ଭୁବନେଶ୍ବର: ୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାରେ କେଉଁ ରାଜନୈତିକ ଦଳ ମହିଳାଙ୍କୁ ୩୩% ସଂରକ୍ଷଣ ଦେଉଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି। କାରଣ ନିର୍ବାଚନ ପୂର୍ବରୁ ବିଜେଡି ଓ ବିଜେପିର ଶୀର୍ଷ ନେତୃତ୍ବ ମହିଳାଙ୍କୁ ଲୋକସଭା ନିର୍ବାଚନରେ ୩୩% ସଂରକ୍ଷଣ ଦେବେ ବୋଲି ଘୋଷଣା କରିଥିଲେ ହେଁ ବିଜେପି ତାହାକୁ କାର୍ଯ୍ୟକାରୀ କରିପାରିନାହିଁ। ଓଡ଼ିଶାରେ ମୋଟ୍ ୨୧ଟି ଲୋକସଭା ଆସନରୁ ମହିଳାଙ୍କୁ ୩୩% ସଂରକ୍ଷଣ ଦେଲେ ୭ଟି ସିଟ୍ରେ ମହିଳାଙ୍କୁ ପ୍ରାର୍ଥୀ କରିବାକୁ ପଡ଼ିବ। ହେଲେ ବର୍ତ୍ତମାନ ସୁଦ୍ଧା ବିଜେପି ୨୧ଟି ଏବଂ ବିଜେଡି ୨୦ଟି ଆସନ ପାଇଁ ପ୍ରାର୍ଥୀ କରିଥିଲେ ବି ବର୍ତ୍ତମାନର ପ୍ରାର୍ଥୀ ତାଲିକା ଅନୁଯାୟୀ ଏହା ପୂରଣ ହୋଇନି। ବିଜେଡି ଘୋଷଣା କରିଥିବା ୨୦ଟି ଲୋକସଭା ଆସନରୁ ୬ଟିରେ ମହିଳାଙ୍କୁ ପ୍ରାର୍ଥୀ କରିଛି। ଏବେ କେବଳ ବାଲେଶ୍ବର ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା ହେବାକୁ ବାକି ଥିବାବେଳେ ବିଜେଡି ଏଠାରେ ମହିଳାଙ୍କୁ ନା ପୁରୁଷଙ୍କୁ ସୁଯୋଗ ଦେଉଛି ତାହା ଉପରେ ସମସ୍ତଙ୍କ ନଜର।
ଅପରପକ୍ଷେ ବିଜେପି ଘୋଷଣା କରିଥିବା ୨୧ଜଣ ପ୍ରାର୍ଥୀଙ୍କ ମଧ୍ୟରେ କେବଳ ୪ଜଣ ଜଣ ମହିଳା ଅଛନ୍ତି। ୨୦୧୯ରେ ବିଜେପି ୩ଜଣ ମହିଳାଙ୍କୁ ଲୋକସଭା ପାଇଁ ପ୍ରାର୍ଥୀ କରିଥିବାବେଳେ ଏଥର ଆଉ ଜଣେ ବଢ଼ିଛନ୍ତି। ବିଜେପି ୨୦୧୯ରେ ଭୁବନେଶ୍ବରରେ ଅପରାଜିତା ଷଡ଼ଙ୍ଗୀ, ବଲାଙ୍ଗୀରରେ ସଙ୍ଗୀତା ସିଂହଦେଓ ଓ ଆସ୍କାରେ ଅନିତା ଶୁଭଦର୍ଶିନୀଙ୍କୁ ପ୍ରାର୍ଥୀ କରିଥିବାବେଳେ ଏଥର ଏହି ତିନିଟି ଆସନରେ ଉକ୍ତ ତିନି ଜଣଙ୍କୁ ପ୍ରାର୍ଥୀ କରିଛି। ଏହାସହ କଳାହାଣ୍ଡି ଆସନରେ ମାଳବିକା କେଶରୀ ଦେଓଙ୍କୁ ଟିକେଟ୍ ଦେଇଛି। ଅର୍ଥାତ୍ ବିଜେପି ଏଥର ଓଡ଼ିଶାରେ ମହିଳାଙ୍କ ପାଇଁ ୧୯% ଲୋକସଭା ଆସନ ଛାଡ଼ିଛି। ଅପରପକ୍ଷେ ବିଜେଡି ୨୦୧୯ ଲୋକସଭା ନିର୍ବାଚନରେ ମହିଳାଙ୍କୁ ୩୩% ସଂରକ୍ଷଣ ଦେଇ ସାରା ଦେଶରେ ଚର୍ଚ୍ଚାକୁ ଆସିଥିଲା। ପ୍ରଚାର ମଇଦାନରେ ବି ବିଜେଡି ଏହାକୁ ଏକ ପ୍ରସଙ୍ଗ କରିଥିଲା। ଯେତେବେଳେ ମହିଳା ସଂରକ୍ଷଣ କଥା ଉଠେ ସେତେବେଳେ ବିଜେଡି ମହିଳାଙ୍କୁ ୩୩% ସଂରକ୍ଷଣ ଦେଇଥିବା ନେଇ ସାବାସି ନିଏ। ତେଣୁ ବିଜେଡି ବାଲେଶ୍ବରରେ ଜଣେ ମହିଳାଙ୍କୁ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି। ଆଉ ବାଲେଶ୍ବରରେ ମହିଳା ପ୍ରାର୍ଥୀ ହେଲେ ବିଜେଡି ଲୋକସଭା ନିର୍ବାଚନରେ ୩୩% ମହିଳାଙ୍କୁ ସଂରକ୍ଷଣ ଦେଇପାରିବ। ବିଜେଡି ୨୦୧୯ରେ କୋରାପୁଟ, ଆସିକା, କେନ୍ଦୁଝର, ଯାଜପୁର, ଭଦ୍ରକ, ଜଗତସିଂହପୁର ଓ ସୁନ୍ଦରଗଡ଼ରେ ମହିଳା ପ୍ରାର୍ଥୀ ଦେଇଥିବାବେଳେ ଏଥର ଆସିକାରେ ରଂଜିତା ସାହୁ, କୋରାପୁଟରେ କୌଶଲ୍ୟା ହିକ୍କା, ଜଗତସିଂହପୁରରେ ରାଜଶ୍ରୀ ମଲ୍ଲିକ, ଯାଜପୁରରୁ ଶର୍ମିଷ୍ଠା ସେଠୀ, ଭଦ୍ରକରେ ମଞ୍ଜୁଲତା ମଣ୍ଡଳଙ୍କୁ ପ୍ରାର୍ଥୀ କରିଛି। ଦଳ କେନ୍ଦୁଝର ଓ ସୁନ୍ଦରଗଡ଼ରେ ମହିଳା ପ୍ରାର୍ଥୀ ଦେଇନଥିବାବେଳେ ବରଗଡ଼ରେ ପରିଣିତା ମିଶ୍ରଙ୍କୁ ପ୍ରାର୍ଥୀ କରିଛି। ତେଣୁ ଏବେ ଘୋଷଣା ହୋଇନଥିବା ବାଲେଶ୍ବର ଆସନରେ ବିଜେଡି ମହିଳାଙ୍କୁ ପ୍ରାର୍ଥୀ କରିପାରେ ବୋଲି ଆଲୋଚନା ହେଉଛି।
ଅପରପକ୍ଷେ କଂଗ୍ରେସ ବର୍ତ୍ତମାନ ସୁଦ୍ଧା ୮ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବାବେଳେ ଏଥିରେ କେବଳ ଗୋଟିଏ ଆସନ କଳାହାଣ୍ଡିରେ ଦ୍ରୌପଦୀ ମାଝୀଙ୍କୁ ପ୍ରାର୍ଥୀ କରିଛି। ତେଣୁ କଂଗ୍ରେସକୁ ମହିଳାଙ୍କୁ ୩୩% ସଂରକ୍ଷଣ ଦେବାକୁ ହେଲେ ଆଉ ୧୩ଟିରୁ ୬ଟି ଆସନରେ ମହିଳାଙ୍କୁ ପ୍ରାର୍ଥୀ କରିବାକୁ ପଡ଼ିବ। କିନ୍ତୁ କଂଗ୍ରେସ ଏବଂ ସହଯୋଗୀ ଦଳ ୨୦୧୯ ନିର୍ବାଚନରେ ମାତ୍ର ୩ଟି ଆସନରେ ମହିଳାଙ୍କୁ ପ୍ରାର୍ଥୀ କରିଥିଲେ।