ବିଧାନସଭାରେ ଲୋକାୟୁକ୍ତ ଝଡ଼

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଗୃହକୁ ଆସନ୍ତୁ। ଓ଼଼ଡ଼ିଶାରେ କେବେ ଲୋକାୟୁକ୍ତ ଆଇନ କାର୍ଯ୍ୟକାରୀ ହେବ କୁହନ୍ତୁ। ଲୋକାୟୁକ୍ତଙ୍କୁ ସରକାର କେବେ ନିଯୁକ୍ତି ଦେବେ ସେ କଥା ବି ଘୋଷଣା କରାଯାଉ। ଅନ୍ୟଥା ବାର୍ତ୍ତା ଯିବ ଯେ ସରକାରଙ୍କ କଥା ଓ କାମରେ ଅନ୍ତର ଅଛି। ପ୍ରଶାସନ ବା ଶାସନ ବ୍ୟବସ୍ଥାକୁ ଦୁର୍ନୀତିମୁକ୍ତ କରିବାକୁ ଚାହୁଁନାହାନ୍ତି। କାଳେ ଧରାପଡିଯିବେ, ସେ ଡର କ’ଣ ସରକାରଙ୍କୁ ଗୋଡାଉଛି? କାହିଁକି ଏହି ଆଇନ କାର୍ଯ୍ୟକାରୀ ହେଉନାହିଁ?

ଆଜି ବିଧାନସଭାରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଏମିତି ଢଙ୍ଗରେ ଗର୍ଜନ କରିବା ପରେ ଗୃହ ଅଚଳ ହୋଇପଡିଛି। ବାଚସ୍ପତିଙ୍କ ଠାରୁ ତତ୍କାଳ ରୁଲିଂ ଦାବି କରି ବିଫଳ ହେବା ପରେ କଂଗ୍ରେସ ସଭ୍ୟମାନେ ଗୃହ ମଝିରେ ହଟ୍ଟଗୋଳ କରିଥିଲେ। ବିଜେପି ସମର୍ଥନ ଜଣାଇଥିଲା, ହେଲେ ନେତାମାନେ ନିଜ ନିଜ ଆସନରେ ଠିଆ ହୋଇରହିଥିଲେ। ଶୂନ୍ୟକାଳରୁ ଆରମ୍ଭ ହୋଇଥିବା ଏହି ତାତି ଅପରାହ୍ନରେ ବି ପ୍ରତିଫଳିତ ହୋଇଥିଲା। କଂଗ୍ରେସ ଓ ବିଜେପି ସଭ୍ୟମାନେ କକ୍ଷତ୍ୟାଗ କରିଥିଲେ।

ଦିଲ୍ଲୀରେ ଆନ୍ନାଙ୍କ ଆନ୍ଦୋଳନ ଜାରି ରହିଥିବା ପରିପ୍ରେକ୍ଷୀରେ ଓଡ଼ିଶା ବିଧାନସଭାରେ ବିରୋଧୀ ଦଳର ଏହି ରଣନୀତି ସରକାରଙ୍କୁ ଆଜି ଅକଳରେ ପକାଇ ଦେଇଛି। ଏ ନେଇ ସରକାରଙ୍କ ପକ୍ଷରୁ ଗୃହରେ କୌଣସି ବିବରଣୀ ବା ସ୍ପଷ୍ଟୀକରଣ ଦିଆଯାଇନାହିଁ।

ଏଠାରେ ଉଲ୍ଲେଖଥାଉକି, ସିଏଜି ମଧ୍ୟ ତାଙ୍କ ରିପୋର୍ଟରେ ଲୋକାୟୁକ୍ତ ନିଯୁକ୍ତି ବିଳମ୍ବ ପ୍ରସଙ୍ଗ ଉଠାଇଛନ୍ତି। ବିଧାନସଭାରେ ଉପସ୍ଥାପିତ ଏହି ରିପୋର୍ଟରେ ଦର୍ଶାଯାଇଛି ଯେ ୨୦୧୫ ଜାନୁଆରିରୁ ଏହି ବିଲ୍‌କୁ ରାଷ୍ଟ୍ରପତି ସମ୍ମତି ଜଣାଇଥିଲେ ହେଁ, ଏଯାଏ ନା ଗେଜେଟ୍‌ ବିଜ୍ଞପ୍ତି ପ୍ରକାଶ ପାଉଛି ନା ଲୋକାୟୁକ୍ତଙ୍କୁ ସରକାର ନିଯୁକ୍ତି ଦେଇଛନ୍ତି। ଏହି ଆଇନକୁ କାର୍ଯ୍ୟକାରୀ କରିବା ଲାଗି ସରକାର କୌଣସି ପଦକ୍ଷେପ ନେଇନାହାନ୍ତି।

