ୍ପାନି, ୟୁନାଇଟେଡ୍‌ ଇଣ୍ଡିଆ ଇନ୍‌ସ୍ୟୁରାନ୍ସ କମ୍ପାନି ଓ ଘରୋଇ ବୀମା କମ୍ପାନି ଗଡିକ ଅଂଶ ଗ୍ରହଣ କରିଥିଲେ। କ୍ଷତିପୂରଣ ବାବଦରେ ୧ କୋଟି ୧୬ ଲକ୍ଷ ୨୭ ହଜାର ୨୨୦ ଟଙ୍କା ପ୍ରଦାନ ପାଇଁ ଲୋକ ଅଦାଲତରେ ନିର୍ଦ୍ଦେଶ ଦିଆଯାଇଛି ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର