ଭୁବନେଶ୍ୱର : ପାଖାପାଖି ପାଞ୍ଚ ବର୍ଷ ଧରି ନିରବ ରହିବା ପରେ ରାଜ୍ୟ ସରକାର ପୁଣି ଥରେ ଲୋକପାଳ ନିଯୁକ୍ତି ପ୍ରକ୍ରିୟାକୁ ଫେରିବାକୁ ଆପାତତଃ ନିଷ୍ପତ୍ତି ନେଇଛନ୍ତି। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଆସନ୍ତା ଜୁଲାଇ ୧୦ ତାରିଖ ପୂର୍ବରୁ ରାଜ୍ୟରେ ନୂଆ ଲୋକପାଳ ନିଯୁକ୍ତି ହୋଇପାରନ୍ତି। ସମାନ୍ତରାଳ ଭାବେ ଲୋକାୟୁକ୍ତ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ଲାଗି ମଧ୍ୟ ପ୍ରକ୍ରିୟା ଜାରି ରହିବ।

Advertisment

ଲୋକାୟୁକ୍ତ ନିଯୁକ୍ତି ପ୍ରସଙ୍ଗରେ ଗତ ଏପ୍ରିଲ ୧୯ ତାରିଖରେ ସୁପ୍ରିମକୋର୍ଟ ଅତ୍ୟନ୍ତ କଡ଼ା ଆଭିମୁଖ୍ୟ ଗ୍ରହଣ କରିଥିଲେ। ଲୋକାୟୁକ୍ତ ନିଯୁକ୍ତି ବିଳମ୍ବକୁ ନେଇ ସର୍ବୋଚ୍ଚ ଅଦାଲତ ରାଜ୍ୟ ସରକାରଙ୍କ ଉପରେ ଅସନ୍ତୋଷ ଝାଡ଼ିଥିଲେ। ଏଥିସହିତ ରାଜ୍ୟ ସରକାର ଲୋକାୟୁକ୍ତ ନିଯୁକ୍ତି ପାଇଁ ମାଗିଥିବା ୬ମାସର ମହଲତକୁ ମଧ୍ୟ କୋର୍ଟ ଖାରଜ କରିଦେଇଥିଲେ। ବିିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ ଓ ଜଷ୍ଟିସ ଆର୍‌.ଭାନୁମତିଙ୍କୁ ଗଠିତ ଖଣ୍ଡପୀଠ ସିଧା ସିଧା ଜଣାଇଥିଲେ ଯେ ରାଜ୍ୟ ସରକାର ତୁରନ୍ତ ଲୋକାୟୁକ୍ତ ନିଯୁକ୍ତି କରି ଜୁଲାଇ ୧୦ ସୁଦ୍ଧା ଷ୍ଟାଟସ୍‌ ରିପୋର୍ଟ ଦିଅନ୍ତୁ।
ସର୍ବୋଚ୍ଚ ନ୍ୟାୟାଳୟଙ୍କ ଏପରି ନିର୍ଦେଶନାମାକୁ କାର୍ଯ୍ୟକାରୀ କରିବା ଲାଗି ସରକାରୀ ତନାଘନା ଆରମ୍ଭ ହୋଇଛି। ଆସନ୍ତା ୧୦ ତାରିଖ ପୂର୍ବରୁ ରାଜ୍ୟ ସରକାରଙ୍କୁ ଏ ଦିଗରେ ଏକ ସତ୍ୟପାଠ କୋର୍ଟଙ୍କ ନିକଟରେ ଦାଖଲ କରିବାକୁ ହେବ। ଅନ୍ୟଥା ମୁଖ୍ୟଶାସନ ସଚିବଙ୍କୁ ହଲାପଟା ହେବାକୁ ପଡିପାରେ। କିନ୍ତୁ ଏତେ କମ୍‌ ସମୟ ମଧ୍ୟରେ ଲୋକାୟୁକ୍ତ ନିଯୁକ୍ତି କରିବା ସମ୍ଭବ ହୋଇନଥିବାରୁ ନିର୍ଦିଷ୍ଟ କି କି ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯାଇପାରିବ, ସେ ନେଇ ସରକାରୀ ତର୍ଜମା ଜାରି ରହିଛି।