ଆଜି ଶୂନ୍ୟକାଳ ଆରମ୍ଭ ହେବାମାତ୍ରେ ବିରୋଧୀ ଦଳ ନେତା ଶ୍ରୀ ମିଶ୍ର ଏକ ବୈଧାନିକ ପ୍ରଶ୍ନ ଛଳରେ ଓଡ଼ିଶାରେ ଲୋକାୟୁକ୍ତ ଆଇନ କାର୍ଯ୍ୟକାରୀ ପ୍ରସଙ୍ଗ ଉଠାଇଥିଲେ। କହିଥିଲେ, ଓଡ଼ିଶା ଲୋକପାଳ ଓ ଲୋକାୟୁକ୍ତ ଆଇନ କାର୍ଯ୍ୟକାରୀ ହେଉଥିଲା। ଶେଷ ଲୋକପାଳ ଜଷ୍ଟିସ ପ୍ରସନ୍ନ କୁମାର ପାତ୍ରଙ୍କ ଦେହାନ୍ତ ପରେ ରାଜ୍ୟ ସରକାର ଆଉ ନୂଆ ଲୋକପାଳ ନିଯୁକ୍ତି ଦେଲେ ନାହିଁ। ଆନ୍ନାଙ୍କ ଆନ୍ଦୋଳନ ଓ କେନ୍ଦ୍ର ସରକାର ଲୋକପାଳ ଆଇନ୍‌ ତିଆରି କରିବା ଦେଖି ରାଜ୍ୟ ସରକାର ମଧ୍ୟ ନିଜର ଦୁର୍ନୀତିମୁକ୍ତ ଚେହେରାକୁ ପ୍ରକଟିତ କରିବା ଲାଗି ୬ମାସ ମଧ୍ୟରେ ଲୋକାୟୁକ୍ତ ଆଇନ କରାଯିବ ବୋଲି ଘୋଷଣା କରିଥିଲେ। ପରବର୍ତ୍ତୀ ସମୟରେ ରାଜ୍ୟ ସରକାର ଲୋକାୟୁକ୍ତ ଆଇନ ତିଆରି କଲେ। କୁହାଗଲା ଯେ ଏହି ଆଇନ ପ୍ରଣୟନ କରିବାରେ ଓଡ଼ିଶା ହେଉଛି, ଭାରତ ବର୍ଷରେ ପ୍ରଥମ ରାଜ୍ୟ। ଏଥିପାଇଁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ, ସ୍ୱାଗତ କରାଯାଇପାରେ।

ହେଲେ ୨୦୧୪ରେ ପାରିତ ଏହି ଆଇନର ସ୍ଥିତି ୨୦୧୮ରେ କ’ଣ? ଯାହା କୁହାଯାଉଛି, ୨୦୧୫ରେ ରାଷ୍ଟ୍ରପତି ଏହାକୁ ଅନୁମୋଦନ ପ୍ରଦାନ କରିଛନ୍ତି। ଏହା ପରେ ଏହାର ଭାଗ୍ୟ କ’ଣ?
ବିରୋଧୀ ଦଳ ନେତା କହିଥିଲେ, ସେ ଅନେକ ବାର ଲୋକାୟୁକ୍ତ ନିଯୁକ୍ତି ନେଇ ଦାବି କରିଛନ୍ତି। ହେଲେ ରାଜ୍ୟ ସରକାର ଏ ପ୍ରସଙ୍ଗରେ ଉତ୍ତର ଦେବାକୁ ଉଚିତ୍‌ ମଣୁନାହାନ୍ତି। ଏଯାଏ ଲୋକାୟୁକ୍ତଙ୍କୁ ନିଯୁକ୍ତି ଦିଆଯାଉନାହିଁ କିମ୍ବା ଆଇନ କାର୍ଯ୍ୟକାରୀ କରାଯିବା ନେଇ ବିଜ୍ଞପ୍ତି ବି ସରକାର ପ୍ରକାଶ କରୁନାହାନ୍ତି। ଏହା ସୂଚାଉଛି ଯେ ରାଜ୍ୟ ସରକାର ଦୁର୍ନୀତି ବିରୋଧୀ ନୁହନ୍ତି। କାହିଁକି ସରକାର ଏ ଆଇନକୁ କାର୍ଯ୍ୟକାରୀ କରିବାକୁ ଚାହୁଁନାହାନ୍ତି? ୩ ବର୍ଷ ଅପେକ୍ଷା କରିବାକୁ ପଡିଲାଣି? ସରକାରୀ ଅଧିକାରୀ, ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଏହାର ପରିସରଭୁକ୍ତ ହୋଇଯିବାର ଡର ଗୋଡ଼ାଉଛି କି?

