ଝୁରୁଛି ସଙ୍ଗୀତ, ଝୁରୁଛି ଶ୍ରୋତା: ଲୋକାରଣ୍ୟ ‘ମଣିମାନସ’

ଝୁରୁଛି ସଙ୍ଗୀତ, ଝୁରୁଛି ଶ୍ରୋତା। ଝୁରୁଛି ବାଦ୍ୟ ପୁଣି ଝୁରୁଛି ମଞ୍ଚ। କମଳଦେଶର ନୁହେଁ ଉତ୍କଳ ମାଟିର ରାଜକୁମାର ଆଜି ମାଟି ମା’ର କୋଳଶୂନ୍ୟ କରି କେଉଁ ଏକ ଅଜଣା ରାଇଜକୁ ଚାଲିଯାଇଛନ୍ତି। ପଛରେ ଛାଡ଼ି ଯାଇଛନ୍ତି କୋହଭରା ଛାତି, ଛଳଛଳ ଆଖି ଓ ବିରାଟ ଶୂନ୍ୟତା। ସ୍ତବ୍ଧ ହୋଇଯାଇଛି ସଙ୍ଗୀତ, ସୃଜନ ଓ ସାରସ୍ବତ ଦୁନିଆ। ତାଙ୍କର ଭିନ୍ନ ଧରଣର ଗୀତ ରଚନା, ନିଆରା ସ୍ବର ସଂଯୋଜନା ଓ ଚପଳତାଭରା ସ୍ବର ତାଙ୍କୁ କରୁଥିଲା କୋଟିଏରେ ଗୋଟିଏ। ସେ ଥିଲେ ଅନେକଙ୍କର ପ୍ରେରଣା ଓ ଆଦର୍ଶ। ତାଙ୍କର ପ୍ରଚଣ୍ଡ ପ୍ରତିଭା ଓଡ଼ିଆ ସଙ୍ଗୀତ ଜଗତକୁ କରିଛି ସମୃଦ୍ଧ, ସଫଳ ଓ ନମନୀୟ। ନାମ ତାଙ୍କର ପ୍ରଫୁଲ୍ଲ କର। ନାଁ ଭଳି ତାଙ୍କ ମୁଖମଣ୍ଡଳ ବି ଥିଲା ସବୁବେଳେ ପ୍ରଫୁଲ୍ଲ ଓ ପ୍ରସନ୍ନ। ତାଙ୍କ ଗୀତ ଯେମିତି ଶ୍ରୋତାଙ୍କୁ ହସାଇ ହସାଇ ଗଡ଼ାଉଥିଲା; ତାଙ୍କ ମୁଖମଣ୍ଡଳ ବି ଲୋକଙ୍କୁ ଖୁସି କରାଇଦେଉଥିଲା। କିନ୍ତୁ ଗତକାଲି ରାତିରେ ଏହି ଖୁସିମିଜାଜ୍‌ ମଣିଷ ଓଡ଼ିଶାକୁ ଶୋକସାଗରେ ଭସାଇ ଦେଇ ଚାଲିଯାଇଛନ୍ତି। ତାଙ୍କ ପାର୍ଥିବ ଶରୀର ପଞ୍ଚଭୂତରେ ଲୀନ ହୋଇଥିବା ବେଳେ ‘ସମ୍ବାଦ’ ପକ୍ଷରୁ ତାଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ବର: କିମ୍ବଦନ୍ତୀ ସଂଗୀତଜ୍ଞ ପ୍ରଫୁଲ୍ଲ କରଙ୍କର ଆଜି ପୁରୀ ସ୍ବର୍ଗଦ୍ବାରରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ସକାଳୁ ସକାଳୁ ତାଙ୍କର ଶେଷ ଦର୍ଶନ ପାଇଁ ସତ୍ୟନଗରସ୍ଥିତ ବାସଭବନ ‘ମଣିମାନସ’ ଲୋକାରଣ୍ୟ ହୋଇଯାଇଥିଲା। ବହୁ ବିଶିଷ୍ଟ ବ୍ୟକ୍ତିଙ୍କର ସୁଅ ଛୁଟିଥିଲା। ସଙ୍ଗୀତ ଦୁନିଆଠାରୁ ଆରମ୍ଭ କରି ରାଜନୈତିକ, ଚଳଚ୍ଚିତ୍ର ଓ ସାରସ୍ବତ ଜଗତର ବହୁ ବ୍ୟକ୍ତିତ୍ବଙ୍କ ଭିଡ଼ ଜମିଥିଲା।

ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ‌ପହଞ୍ଚି ସ୍ବର୍ଗତ କରଙ୍କ ମରଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଓଡ଼ିଶାର ସାଂସ୍କୃତିକ ଜଗତରେ ଏକ ବିଶାଳ ଶୂନ୍ୟସ୍ଥାନ ସୃଷ୍ଟି ହେଲା ବୋଲି ରାଜ୍ୟପାଳ ମତବ୍ୟକ୍ତ କରିଥିଲେ। ମନ୍ତ୍ରୀ ପ୍ରତାପ ଜେନା, ଜ୍ୟୋତିପ୍ର‌କାଶ ପାଣିଗ୍ରାହୀ ଓ ସମୀର ଦାଶ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବିଧାୟକ ଦେବୀ ମିଶ୍ର, ଅତନୁ ସବ୍ୟସାଚ୍ଚୀ ନାୟକ, ଅନନ୍ତ ନାରାୟଣ ଜେନା ଓ ସୁଶାନ୍ତ ରାଉତ, ସାଂସଦ ତଥା ଅଭିନେତା ପ୍ରଶାନ୍ତ ନନ୍ଦ, ସାଂସଦ ଅପରାଜିତା ଷଡ଼ଙ୍ଗୀ, ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଓ ଜିଲ୍ଲା ସଭାପତି ବାବୁ ସିଂହ, ଅଭିନେତା ସିଦ୍ଧାନ୍ତ ମହାପାତ୍ର, ଆକାଶ ଦାସ ନାୟକ, ସଙ୍ଗୀତଜ୍ଞ ଲକ୍ଷ୍ମୀକାନ୍ତ ପାଲିତ୍‌ ପୂର୍ବତନ ବିଧାୟକ ଦିଲ୍ଲୀପ ଶ୍ରୀଚନ୍ଦନ ଓ ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ ପ୍ରମୁଖ ସ୍ବର୍ଗତ କରଙ୍କ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ମୁଖ୍ୟ ସଚିବ ସୁରେଶ ମହାପାତ୍ର, ଉନ୍ନୟନ କମିସନର୍‌ ପ୍ରଦୀପ କୁମାର ଜେନା ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ମଧୁସୂଦନ ପାଢ଼ୀ ପ୍ରମୁଖ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଓଡ଼ିଆ ସଙ୍ଗୀତ ଜଗତରେ ପ୍ରଫୁଲ୍ଲ କରଙ୍କ ଭଳି ଜଣେ ମହାନ୍‌ ପ୍ରତିଭା ଆଉ କେବେ ବି ସୃଷ୍ଟି ହେବେ ନାହିଁ। ସଙ୍ଗୀତ ଦୁନିଆରେ ଏକ ଯୁଗର ଅବସାନ ଘଟିଲା ବୋଲି ସେମାନେ ପ୍ରତିକ୍ରିୟାରେ କହିଥିଲେ। ସ୍ବର୍ଗତ କରଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମସ୍ତେ ସାନ୍ତ୍ବନା ଜଣାଇଥିଲେ। ସ୍ବର୍ଗତ କରଙ୍କ ପତ୍ନୀ ମନୋରମା କର, ଦୁଇ ପୁଅ ମହାଦୀପ ଓ ମହାପ୍ରସାଦ କର, ଝିଅ ସନ୍ଧ୍ୟାଦୀପା କରଙ୍କ ସମେତ ଦୁଇ ବୋହୂ, ନାତିନାତୁଣୀ ଉପସ୍ଥିତ ଥିଲେ।

