ଆକାଶବାଣୀ ଗୀତିକାର ଲୋକଜନନୀ ପଣ୍ଡାଙ୍କ ପରଲୋକ

ସମ୍ବଲପୁରୀ ଭାଷାର ପ୍ରଥମ ସ୍ବୀକୃତିପ୍ରାପ୍ତ ମହିଳା ଗୀତିକାର ଥିଲେ

ସମ୍ବଲପୁର : ସ୍ବନାମଧନ୍ୟ ଆକାଶବାଣୀ ଗୀତିକାର ଲୋକଜନନୀ ପଣ୍ଡା (୮୬ ବର୍ଷ)ଙ୍କ ବୁଧବାର ତାଙ୍କ ସମ୍ବଲପୁର ଧନୁପାଲିସ୍ଥିତ ବାସଭବନରେ ପରଲୋକ ହୋଇଛି। ଗତ କିଛି ଦିନ ହେଲା ସେ ‌ବାର୍ଦ୍ଧକ୍ୟଜନିତ ଅସୁସ୍ଥ ଥିଲେ। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି।

ହୀରାକୁଦ ବୁଡ଼ି ଅଞ୍ଚଳ ରମ୍ପେଲାର ମୂଳନିବାସୀ ବାପା ଗୋକୁଳାନନ୍ଦ ପଣ୍ଡା ଓ ମା ଶକ୍ରାବତୀ ଦେବୀଙ୍କ ଓୗରସରୁ ସମ୍ବଲପୁର ଝାଡ଼ୁଆପଡ଼ାଠାରେ ୧୯୩୪ ମସିହା ଜୁନ ୪ ତାରିଖ ଲୋକଜନନୀଙ୍କ ଜନ୍ମ ହୋଇଥିଲା। ସ୍ଥାନୀୟ ଲେଡିଲୁଇସ୍‌ ସ୍କୁଲ ଓ ଗଙ୍ଗାଧର ମେହେର ଜଲେଜରେ ସେ ଅଧ୍ୟୟନ କରିଥିଲେ। ୧୯୫୨ ମସିହା ବେଳକୁ ଗଙ୍ଗାଧର ମେହେର କଲେଜରେ ଅଧ୍ୟୟନ କରୁଥିବା ୫ ଜଣ ଛାତ୍ରୀଙ୍କ ମଧ୍ୟରୁ ଲୋକଜନନୀ ଥିଲେ ଅନ୍ୟତମ। ଲୋକଜନନୀ ଉଭୟ କଟକ ଓ ସମ୍ବଲପୁର ଆକାଶବାଣୀର ପ୍ରଥମ ସ୍ବୀକୃତିପ୍ରାପ୍ତ ଗୀତିକାର ଥିଲେ। ୧୯୬୦ ମସିହାରୁ ସେ କଟକ ଆକାଶବାଣୀ ପାଇଁ ଗୀତ ରଚନା କରିଥିଲେ। ତାଙ୍କ ରଚିତ ବହୁ ଆଦୃତ ଗୀତ ଗୁଡ଼ିକରେ ତତ୍‌କାଳୀନ ପ୍ରଖ୍ୟାତ କଣ୍ଠଶିଳ୍ପୀ ବାଳକୃଷ୍ଣ ଦାଶ, ରଘୁନାଥ ପାଣିଗ୍ରାହୀ, ଅର୍ଜୁନ ଚରଣ ସାମଲ, ଅକ୍ଷୟ ମହାନ୍ତି, ତାନସେନ୍‌ ସିଂଙ୍କଠାରୁ ଆରମ୍ଭ କରି ସୁବାସ ଦାସ, ଗୀତା ପଟ୍ଟନାୟକ, ଆରତି ମିଶ୍ର ପ୍ରମୁଖ କଣ୍ଠଦାନ କରିଛନ୍ତି। ‌

ସମ୍ବଲପୁରୀ ଭାଷାର ପ୍ରଥମ ସ୍ବୀକୃତିପ୍ରାପ୍ତ ମହିଳା ଗୀତିକାର ଲୋକଜନନୀଙ୍କ ସମ୍ବଲପୁରୀ ଗୀତ ୧୯୬୬ ମସିହାରେ କଟକ ଆକାଶବାଣୀରୁ ପ୍ରସାରିତ ହୋଇଥିଲା। ତାଙ୍କ ଦ୍ବାରା ରଚିତ ସମ୍ବଲପୁରୀ ଗୀତ ଗୁଡ଼ିକରେ ପୂର୍ଣ୍ଣପ୍ରଭା ବହିଦାର (ପାଣିଗ୍ରାହୀ), ବିଭୂତି ପଟ୍ଟନାୟକ, ଜ୍ୟୋତ୍ସ୍ନା ରାଉତରାୟ, ଅକ୍ଷୟ ମହାନ୍ତି, ରାଜା ରଥ ପ୍ରମୁଖ କଣ୍ଠଦାନ କରିଛନ୍ତି। ଲୋକଜନନୀ ହେଉଛନ୍ତି ଅତିବଡ଼ୀ ସମ୍ମାନପ୍ରାପ୍ତ ପ୍ରଖ୍ୟାତ କବି ସ୍ବର୍ଗତ ଉମାଶଂକର ପଣ୍ଡାଙ୍କ ପତ୍ନୀ। ଶେଷ ସମୟରେ ତାଙ୍କର ୪ ପୁଅ ଅବସରପ୍ରାପ୍ତ ସୂଚନା ଓ ଲୋକସଂପର୍କ ବିଭାଗ ନିର୍ଦ୍ଦେଶକ ତଥା ଓଡ଼ିଶା ସରକାରଙ୍କ ଅତିରିକ୍ତ ସଚିବ ବିଶିଷ୍ଟ ଗବେଷକ ଐତିହାସିକ ଶଶାଙ୍କ ଶେଖର ପଣ୍ଡା, ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟର ଅବସରପ୍ରାପ୍ତ ଉପ ମହାପ୍ରବନ୍ଧକ ଉଦୟନ ପଣ୍ଡା, ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କର ଆଞ୍ଚଳିକ ପ୍ରବନ୍ଧକ ସୌଭାଗ୍ୟ ପଣ୍ଡା, ପୂର୍ବତନ ଏଡିସନାଲ ପବ୍ଲିକ ପ୍ରସିକ୍ୟୁଟର ତଥା ଡିସିଡବ୍ଲୁସିର ଚେୟାରମ୍ୟାନ ବ୍ରଜେନ୍ଦ୍ର କିଶୋର ପଣ୍ଡା ଏବଂ ଝିଅ ଜୟଶ୍ରୀ ପଣ୍ଡା, ଜ୍ବାଇଁ ଗଙ୍ଗାଧର ମେହେର କଲେଜର ପୂର୍ବତନ ଅଧ୍ୟକ୍ଷ ଡ.ପ୍ରଦୀପ ପଣ୍ଡା, ବୋହୂ, ନାତିନାତୁଣୀ ଉପସ୍ଥିତ ଥିଲେ।

ସନ୍ଧ୍ୟାରେ ମହାନଦୀ କୂଳ ରାଜଘାଟରେ ଲୋକଜନନୀଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। କନିଷ୍ଠ ପୁତ୍ର ବ୍ରଜେନ୍ଦ୍ର ମୁଖାଗ୍ନି ଦେଇଥିଲେ। ପ୍ରଫେସର ବିଜୟ ପ୍ରଧାନ, ପ୍ରଫେସର, ସନ୍ତୋଷ ଦାଶ, ପ୍ରଦୀପ ପାଢ଼ୀ, ଧ୍ରୁବ ପଣ୍ଡା, ହୀରାକୁଦ କଲେଜର ଅଧ୍ୟକ୍ଷା ଜ୍ୟୋତ୍ସ୍ନାମୟୀ ମିଶ୍ରଙ୍କ ସମେତ ଅନ୍ୟମା‌ନେ ପାର୍ଥିବ ଶରୀରର ଶେଷ ଦର୍ଶନ କରିଥିଲେ।

ସମ୍ବନ୍ଧିତ ଖବର