ସଇରାତରେ ଖୁମ୍ବ ପୋତିବାରେ ଦୁର୍ନୀତି ଘଟଣା : ଯାଜପୁର ଜିଲ୍ଲାପାଳଙ୍କ ଉପରେ ଲୋକାୟୁକ୍ତ କ୍ଷୁବ୍ଧ

ଭୁବନେଶ୍ବର : ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲରେ ସଇରାତରେ ଖୁମ୍ବ ପୋତିବାରେ ବ୍ୟାପକ ଦୁର୍ନୀତି ଅଭିଯୋଗ ଘଟଣାରେ ଯାଜପୁର ଜିଲ୍ଲାପାଳଙ୍କଠାରୁ ରିପୋର୍ଟ ନ ପାଇ ଅତ୍ୟନ୍ତ କ୍ଷୁବ୍ଧ ହୋଇଛନ୍ତି ଲୋକାୟୁକ୍ତ। ଯାଜପୁର ଜିଲ୍ଲାପାଳଙ୍କ ଏଭଳି ଆଚରଣକୁ ଲୋକାୟୁକ୍ତ ଗ୍ରହଣ କରିପାରି ନାହାନ୍ତି। ଆସନ୍ତା ଶୁଣାଣିରେ ଏ ସଂପର୍କିତ ରିପୋର୍ଟ ଦାଖଲ ନ କଲେ ଏହାକୁ ଗୁରୁତ୍ବର ସହ ନିଆଯିବ ବୋଲି ଚେତାବନୀ ଦେଇଛନ୍ତି। ଏହାସହ ଧର୍ମଶାଳା ତହସିଲଦାର ଏ ନେଇ ଦେଇଥିବା ରିପୋର୍ଟକୁ ଅସ୍ପଷ୍ଟ ବୋଲି କହିବାକୁ ପଛାଇ ନାହାନ୍ତି ଲୋକାୟୁକ୍ତ।

ଯାଜପୁର ଜିଲ୍ଲାର ଧର୍ମଶାଳା ତହସିଲରେ ସଇରାତରେ ସୀମା ନିର୍ଧାରଣ ପାଇଁ ଖୁମ୍ବ ପୋତା ଯାଇଥିବା ରାଜସ୍ବ ମନ୍ତ୍ରୀ ବିଧାନସଭାରେ ସୂଚନା ଦେଇଥିଲେ। ତେବେ ସୂଚନାଧିକାର କର୍ମୀ ସର୍ବେଶ୍ବର ବେହୁରା ଏ ସଂପର୍କରେ ସୂଚନାଧିକାର ଆଇନରେ ତଥ୍ୟ ମାଗିଥିଲେ। ଖୁମ୍ବ ପୋତିବା ପାଇଁ ୧.୮ଲକ୍ଷ ଟଙ୍କା ଖର୍ଚ ହୋଇଥିବା କୁହାଯାଇଥିଲା। ହେଲେ ସ୍ଥାନୀୟ ଅଞ୍ଚଳରେ ଏଭଳି ଖୁମ୍ବ ଶ୍ରୀ ବେହୁରା ଦେଖିବାକୁ ପାଇ ନ ଥିଲେ। ପରବର୍ତୀ ସମୟରେ ସେ ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ କରିଥିଲେ। ଲୋକାୟୁକ୍ତ ଏ ସଂପର୍କିତ ରିପୋର୍ଟ ଜିଲ୍ଲାପାଳଙ୍କଠାରୁ ମାଗିଥିଲେ। ନୋଟିସ୍ ଜାରି ହେବା ସତ୍ବେ ମଧ୍ୟ ଜିଲ୍ଲାପାଳଙ୍କ ପକ୍ଷରୁ କୌଣସି ରିପୋର୍ଟ ଦାଖଲ ହୋଇ ନ ଥିଲା। ଯାହାକୁ ନେଇ ଲୋକାୟୁକ୍ତ ଅତ୍ୟନ୍ତ କ୍ଷୁବ୍ଧ ହୋଇଛନ୍ତି। ଏ ସଂକ୍ରାନ୍ତୀୟ ରିପୋର୍ଟ ଦାଖଲ କରିବା ଲାଗି ତାଙ୍କୁ ପୁନର୍ବାର ସୁଯୋଗ ଦେବା ସହିତ ରିପୋର୍ଟ ନ ଦେଲେ ଏହାକୁ ଗୁରୁତ୍ବର ସହିତ ବିଚାର କରାଯିବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର