ଲୋକାୟୁକ୍ତରେ କଳାପଥର କେଳେଙ୍କାରୀର ଶୁଣାଣି: ତଦନ୍ତ ପରିସରଭୁକ୍ତ ହେବେ ବହୁ ଅଧିକାରୀ

ଯାଜପୁର : ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅଞ୍ଚଳର ଶହଶହ କୋଟି ଟଙ୍କାର କଳାପଥର କେଳେଙ୍କାରୀକୁ ନେଇ ଦୁଇ ଗୁରୁତ୍ବପୂର୍ଣ୍ଣ ମାମଲାର ତଦନ୍ତ ଉପରେ ଶୁକ୍ରବାର ଦିନ ଲୋକାୟୁକ୍ତଙ୍କ ତିନିଜଣିଆ ଖଣ୍ଡପୀଠ ଶୁଣାଣି କରିଛନ୍ତି। ବିଛାଖଣ୍ଡି ଓ ଆରୁହା ପାହାଡ଼ରୁ ବ୍ୟାପକ କଳାପଥର ଚୋରାଚାଲାଣ ହୋଇଥିବା ତଦନ୍ତରେ ସ୍ପଷ୍ଟ ହୋଇଛି। ଆରୁହା ପାହାଡ଼ ମାମଲାରେ ଏକାଧିକ ତହସିଲଦାର, ପରିବେଶ ଅଧିକାରୀ, ଖଣିବିଭାଗ ଓ ସର୍ଭେ କରୁଥିବା ଭୂତତ୍ତ୍ବବିତ୍‌ଙ୍କୁ ତଦନ୍ତ ପରିସରଭୁକ୍ତ କରିବା ପାଇଁ ଆଜି ଖଣ୍ଡପୀଠ ନିଷ୍ପତ୍ତି ନେଇଛନ୍ତି। ସେହିପରି ବିଛାଖଣ୍ଡିରେ ବ୍ୟାପକ କଳାପଥର ଲୁଟ୍‌ ନେଇ ଭିଜିଲାନ୍ସ ଟିମ୍‌ ତଦନ୍ତ ରିପୋର୍ଟରେ ଦର୍ଶାଇଥିବା ବେଳ‌େ କାହାରିକୁ ସେଥିପାଇଁ ଉତ୍ତରଦାୟୀ କରିନଥିବାରୁ ଲୋକାୟୁକ୍ତ କ୍ଷୋଭ ପ୍ରକାଶ କରିଛନ୍ତି। ସେହିପରି ନଗଡ଼ାର ବିକାଶ ନାମରେ ହୋଇଥିବା ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା। ତେବେ ପରବର୍ତ୍ତୀ ସମୟରେ ବିକାଶ କାମ କରାଯାଇଛି ବୋଲି ଖଣ୍ଡପୀଠ ତଦନ୍ତ ରିପୋର୍ଟରୁ ହୃଦୟଙ୍ଗମ କରିଛନ୍ତି।

ଶୁକ୍ରବାର ଦିନ ଲୋକାୟୁକ୍ତରେ ଥିବା ମାମଲାଗୁଡ଼ିକ ମଧ୍ୟରେ ବିଶେଷ କରି କଳାପଥର କେଳେଙ୍କାରୀ ପ୍ରସଙ୍ଗରେ ଲୋକାୟୁକ୍ତ ଗଭୀର ଉଦ୍‌ବେଗ ପ୍ରକାଶ କରିବା ସହିତ ଅଧିକ ତଦନ୍ତର ଆବଶ୍ୟକତା ଥିବା ଅନୁଭବ କରିଛନ୍ତି। ବିଛାଖଣ୍ଡି ତଦନ୍ତକୁ ଅଧିକ ବ୍ୟାପକ କରାଯିବା ନେଇ ସମ୍ଭାବନା ସୃଷ୍ଟି ହୋଇଛି।