ନିକଟରେ ସୁପ୍ରିମକୋର୍ଟ ଏ ସଂକ୍ରାନ୍ତ ଅଭିଯୋଗର ଶୁଣାଣି କରି ମୁଖ୍ୟଶାସନ ସଚିବଙ୍କୁ ନୋଟିସ କରିଛନ୍ତି। ତାଙ୍କର ଜବାବ ମାଗିଛନ୍ତି। ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ବାଚସ୍ପତି ମୁଖ୍ୟମନ୍ତ୍ରୀଙ୍କୁ ଗୃହକୁ ଡାକି ଏ ସଂପର୍କରେ କୈଫିୟତ ମାଗନ୍ତୁ ବୋଲି ବିରୋଧୀ ଦଳ ନେତା ଦାବି କରିଥିଲେ।

ବାଚସ୍ପତି କିନ୍ତୁ ଏହାକୁ ଏଡ଼ାଇ ଯାଇ ଅଧ୍ୟାପକଙ୍କ ସଂପର୍କରେ ବିରୋଧୀ ଦଳ ଦେଇଥିବା ମୁଲତବୀ ପ୍ରସ୍ତାବ ଆଲୋଚନା ପାଇଁ ଡାକିବାରୁ କଂଗ୍ରେସ ସଭ୍ୟମାନେ ଗୃହ ମଧ୍ୟଭାଗକୁ ଯାଇ ହଟ୍ଟଗୋଳ ଓ ସ୍ଲୋଗାନ ବାଜି କରିଥିଲେ। ବାଚସ୍ପତିଙ୍କ ପୋଡିୟମ ବାଡେଇଥିଲେ ଓ କଂଗ୍ରେସ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି ଚୌକି ଉପରେ ଚଢିଯାଇ ବାଚସ୍ପତିଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିଥିଲେ। ସ୍ଥିତି ଅସ୍ୱାଭାବିକ ଆଡକୁ ଯାଉଥିବା ଲକ୍ଷ୍ୟ କରି ବାଚସ୍ପତି ଗୃହକୁ ୧୧ଟା ୪୩ରେ ସାଢେ ବାରଟା ଯାଏ ମୁଲତବୀ କରିଥିଲେ।

ପରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ସ୍ଥିତି ଅଧିକ ବିଗିଡିଯାଇଥିଲା। ବିଜେପି ବିଧାୟକ ଦଳ ନେତା କନକ ବର୍ଧନ ସିଂହଦେଓ ଏହି ଆଲୋଚନାରେ ଭାଗ ନେଇ ଖୁବ୍‌ ଶୀଘ୍ର ଲୋକାୟୁକ୍ତ ନିଯୁକ୍ତି ଲାଗି ଦାବି କରିଥିଲେ। କହିଥିଲେ, ଲୋକାୟୁକ୍ତ ଆଇନ ପ୍ରଣୟନ କରିବାରେ ପ୍ରଥମ ମୁଖ୍ୟମନ୍ତ୍ରୀ ବୋଲି ବାହା ବା ଗୋଟାଉଥିବା ସରକାର କାହିଁକି ଏଯାଏ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି। ଏହା ସୂଚାଉଛି ଯେ ସରକାର କେବଳ ଘୋଷଣା କରନ୍ତି ଓ କାର୍ଯ୍ୟକାରୀ କରନ୍ତି ନାହିଁ। ଏହି ପ୍ରସଙ୍ଗକୁ ଗୁରୁତର ଭାବେ ଗ୍ରହଣ କରିବା ଲାଗି ସେ ଦାବି କରିଥିଲେ। ପରେ କଂଗ୍ରେସ ସଭ୍ୟମାନେ ପୁଣି ଗୃହ ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲା ବେଳେ ବିଜେପି ବିଧାୟକମାନେ ନିଜ ନିଜ ଆସନରେ ଛିଡାହୋଇ ପ୍ରତିବାଦକୁ ସମର୍ଥନ ଜଣାଇଥିଲେ। ମାତ୍ର ୨ମିନିଟ୍‌ ଏଭଳି ଢଙ୍ଗରେ ଚାଲିବା ପରେ ବାଚସ୍ପତି ଗୃହକୁ ଅପରାହ୍ନ ୩ଟା ଯାଏ ମୁଲତବୀ କରିଥିଲେ।

