କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ ବିଜେପିର ଦବଦବା ଦେଖିବାକୁ ମିଳିଛି। କେନ୍ଦୁଝର, ତେଲକୋଇ ଓ ପାଟଣା ଆସନରେ ବିଜେପି ପ୍ରାର୍ଥୀମାନେ ବିଜୟୀ ହୋଇଛନ୍ତି। ବିଜେପିର ଅନନ୍ତ ନାୟକ ସାଂସଦ ଭାବେ ବାଜିମାତ୍‌ କରିଛନ୍ତି। ତେବେ, ଘସିପୁରା, ଆନନ୍ଦପୁର ଓ ଚମ୍ପୁଆ ଆସନ ବିଜେଡି ଖାତାକୁ ଯାଇଛି। କେନ୍ଦୁଝର ଲୋକସଭା ଆସନରେ ବିଜେପିର ଅନନ୍ତ ନାୟକ ଓ ବିଜେଡିର ଧନୁର୍ଜୟ ସିଦୁଙ୍କ ମଧ୍ୟରେ ମୁହାଁମୁହିଁ ଲଢ଼େଇ ହୋଇଥିଲା। ଏଥରେ ଅନନ୍ତ ୯୭ ହଜାର ୪୨ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି। ସେ ୫ ଲକ୍ଷ ୭୩ ହଜାର ୯୨୩ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେଡିର ଧନୁର୍ଜୟ ସିଦୁ ୪ ଲକ୍ଷ ୭୬ ହଜାର ୮୮୧ ଖଣ୍ଡ ଭୋଟ ପାଇଛନ୍ତି। କଂଗ୍ରେସର ବିନୋଦ ବିହାରୀ ନାଏକ ୧ ଲକ୍ଷ ୫ ହଜାର ୨୭୮ ଖଣ୍ଡ ଭୋଟ ପାଇଛନ୍ତି।

Advertisment

କେନ୍ଦୁଝର ବିଧାନସଭା ଆସନରେ ବିଜେପିର ମୋହନ ଚରଣ ମାଝୀ ୧୧ ହଜାର ୫୭୭ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି। ସେ ୮୭ ହଜାର ୮୧୫ ଖଣ୍ଡ ଭୋଟ ପାଇଥିବା ବେଳେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେଡିର ମୀନା ମାଝୀ ୭୬ ହଜାର ୨୩୮ ଖଣ୍ଡ ଭୋଟ ପାଇଛନ୍ତି। କଂଗ୍ରେସର ପ୍ରତିଭା ମଞ୍ଜରୀ ନାୟକ ୧୧ ହଜାର ୯୦୪ଟି ଭୋଟ ପାଇ ତୃତୀୟ ସ୍ଥାନରେ ରହିଛନ୍ତି। ଆନନ୍ଦପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ଓ କଂଗ୍ରେସ ମଧ୍ୟରେ ଲଢ଼େଇ ହୋଇଥିଲା। ବିଜେଡିର ଅଭିମନ୍ୟୁ ସେଠୀ ୧୦ ହଜାର ୯୬୬ ଖଣ୍ଡ ଭୋଟରେ କଂଗ୍ରେସର ଜୟଦେବ ଜେନାଙ୍କୁ ପରାସ୍ତ କରିଛନ୍ତି। ଅଭିମନ୍ୟୁ ୭୧ ହଜାର ୬୫୧ ଖଣ୍ଡ ଭୋଟ ପାଇଥିବା ବେଳେ ଜୟଦେବ ୬୦ ହଜାର ୬୮୫ ଖଣ୍ଡ ଭୋଟ ପାଇଛନ୍ତି। ବିଜେପିର ଆଲୋକ ସେଠୀ ୪୨ ହଜାର ୫୯୧ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଛନ୍ତି।