ଗତ ମାର୍ଚ୍ଚ ୨୩ ତାରିଖରେ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶ ମୁତାବକ, ଗତ ଏପ୍ରିଲ ୧୨ ତାରିଖରେ ରାଜ୍ୟ ସରକାର ଲୋକାୟୁକ୍ତ ନିଯୁକ୍ତି ସମ୍ପର୍କିତ ୩ ପୃଷ୍ଠାର ଏକ ସତ୍ୟପାଠ ଦାଖଲ କରିଥିଲେ। ଏଥିରେ ରାଜ୍ୟ ସରକାର କହିଥିଲେ ଯେ, ସମସ୍ତ ଔପଚାରିକତା ଶେଷ ହୋଇଯିବା ପରେ ଓଡ଼ିଶା ଲୋକାୟୁକ୍ତ ଆଇନ୍‌-୨୦୧୪କୁ ଆଇନ୍‌ର ଧାରା ୧(ଘ) ଅନ୍ତର୍ଗତ ଲାଗୁ କରିବା ପାଇଁ ନିର୍ଦ୍ଦିଷ୍ଟ ତିଥି ଧାର୍ଯ୍ୟ କରାଯିବ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, କେନ୍ଦ୍ରରେ ଲୋକପାଳ ବିଲ୍‌ ଆଇନର ମାନ୍ୟତା ପାଇବା ପରେ ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଲୋକାୟୁକ୍ତ ଆଇନ ପାସ୍‌ କରିଥିଲା। ୨୦୧୪ ଫେବ୍ରୁଆରି ୧୪ ତାରିଖରେ ଓଡ଼ିଶା ବିଧାନସଭାରେ ଏହି ବିଲ୍‌ ପାରିତ ହୋଇଥିଲା। ସେତେବେଳେ ଘୋଷଣା କରାଯାଇଥିଲା ଯେ ରାଜ୍ୟରୁ ଦୁର୍ନୀତି ଦୂର କରିବା ଲାଗି ସରକାର ପ୍ରତିଶ୍ରୁତିବଦ୍ଧ। ଏଣୁ ଓଡ଼ିଶା ପ୍ରଥମ ରାଜ୍ୟ ଭାବେ ଏହି ଆଇନ କାର୍ଯ୍ୟକାରୀ କରିବ। ଥରେ ଏହି ବିଲ୍‌ ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କରି ଆସିବା ମାତ୍ରେ ତୁରନ୍ତ ଲୋକାୟୁକ୍ତ ଗଠନ ପ୍ରକ୍ରିୟା ଆରମ୍ଭ ହେବ। ହେଲେ ୨୦୧୪ ଡିସେମ୍ବରରୁ ଓଡ଼ିଶା ଲୋକାୟୁକ୍ତ ବିଲ୍‌ ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କରିସାରିଥିଲେ ହେଁ, ସେବେଠାରୁ କିନ୍ତୁ ଏ ସଂକ୍ରାନ୍ତ ଗେଜେଟ୍‌ ବିଜ୍ଞପ୍ତି ପ୍ରକାଶ ପାଇନାହିଁ।

ଅନ୍ୟପକ୍ଷରେ ୨୦୧୩ ମସିହା ଜାନୁଆରି ୨୨ ତାରିଖରେ ଜଷ୍ଟିସ ପି.କେ ପାତ୍ରଙ୍କ ମୃତ୍ୟୁ ପରେ ଓଡ଼ିଶା ଲୋକପାଳ ଓ ଲୋକାୟୁକ୍ତ ଆଇନ, ୧୯୯୫କୁ ରାଜ୍ୟ ସରକାର ଜାଣିଶୁଣି ଅଚଳ କରିଦେଇଥିଲେ। ସରକାର ନୂଆ ଆଇନ କରିବେ ବୋଲି କହି ଆଉ କାହାକୁ ଲୋକପାଳ ନିଯୁକ୍ତି ଦେଇନଥିଲେ। ସେବେଠାରୁ ଅଫିସ ଖୋଲୁଛି, କର୍ମଚାରୀ ଦରମା ପାଉଛନ୍ତି, ଅଥଚ ଲୋକପାଳ ବ୍ୟବସ୍ଥାଟି ଅକାମୀ ହୋଇପଡିଛି।