ମଧ୍ୟାହ୍ନ ପ୍ରାୟ ୧୨ଟା ୧୫ରେ ସ୍ବର୍ଗତ କରଙ୍କ ପାର୍ଥିବ ଶରୀରକୁ ସୁସଜ୍ଜିତ ଗାଡ଼ିକୁ ଅଣାଯାଇଥିଲା। ପ୍ରଫୁଲ୍ଲ କର ଅମର ରହେ ଧ୍ବନିରେ ସ୍ଥାନୀୟ ଅଞ୍ଚଳ ପ୍ରକମ୍ପିତ ହୋଇଥିଲେ। ବହୁ ସଂଖ୍ୟାରେ ଶୁଭେଚ୍ଛୁ, ପ୍ରଶଂସକ ଓ ସତ୍ୟନଗରବାସିନ୍ଦା ଶେଷ ଯାତ୍ରାରେ ସାମିଲ ହୋଇ ଓଡ଼ିଶା ମାଟିର ଏହି ବରପୁତ୍ରଙ୍କୁ ଅଶ୍ରୁଳ ବିଦାୟ ଜଣାଇଥିଲେ। ଏହା ପରେ ତାଙ୍କ ପାର୍ଥିବ ଶରୀରକୁ ସଂସ୍କୃତି ଭବନ ନିଆଯାଇଥିଲା। ସେଠାରେ ସଂସ୍କୃତି ନିର୍ଦ୍ଦେଶକ ରଞ୍ଜନ ଦାସଙ୍କ ସମେତ ବିଭାଗର ସମସ୍ତ ଅଧିକାରୀ, କର୍ମଚାରୀ, ବିଭିନ୍ନ ଏକାଡେମିର କର୍ମକର୍ତ୍ତା ‌ଶେଷଦର୍ଶନ କରିଥିଲେ। ସେଠାରୁ ପୁରୀ ଅଭିମୁଖେ ପ୍ରଫୁଲ୍ଲ କରଙ୍କ ଶେଷ ଯାତ୍ରା ଆରମ୍ଭ ହୋଇଥିଲା। ଆଜି ତାଙ୍କ ପାର୍ଥିବ ଶରୀରକୁ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ନିଆଯିବାର ଯୋଜନା ଥିଲେ ହେଁ ରାଜଧାନୀରେ ଚାଳକ ମହାସଂଘର ବିକ୍ଷୋଭ ଯୋଗୁଁ ଏହି କାର୍ଯ୍ୟକ୍ରମକୁ ବାତିଲ୍‌ କରି ଦିଆଯାଇଥିଲା।

ଜେଜେ ମା’ଙ୍କ ନାମରେ ଘର
ପ୍ରଫୁଲ୍ଲ କର ନିଜ ଜୀବନସାରାର ପାରିଶ୍ରମିକରେ ସତ୍ୟନଗରଠାରେ ନିର୍ମାଣ କରିଥିଲେ ନିଜ ସ୍ୱପ୍ନର ବାସଭବନ। ନାମ ରଖିଥିଲେ ‘ମଣିମାନସ’। ସ୍ବର୍ଗତ କରଙ୍କ ଜେଜେ ମା’ ମଣି ଦେବୀ ଏକ ବଡ଼ ଘରେ ରହିବା ପାଇଁ ଇଚ୍ଛା କରିଥିଲେ। କିନ୍ତୁ ଜୀବଦଶାରେ ତାଙ୍କର ସେ ଇଚ୍ଛା ପୂରଣ ହୋଇ ପାରିନଥିଲା। ମଣି ଦେବୀଙ୍କ ମାନସପଟରେ ଥିବା ଏହି ଘର ନିର୍ମାଣ କରିବା ପରେ ଜେଜେ ମା’ଙ୍କ ନାମରେ ଶ୍ରୀ କର ନିଜ ଘରର ନାମ ‘ମଣିମାନସ’ ରଖିଥିଲେ।

ସମ୍ବନ୍ଧିତ ଖବର