ପୁରୀରେ ୨୦ରୁ ଲୋକ ମେଳା: ମୁକ୍ତାକାଶ ରଙ୍ଗମଞ୍ଚରେ ଆୟୋଜିତ ହେବ ସାଂସ୍କୃତିକ ମହୋତ୍ସବ

ପୁରୀ: ବିଶ୍ବ ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ପୁରୀରେ ବିଂଶତମ ଲୋକ ମେଳା-୨୦୨୨ ଆୟୋଜିତ ହେବ । ଚଳିତ ମାସ ୨୦ରୁ ୨୪ ତାରିଖ ପର୍ଯ୍ୟନ୍ତ ଶ୍ରୀକ୍ଷେତ୍ରର ଶରଧାବାଲିସ୍ଥିତ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟବର୍ତ୍ତୀ ମୁକ୍ତାକାଶ ରଙ୍ଗମଞ୍ଚରେ ଆୟୋଜିତ ହେବ ଏହି ଲୋକ ସାଂସ୍କୃତିକ ମହୋତ୍ସବ । ଅଣଲାଭକାରୀ ସ୍ବେଚ୍ଛାସେବୀ ସଂଗଠନ ଶ୍ରୀ ଶ୍ରୀକ୍ଷେତ୍ର ସୂଚନା (ଏସଏସଏସ) ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଏସଏସଏସ ସଂଗଠନ ଲୋକ କଳା ଏବଂ ଅଭିବ୍ୟକ୍ତିକୁ ପ୍ରୋତ୍ସାହନ ପ୍ରଦାନ କରିବା ସହିତ ସାଂସ୍କୃତିକ ସୁରକ୍ଷା ଏବଂ ପ୍ରୋତ୍ସାହନ ଦିଗରେ କାର୍ଯ୍ୟ କରିଥାଏ ।

ଓଡ଼ିଶା ଏକ ଜନଜାତି ବହୁଳ ରାଜ୍ୟ । ଏଠାରେ ୬୨ଟି ଜନଜାତି ସମ୍ପ୍ରଦାୟ ଓ ଦେଶର ୨୨%ରୁ ଅଧିକ ଜନଜାତି ବର୍ଗର ଲୋକ ରହିଥାନ୍ତି । ରାଜ୍ୟରେ ଜନଜାତି ସଂସ୍କୃତିର ଅଭିନବ ସମାହାର ଦେଖିବାକୁ ମିଳିଥାଏ ।  ଏପରିକି ପୁରାଣରେ ମଧ୍ୟ ବର୍ଣ୍ଣିତ ଅଛି ଯେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମୂଳ ସ୍ବରୂପ ନୀଳମାଧବଙ୍କୁ ଆଦିବାସୀ ରାଜା ବିଶ୍ବାବସୁ ପୂଜା କରୁଥିଲେ । ରାଜ୍ୟର ସାମାଜିକ, ଆର୍ଥିକ ଏବଂ ସାଂସ୍କୃତିକ ଜୀବନ ଉପରେ ଜନଜାତି ସମୁଦାୟର ବ୍ୟାପକ ପ୍ରଭାବ ଦେଖିବାକୁ ମିଳିଥାଏ । ଦ୍ରୁତ ଆଧୁନିକୀକରଣ କାରଣରୁ ପାରମ୍ପରିକ ଲୋକ ଏବଂ ଜନଜାତି ସଂସ୍କୃତି ଉପରେ ବିପଦ ମାଡ଼ି ଆସଛି ଫଳରେ ଏହା ଧୀରେ ଧୀରେ ବିଲୁପ୍ତ ହେବାକୁ ଯାଉଛି । ଏହାକୁ ଦୃଷ୍ଟିରେ ରଖି ଲୋକ ମେଳା ଆଦିବାସୀ କଳା ସଂସ୍କୃତିର ପ୍ରୋତ୍ସାହନ ଦିଗରେ ବିଶେଷ ସହାୟକ ହୋଇ ପାରିବ ବୋଲି ଆଶା କରାଯାଉଛି ।

 

ସମ୍ବନ୍ଧିତ ଖବର