୩୨ଥର ହାରି ମଧ୍ୟ ଜିତିବାର ଆଶା ଛାଡ଼ି ନାହାନ୍ତି ଓଡ଼ିଶାର ଡାକ୍ତର ଶ୍ୟାମ ବାବୁ, ଆସ୍କା ଏବଂ ବ୍ରହ୍ମପୁରରୁ ସ୍ୱାଧୀନ ଭାବେ ଲଢ଼ିବେ ନିର୍ବାଚନ

ପୁରୀ : ଏପ୍ରିଲ ୧୧ତାରିଖରେ ୨୦୧୯ ଲୋକସଭା ନିର୍ବାଚନ ଆରମ୍ଭ ହେଉଥିବା ବେଳେ ଓଡ଼ିଶାରୁ ଲୋକସଭା ପ୍ରାର୍ଥୀ ଥିବା ଡ଼ାକ୍ତର ଶ୍ୟାମ ବାବୁଙ୍କ କାହାଣୀ ଏବେ ଚର୍ଚ୍ଚାରେ ରହିଛି । ୧୯୬୨ମସିହାଠାରୁ ସେ ନିର୍ବାଚନ ଲଢ଼ି ଆସୁଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ସେ ଜିତିବାରେ ସଫଳ ହୋଇ ନାହାନ୍ତି । ୩୨ଥର ହାରି ମଧ୍ୟ ସେ ୮୪ବର୍ଷ ବୟସରେ ପୁଣି ଥରେ ଆସନ୍ତା ଲୋକସଭା ନିର୍ବାଚନ ଲଢ଼ିବାକୁ ଯାଉଥିବା ଜଣା ପଡ଼ିଛି । ୩୨ବର୍ଷ ମଧ୍ୟରେ ସ୍ୱାଧୀନ ଭାବେ ଡ଼ାକ୍ତର ଶ୍ୟାମ ବାବୁ ସୁବୁଧି ରାଜ୍ୟସଭା, ବିଧାନସଭା ଏବଂ ଲୋକସଭା ପାଇଁ ନିର୍ବାଚନ ଲଢ଼ି ସାରିଛନ୍ତି ।

ଏ ନେଇ ତାଙ୍କୁ ପ୍ରଶ୍ନ କରାଯିବା ପରେ, ମୁଁ ୩୨ଥର ନିର୍ବାଚନ ଲଢ଼ିଛି । ମୋତେ ସଫଳତା ମିଳି ନଥିଲେ ମଧ୍ୟ ମୁଁ ଭ୍ରଷ୍ଟାଚାର ବିରୋଧରେ ସଂଘର୍ଷ ଜାରି ରଖିବି । ଆଗାମୀ ଲୋକସଭା ନିର୍ବାଚନରେ ମୁଁ ପୁଣି ଲଢ଼ିବା ପାଇଁ ମନସ୍ତ କରିଥିବା ବେଳେ ମୋର ଚିହ୍ନ ରହିଛି ବ୍ୟାଟ୍‌ । ସେଥିରେ ପିଏମ୍‌ ପ୍ରାର୍ଥୀ ବୋଲି ମଧ୍ୟ ଲେଖା ଯାଇଛି । ମୁଁ ଏଥର ଆସ୍କା ଏବଂ ବ୍ରହ୍ମପୁରରୁ ଲୋକସଭା ନିର୍ବାଚନ ଲଢ଼ିବି । ମୋ ପାଇଁ ମୁଁ ନିଜେ ଟ୍ରେନ୍‌, ବସ୍‌ ଏବଂ ମାର୍କେଟକୁ ଯାଇ ପ୍ରଚାର କରିବା ଆରମ୍ଭ କରିଛି । ହାରେ କି ଜିତେ, କିନ୍ତୁ ମୁଁ ଭ୍ରଷ୍ଟାଚାର ବିରୋଧରେ ଲଢ଼େଇ ଜାରି ରଖିବି ବୋଲି କହିଛନ୍ତିି ଶ୍ୟାମ ବାବୁ ସୁବୁଧି ।

ସୂଚନା ମୁତାବକ, ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ଭୋଟ୍‌ ହେବାକୁ ଥିବା ବେଳେ ମତଦାନ ଏପ୍ରିଲ ୧୧ରେ ଆରମ୍ଭ ହୋଇ ଏପ୍ରିଲ ୨୯ରେ ଶେଷ ହେବ । ପ୍ରଥମ ପର୍ଯ୍ୟାୟ ମତଦାନ ଏପ୍ରିଲ ୧୧ ହେବାକୁ ଥିବା ବେଳେ ଦ୍ୱିତୀୟଟି ଏପ୍ରିଲ ୧୮, ତୃତୀୟଟି ଏପ୍ରିଲ ୨୩ ଏବଂ ଚତୁର୍ଥଟି ଏପ୍ରିଲ ୨୯ରେ ହେବ ।

ସମ୍ବନ୍ଧିତ ଖବର