ଅପରାହ୍ନ ଅଧିବେଶନ ଆରମ୍ଭ ହେବାମାତ୍ରେ ବିରୋଧୀ ଦଳ ନେତା ପୁଣି ଥରେ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରି ଅସନ୍ତୋଷ ଜଣାଇଥିଲେ। କହିଥିଲେ, କାନ୍ଥ ବାଡକୁ କହିବା ଅପେକ୍ଷା ଗୃହରେ ଅନୁପସ୍ଥିତ ରହିବା ଭଲ। ମୁଁ ମୁଖ୍ୟମନ୍ତ୍ରୀଙ୍କ ଗୃହ ଓ ସାଧାରଣ ପ୍ରଶାସନ ବିଭାଗକୁ ୬ଟି ଚିଠି ଦେଇଛି। ଗୋଟିଏ ଚିଠିର ମଧ୍ୟ ଉତ୍ତର ମିଳିନାହିଁ। ଆଇନ ବିଭାଗ ଏହି ଆଇନ ଉପରେ ତର୍ଜମା କରିବା କଥା। ମାତ୍ର ଲୋକାୟୁକ୍ତ ଆଇନ କ’ଣ ପବନରେ ମିଳାଇଯାଇଛି? ଆମେ ପ୍ରଣୟନ କରିଥିବା ଆଇନ ଆମେ ଜାଣିପାରିବୁନି? ସରକାର କହିଦେବା ଦରକାର ଯେ ଆମେ ଏସବୁ ଜାଣିବାର ଅଧିକାର ନାହିଁ। ଯେଉଁ ଆଇନକୁ ସେମାନେ ଆଣିବାକୁ ଚାହୁଁଛନ୍ତି, ତାକୁ ଅଣାଯାଉଛି। ଯେନତେନ ପାରିତ ବି ହେଉଛି, ତେଣିକି ପୁଲିସ ବିଲ୍‌ ଭଳି ଅବସ୍ଥା ହେଉ ପଛେ।

ବାଚସ୍ପତିଙ୍କୁ ଲକ୍ଷ୍ୟ କରି ଶ୍ରୀ ମିଶ୍ର କହିଥିଲେ, ଯିଏ ଆମକୁ ସୁରକ୍ଷା ଦେବା କଥା ଦେଉନାହାନ୍ତି। ନିରବ ରହୁଛନ୍ତି। ଆମେ କ’ଣ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବୁ? ବୋଲି ଧମକ ଦେଇଥିଲେ ବିରୋଧୀ ଦଳ ନେତା। ଏଥିସହିତ କକ୍ଷତ୍ୟାଗ କରିଥିଲା କଂଗ୍ରେସ। ସେହିପରି ବିଜେପି ସଭ୍ୟମାନେ ମଧ୍ୟ ପ୍ରତିବାଦ କରିଥିଲେ। ବିଧାୟକ ପ୍ରଦୀପ ପୁରୋହିତ ଅସନ୍ତୋଷ ଜଣାଇବା ପରେ ଦଳର ସଭ୍ୟମାନେ କକ୍ଷତ୍ୟାଗ କରି ଚାଲିଯାଇଥିଲେ।

ସମ୍ବନ୍ଧିତ ଖବର