ଏବେ ସୁପ୍ରିମକୋର୍ଟଙ୍କ ଛାଟ ପରେ ଏ ସଂକ୍ରାନ୍ତ ଫାଇଲ ପୁଣି ଖୋଲିଛି। ନିୟମ ଅନୁସାରେ, ପ୍ରଥମେ ରାଷ୍ଟ୍ରପତିଙ୍କ ଅନୁମୋଦନ ଆଧାରରେ ଗେଜେଟ୍‌ ବିଜ୍ଞପ୍ତି ପ୍ରକାଶ ପାଇବ। ଏହି ଆଇନ ଅନ୍ତର୍ଗତ ନିୟମ ପ୍ରଣୟନ କରାଯିବ ଓ ଏହାକୁ ତର୍ଜମା ପାଇଁ ଆଇନ ବିଭାଗକୁ ପଠାଯିବ। ଥରେ ନିୟମ ପ୍ରସ୍ତୁତ ହୋଇଗଲେ, ଆଇନ ପ୍ରଣୟନ ନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି କରାଯିବ ଓ ଲୋକପାଳ ବ୍ୟବସ୍ଥାର ଉଚ୍ଛେଦ ଘଟିବ। ରାଜ୍ୟ ସରକାର ସର୍ଚ୍ଚ କମିଟି ଗଠନ କରିବେ ଓ ଏହି କମିଟି ସୁପାରିସ ପରେ ଲୋକାୟୁକ୍ତ ନିଯୁକ୍ତ ହେବ।

ମାତ୍ର ମିଳିଥିବା ସୂଚନା ଅନୁସାରେ, ଖୁବ୍‌ଶୀଘ୍ର ସରକାର ମୂଳ ଗେଜେଟ୍‌ ବିଜ୍ଞପ୍ତି ପ୍ରକାଶ କରିବେ। ହେଲେ ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ଏତେ ସବୁ ପ୍ରକ୍ରିୟା ସରିବା କଠିନ ବ୍ୟାପାର। ଏମିତିରେ ବି କେନ୍ଦ୍ର ସରକାରଙ୍କ ମୂଳ ଆଇନରେ ସଂଶୋଧନ ହୋଇସାରିଲେଣି। ଏଣୁ ନିୟମ ପ୍ରଣୟନ ପୂର୍ବରୁ ଆଇନରେ ଆବଶ୍ୟକ ସଂଶୋଧନ ଆଣିବାର ଆବଶ୍ୟକତା ରହିଛି ବୋଲି ସରକାର ବିଚାର କରୁଛନ୍ତି। ଜୁଲାଇ ଶେଷ ସପ୍ତାହ ବେଳକୁ କିମ୍ବା ଅଗଷ୍ଟ ମାସରେ ମୌସୁମୀ ଅଧିବେଶନ ବସିବ। ଏହା ପୂର୍ବରୁ ଆଇନରେ ସଂଶୋଧନ କରିବା ସମ୍ଭବ ନୁହେଁ। ଏଣୁ ନିୟମ ପ୍ରଣୟନ କରି ଲୋକାୟୁକ୍ତ ନିଯୁକ୍ତି ଦେବାକୁ ଯଥେଷ୍ଟ ଅଧିକ ସମୟ ଲାଗିବ।

ରାଜ୍ୟ ସରକାରଙ୍କର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଯେହେତୁ ଲୋକପାଳ ବ୍ୟବସ୍ଥାଟି ଏଯାଏ ଉଚ୍ଛେଦ ହୋଇନାହିଁ, ଏଣୁ ରାଜ୍ୟ ସରକାରଙ୍କ ପାଇଁ ବିକଳ୍ପ ସୁଯୋଗ ରହିଛି। ସୁପ୍ରିମକୋର୍ଟଙ୍କ ନିର୍ଦେଶକୁ ଗ୍ରହଣ କରି ସରକାର ଲୋକପାଳ ନିଯୁକ୍ତି କରିବା ପାଇଁ ଚିନ୍ତା କରୁଛନ୍ତି। ଅନେକ ରାଜ୍ୟରେ ଓଡ଼ିଶା ଭଳି ପରିସ୍ଥିତି ସୃଷ୍ଟି ହୋଇଛି ଓ ଲୋକପାଳ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଉଛି। ନୂଆ ଆଇନ ପୂରା ଦମ୍‌ରେ କାର୍ଯ୍ୟକାରୀ ନ ହେବା ଯାଏ ଏହି ବ୍ୟବସ୍ଥାକୁ ସରକାର ଗ୍ରହଣ କରିପାରନ୍ତି।