ଘସିପୁରାରେ ବିଜେଡିର ବଦ୍ରିନାରାୟଣ ପାତ୍ର ୧୩ ହଜାର ୮୧୧ ଖଣ୍ଡ ଭୋଟରେ ବି‌ଜୟୀ ହୋଇଛନ୍ତି। ସେ ମୋଟ୍‌ ୮୨ ହଜାର ୫୧୬ ଖଣ୍ଡ‌ ଭୋଟ ପାଇଛନ୍ତି। ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ସ୍ବାଧୀନ ପ୍ରାର୍ଥୀ ସୌମ୍ୟରଞ୍ଜନ ପଟ୍ଟନାୟକ ୬୮ ହଜାର ୭୦୫ ଖଣ୍ଡ ଭୋଟ ପାଇ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ସେହିପରି ବି‌ଜେପିର ଡ. ଶମ୍ଭୁନାଥ ରାଉତ ୨୩ ହଜାର ୮୧୩ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିବା ବେଳେ ସ୍ବାଧୀନ ପ୍ରାର୍ଥୀ ଦେବେନ୍ଦ୍ରନାଥ ସ୍ବାଇଁ ୨୮୯୭ ଖଣ୍ଡ ଭୋଟ ପାଇ ଚତୁର୍ଥ ଏବଂ କଂଗ୍ରେସର ସୁବ୍ରତ ଚକ୍ର ୨୮୦୭ ଖଣ୍ଡ ଭୋଟ ପାଇ ପଞ୍ଚମ ସ୍ଥାନରେ ରହିଛନ୍ତି। ତେଲକୋଇରେ ବିଜେପିର ଡ. ଫକୀର ମୋହନ ନାଏକ ୯୪୩୯ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି। ସେ ୮୩ ହଜାର ୮୧୮ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେଡିର ମାଧବ ସର୍ଦାର ୭୪ ହଜାର ୩୭୯ ଖଣ୍ଡ ଭୋଟ ପାଇଛନ୍ତି। କଂଗ୍ରେସର ନିର୍ମଳ ଚନ୍ଦ୍ର ନାୟକ ୧୧ ହଜାର ୩୯୫ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଛନ୍ତି।

ଚମ୍ପୁଆରେ ବାଜିମାତ କରିଛନ୍ତି ବିଜେଡିର ସନାତନ ମହାକୁଡ଼। ସେ ୩୯ ହଜାର ୯୯୪ ଖଣ୍ଡ ଭୋଟ ବ୍ୟବଧାନରେ ବିଜେପିର ମୁରଲୀ ମନୋହର ଶର୍ମାଙ୍କୁ ପରାସ୍ତ କରିଛନ୍ତି। ସନାତନ ୧ ଲକ୍ଷ ୩ ହଜାର ୧୨୦ ଖଣ୍ଡ ଭୋଟ ପାଇଛନ୍ତି। ବିଜେପିର ମୁରଲୀ ମନୋହର ଶର୍ମା ୬୩ ହଜାର ୧୨୬ ଖଣ୍ଡ ଭୋଟ ପାଇ ଦ୍ବିତୀୟ ସ୍ଥାନରେ ରହିଥିବା ବେଳେ କଂଗ୍ରେସର ଯଶୋବନ୍ତ ନାରାୟଣ ସିଂହ ଲାଗୁରୀ ୮୬୪୯ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଛନ୍ତି। ସେହିପରି, ପାଟଣାରେ ବିଜେପିର ଅଖିଳ ଚନ୍ଦ୍ର ନାଏକ ୩୭ ହଜାର ୯୭୯ ଖଣ୍ଡ ଭୋଟ ବ୍ୟବଧାନରେ ବିଜେଡି‌ର ଜଗନ୍ନାଥ ନାଏକଙ୍କୁ ପରାସ୍ତ କରିଛନ୍ତି। ସେ ୯୭ ହଜାର ୦୪୧ଖଣ୍ଡ ଭୋଟ ପାଇଥିବା ବେଳେ ଜଗନ୍ନାଥ ୫୯ ହଜାର ୦୬୨ ଖଣ୍ଡ ଭୋଟ ପାଇ ଦ୍ବିତୀୟ ସ୍ଥାନରେ ରହିଛନ୍ତି। କଂଗ୍ରେସର ହୃଷୀକେଶ ନାଏକ ୯୮୭୧ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଛନ୍ତି।