ଜୟପୁର: ଜାତୀୟ ଆଇନ ସେବା ପ୍ରାଧିକରଣ ଓ ରାଜ୍ୟ ଆଇନ ସେବା ପ୍ରାଧିକରଣ ନିର୍ଦ୍ଧେଶରେ ଆଜି ଜିଲ୍ଲା କୋର୍ଟ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଓ ଦୌରା ଜଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ସତ୍ୟ ନାରାୟଣ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଜିଲ୍ଲା ନ୍ୟାୟଳୟ କୋରାପୁଟ-ଜୟପୁର, କୋରାପୁଟ, ବୋରିଗୁମ୍ମା, କୋଟପାଡ, ଲକ୍ଷ୍ମୀପୁର, ଦଶମନ୍ତପୁର, ସେମିଳିଗୁଡା, ଲମତାପୁଟ-କୋରାପୁଟର ସମସ୍ତ ଅଦାଲତ ମାନଙ୍କରେ ରାଷ୍ଟୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଥିଲା। ସ୍ବାମୀ ଓ ସ୍ତ୍ରୀ ମଧ୍ୟରେ ଲାଗି ରହିଥିବା ଦୀର୍ଘ ବହୁ ବର୍ଷର ପାରିବାରିକ ବିବାଦ ମାମଲାର ଆପୋଷ ବୁଝାମଣା କରି ପୁନଃର୍ବାର ମିଳାମିଶା କରାଯାଇଥିଲା।
ଜିଲ୍ଲା ନ୍ୟାୟଳୟ କୋରାପୁଟ-ଜୟପୁର ଅଦାଲତରେ ଜିଲ୍ଲା ଓ ଦୌରା ଜଜ ତଥା ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ମିଶ୍ର, ପରିବାର ଅଦାଲତ, ବିଚାରପତି ପବିତ୍ର ମୋହନ ସାମଲ, ଶ୍ରମ ଅଦାଲତ ବିଚାରପତି ବିଦ୍ୟାଧର ପୃଷ୍ଟି, ଶ୍ରମ ଅଦାଲତ, ବରିଷ୍ଠ ଦେବାନି ବିଚାରପତି ରେଖାରଣୀ ପଣ୍ଡା, ବରିଷ୍ଠ ଦେବାନି ବିଚାରପତି(ମହିଳା ଅଦାଲତ) ସୁମନ ଜେନା, ବିଚାରପତି, ସ୍ଥାୟୀ ଓ ନିରନ୍ତର ଲୋକ ଅଦାଲତ ତଥା ସଚିବ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସନ୍ତୋଷ କୁମାର ବାରିକ, ଉପଖଣ୍ଡ ଦଣ୍ଡାଧିକାରି ଆଦର୍ଶ କୁମାର ବେହେରା, ପ୍ରଥମ ଶ୍ରେଣୀ ବିଚାର ବିଭାଗ ଦଣ୍ଡାଧିକାରି ପ୍ରମୁଖ ଭାଗ ନେଇ ପୃଥକ ପୃଥକ ଭାବେ କୋର୍ଟ କରି ବିଭିନ୍ନ ମକଦ୍ଧମା ଗୁଡିକର କରିଥିଲେ।
ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ୧୭ ଗୋଟି ମୋଟର ଦୁର୍ଘଟଣା ଜନିତ କ୍ଷତି ପୂରଣ ମାମଲାର ଫଇସଲା କରି ବୀମା କମ୍ପାନୀ ମାନଙ୍କୁ କ୍ଷତି ପୂରଣ ବାବଦରେ ଆଦେଶ ଦେଇ ଆବେଦନକାରୀ (ବାଦି)ମାନଙ୍କୁ ୨କୋଟି୨୧ଲକ୍ଷ ୧୫,୦୦୦/- ଟଙ୍କ। କ୍ଷତି ପୂରଣ ଦେବା ପାଇଁ ଧାର୍ଯ୍ୟ କରାଯାଇଅଛି। ସେହିପରି ୧୪ ଗୋଟି ବ୍ୟାଙ୍କ ରୁଣ ମାମଲାର ବିଚାର କରାଯାଇ ୧୦ ଲକ୍ଷ ୫୨ହଜାର ୦୫୭/- ଟଙ୍କା, ୪୮ଟି ଏନଆଇ ଆକ୍ଟ (N.I. Act) ମାମଲା ଫଇସଲା କରାଯାଇ ୨କୋଟି୬୪ଲକ୍ଷ ୮୫ହଜାର ୬୯୬/- ଟଙ୍କା ଧାର୍ଯ୍ୟ କରାଯାଇଅଛି। ସେହିପରି ୦୨ ଟି ସାଲିସ ଯୋଗ୍ୟ ମାମଲା, ୧୮ ଗୋଟି ବୈବାହିକ ମାମଲା ସହିତ ୨ଲକ୍ଷ ୯୬ହଜାର ୬୫୦/- ଟଙ୍କା ଧାର୍ଯ୍ୟ କରାଯାଇଛି। ୧୯ ଗୋଟି ଅନ୍ୟାନ୍ୟ ଦେୱାନି ମାମଲା ଓ ୧୪୦ ଗୋଟି ଅନ୍ୟାନ୍ୟ ଫୌଜଦାରୀ ମାମଲାର ମଧ୍ୟ ଫଇସଲା ହେଇଛି। ଏତଦ୍ ବ୍ୟତୀତ ପ୍ରାକଃ ମାମଲା ଶ୍ରେଣୀ ରେ ୮୮ଗୋଟି ବ୍ୟାଙ୍କ ରୁଣ ମାମଲା ବିଚାର କରାଯାଇ ୫୩ଲକ୍ଷ,୬୭ହଜାର ,୦୧୮/- ଟଙ୍କା, ୯ ଗୋଟି ଶ୍ରମ ମାମଲା ରେ ୪୨ଲକ୍ଷ,୦୩ହଜାର ୮୩୪/- ଟଙ୍କା, ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ତିନୋଟି ପରିବାରରେ ସ୍ଵାମୀ ଓ ସ୍ତ୍ରୀ ବହୁଦିନ ଧରି ପୁଅଝିଅଙ୍କୁ ଛାଡି ଅଲଗା ରହୁଥିଲେ। ପାରିବାର ଅଦାଲତ ହସ୍ତକ୍ଷେପ ପରେ ଏହି ତିନୋଟି ପରିବାର ମିଳିମିଶି ରହିବାକୁ ରାଜି ହୋଇଥିଲେ। ଜିଲ୍ଲା ଜଜଙ୍କ ଠାରୁ ଏମାନେ ଆଶୀର୍ବାଦ ଗ୍ରହଣ କରିଥିଲେ । ଅଦାଲତ ବେଞ୍ଚ ମାନଙ୍କରେ ଆଇନଜୀବି ଶଶାନନ୍ଦ ମିଶ୍ର, ମନୋଜମଳ ଦୀନବନ୍ଧୁ, ଶରତ କୁମାର ମାଝି, ଆନନ୍ଦ ରଥ, ସସ୍ମିତା ଦଣ୍ଡସେନା, ଗୁପ୍ତ ସାବତ, ନବୀନ କୁମାର ସାହୁ, ଅଜିତ କୁମାର ମଣ୍ଡଳ ପ୍ରମୁଖ ସହଯୋଗ କରିଥିଲେ।