ଥରେ ଲୋକାୟୁକ୍ତ ବ୍ୟବସ୍ଥା କାର୍ଯ୍ୟକାରୀ ହେଲେ ଲୋକପାଳ ତଦନ୍ତ କରୁଥିବା ସବୁ ମାମଲା ଲୋକାୟୁକ୍ତଙ୍କୁ ହସ୍ତାନ୍ତର କରାଯିବ। ମାତ୍ର ଏବେ ଉଭୟ ବ୍ୟବସ୍ଥା ନଥିବାରୁ ଲୋକପାଳଙ୍କ ଅଫିସରେ ଶହ ଶହ ମାମଲା ପଡିରହିଛି।

ଉଲ୍ଲେଖଯୋଗ୍ୟ, ଲୋକାୟୁକ୍ତ ଆଇନର ବ୍ୟବସ୍ଥା ଅନୁଯାୟୀ, ମୁଖ୍ୟମନ୍ତ୍ରୀ, ପୂର୍ବତନ ମୁଖ୍ୟମନ୍ତ୍ରୀ, ମନ୍ତ୍ରିମଣ୍ଡଳର ସଦସ୍ୟ, ପୂର୍ବତନ ମନ୍ତ୍ରୀ,ବିଧାୟକ, ପୂର୍ବତନ ବିଧାୟକ, ପଞ୍ଚାୟତ ପୌରସଂସ୍ଥା ଅଧ୍ୟକ୍ଷ ଏବଂ ନିର୍ବାଚିତ ସଦସ୍ୟ, ସରକାରଙ୍କ ଠାରୁ ଅନୁଦାନ ନେଉଥିବା ବେସରକାରୀ ସଂଗଠନର କାର୍ଯ୍ୟକର୍ତା, ସରକାରୀ କର୍ମଚାରୀ, ନିଗମ କର୍ମକର୍ତା, ଠିକାଦାରୀ ସଂସ୍ଥା ଏ ସମସ୍ତେ ଲୋକାୟୁକ୍ତଙ୍କ ତଦନ୍ତ ପରିସରଭୁକ୍ତ ହୋଇପାରିବେ।

୬ ସଦସ୍ୟ ବିଶିଷ୍ଟ ଲୋକାୟୁକ୍ତମଣ୍ଡଳୀ ଅଭିଯୋଗ ଉପରେ ପ୍ରାଥମିକ ଯାଞ୍ଚ କରିବେ। ଏଥିରୁ ଆପାତତଃ ପ୍ରମାଣଯୋଗ୍ୟ ତଥ୍ୟ ମିଳିଲେ, ଅଭିଯୋଗର ବିଧିବଦ୍ଧ ତଦନ୍ତ ପାଇଁ ନିର୍ଦେଶ ଦେଇପାରିବେ। ତଦନ୍ତ ରିପୋର୍ଟ ଭିତ୍ତିରେ ଅଭିଯୁକ୍ତଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଲୋକାୟୁକ୍ତ ପଦକ୍ଷେପ ନେଇପାରିବେ।

ତଦନ୍ତ ଏବଂ ଆଇନଗତ କାର୍ଯ୍ୟାନୁଷ୍ଠାନକୁ ସିଧାସଳଖ ଲୋକାୟୁକ୍ତ ତଦାରଖ କରିବାର ବ୍ୟବସ୍ଥା ରହିଛି। ଆବଶ୍ୟକ ପଡିଲେ, ଅଭିଯୁକ୍ତଙ୍କ ସଂପତ୍ତିକୁ ସହବନ୍ଧିତ କିମ୍ବା ବାଜ୍ୟାପ୍ତ କରିବାକୁ ନିର୍ଦେଶ ବି ଲୋକାୟୁକ୍ତ ଦେଇପାରିବେ।