ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ରାଜନୀତିରେ ବହୁ ଚକିତ କଲା ଭଳି ଘଟଣା ଘଟିଛି। ପରିସଂଖ୍ୟାନରୁ ଏହା ବାରି ହେଉଛି। ୨୦୧୯ ନିର୍ବାଚନରେ ବଲାଙ୍ଗୀର ସଂସଦୀୟ କ୍ଷେତ୍ରର ୭ଟି ବିଧାନସଭା ଆସନରୁ ବିଜେଡି ପାଟଣାଗଡ଼, ଟିଟିଲାଗଡ଼, ସୋନପୁର ଓ ବୀରମହାରାଜପୁର, ବିଜେପି କେବଳ ଲୋଇସିଂହା ଏବଂ କଂଗ୍ରେସ ବଲାଙ୍ଗୀର ଏବଂ କଣ୍ଟାବାଞ୍ଜି ଆସନରୁ ବିଜୟୀ ହୋଇଥିଲା। କିନ୍ତୁ ୨୦୨୪ରେ ଫଳ ସଂସଦୀୟ କ୍ଷେତ୍ରର ସମୀକରଣ ପଲଟାଇ ଦେଇଥିଲା। କଂଗ୍ରେସ ସମ୍ପୂର୍ଣ୍ଣ ମୂଳପୋଛ ହୋଇଥିବା ବେଳେ ବଲାଙ୍ଗୀର ଏବଂ ସୋନପୁରକୁ ଛାଡ଼ି ବିଜେପି ଅନ୍ୟ ୫ଟି ଆସନ କବ୍ଜା କରିଛି। ଲୋକସଭା ଲଢ଼େଇରେ ବିଜେପି ବାଜିମାତ୍ କରିଛି। ତେବେ ପରିସଂଖ୍ୟାନରୁ ଏକ ରୋଚକ କଥା ସାମ୍ନାକୁ ଆସିଛି। ବଲାଙ୍ଗୀର ବିଧାନସଭା ଆସନରେ ବିଜେଡି ବିଧାୟକ ପ୍ରାର୍ଥୀ ଜିଣିଥିବା ବେଳେ ସାଂସଦ ପ୍ରାର୍ଥୀ ବି ଭୋଟ୍ ଦୃଷ୍ଟିରୁ ଅଗ୍ରଣୀ ରହିଥିଲେ। ତେବେ ଲୋଇସିଂହାରେ ସାଂସଦ ପ୍ରାର୍ଥୀ ୫୦,୨୩୮ ଭୋଟ୍ ପାଇଥିବାବେଳେ ବିଧାୟକ ପ୍ରାର୍ଥୀ ତାଙ୍କଠାରୁ ଅଧିକ ଭୋଟ୍ (୬୫୧୨୩) ପାଇଛନ୍ତି। ତଥାପି ବିଜେଡି ଏଠାରେ ପରାସ୍ତ ହୋଇଥିଲା।
ଲୋକସଭା କ୍ଷେତ୍ରର ସବୁ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡିର ବିଧାୟକ ପ୍ରାର୍ଥୀମାନେ ସାଂସଦ ପ୍ରାର୍ଥୀଙ୍କଠାରୁ ଅଧିକ ଭୋଟ୍ ପାଇଛନ୍ତି। ଉଭୟଙ୍କ ଭୋଟ୍ ଭିତରେ ବହୁ ତାରତମ୍ୟ ରହିଛି। ଭୋଟିଂର ଏହି ଟ୍ରେଣ୍ଡ୍ ପୂର୍ବର ସବୁ ଅନୁମାନକୁ ଗୋଳମାଳିଆ କରିଦେଇଛି। ବିଜେପି କ୍ଷେତ୍ରରେ ମଧ୍ୟ ଏହି ଟ୍ରେଣ୍ଡ୍ ଦେଖିବାକୁ ମିଳିଛି। ବଲାଙ୍ଗୀର, ପାଟଣାଗଡ଼, କଣ୍ଟାବାଞ୍ଜିରେ ବିଜେପି ସାଂସଦ ପ୍ରାର୍ଥୀ ଦଳୀୟ ବିଧାୟକ ପ୍ରାର୍ଥୀଙ୍କଠାରୁ ଅଧିକ ଭୋଟ୍ ହାତେଇଛନ୍ତି। ଲୋଇସିଂହା ଏବଂ ସୋନପୁରରେ କିନ୍ତୁ ଏହି ପରିସଂଖ୍ୟାନ ଓଲଟିଛି। ବୀରମହାରାଜପୁରରେ ଏହି ବ୍ୟବଧାନ ପାଖାପାଖି ସମାନ ରହିଛି। ଭୋଟର୍ ସାଂସଦ ଏବଂ ବିଧାୟକଙ୍କ ପାଇଁ ଅଲଗା ଅଲଗା ମାନଦଣ୍ଡରେ ଭୋଟ୍ ଦେଇଥିବା ଏଥିରୁ ବାରି ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/06/voteing.jpg)