ବିଛାଖଣ୍ଡି ଓ ଆରୁହା ପାହାଡ଼ ମାମଲାର ଅଭିଯୋଗକାରୀ ସର୍ବେଶ୍ଵର ବେହୁରାଙ୍କୁ ମଧ୍ୟ ଖଣ୍ଡ ପୀଠ ଆଜି ତଥ୍ୟ ପଚାରିଥିଲେ। ତେବେ, ଭିଜିଲାନ୍ସ ତଦନ୍ତ ରିପୋର୍ଟରେ ବିଛାଖଣ୍ଡିରୁ ବ୍ୟାପକ କଳାପଥର ଚୋରି ଓ ବେଆଇନ୍ କାରବାର ସମ୍ପର୍କରେ ତଥ୍ୟ ରଖିଥିବା ସ‌ତ୍ତ୍ବେ କାହାରିକୁ ଉତ୍ତରଦାୟୀ କରିନାହାନ୍ତି। ଆଜି ବିଚାର କରୁଥିବା ତିନିଜଣିଆ ଖଣ୍ଡପୀଠ ଲୋକାୟୁକ୍ତ ଅଧ୍ୟକ୍ଷ ଅଜିତ ସିଂହ, ମେମ୍ବର ପୂର୍ବତନ ଡିଜି ରାଜେନ୍ଦ୍ର ଶର୍ମା ଓ ଅନ୍ୟତମ ସଦସ୍ୟ ଦେବବ୍ରତ୍ତ ସ୍ବାଇଁ ପ୍ରମୁଖ ଭିଜିଲାନ୍ସର ଏପରି ତଦନ୍ତ ରିପୋର୍ଟରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଚୋରି ହୋଇଛି କିନ୍ତୁ ଚୋର କିଏ? ତଦନ୍ତରେ ଜାଣିନପାରିବା ଘଟଣାକୁ ଖଣ୍ଡପୀଠ ସହଜରେ ଗ୍ରହଣ କରିପାରିନଥିଲେ। ଯାହାକୁ ନେଇ ଅସନ୍ତୋ‌ଷ ପ୍ରକାଶ କରିଛନ୍ତି।

ଆରୁହା ପାହାଡ଼ରେ ୩ ଏକର ଲିଜ୍ ଦିଆଯାଇଥିବା ବେଳେ ୬ଏକର ମାଇନିଂ ପ୍ଲାନ୍ ହୋଇଛି। ୧୫୩ଏକର ପାହାଡ଼ରୁ ବ୍ୟାପକ କଳାପଥର ବେଆଇନ ଖନନ କରାଯାଇ ଚୋରାଚାଲାଣ ହୋଇଛି। କୋଟି କୋଟି ଟଙ୍କାର କଳାପଥର କେଳେଙ୍କାରୀ ବର୍ଷ ବ‌ର୍ଷ ଧରି ଚାଲିଥିବା ବେଳେ ଅଧିକାରୀମାନେ କିପରି ଜାଣିପାରିଲେନି? ସେ ନେଇ ଲୋକାୟୁକ୍ତଙ୍କର ଡାରେକ୍ଟର ଅଫ ଇନକ୍ବାରି ତଦନ୍ତ ରିପୋର୍ଟ ଦାଖଲ କରିବା ପରେ ଖଣ୍ଡପୀଠ ଆଜି ଏହା ଉପରେ ଉଦବେଗ ପ୍ରକାଶ କରିବା ସହିତ ୨୦୧୬ରୁ ୨୦୨୧ ପର୍ଯ୍ୟନ୍ତ ଧର୍ମଶାଳାର ସମସ୍ତ ତହସିଲଦାର ଓ ଭାରପ୍ରାପ୍ତ ତହସିଲଦାରଙ୍କ ସମେତ ପରିବେଶ ବିଭାଗ ଅଧିକାରୀ, ଖଣି ବିଭାଗ ଅଧିକାରୀ ଓ ସର୍ଭେ କରିଥିବା ୨ଟି ଜିଓଲୋଜିଷ୍ଟର କର୍ମକର୍ତ୍ତାଙ୍କୁ ପକ୍ଷଭୁକ୍ତ କରି ସେମାନଙ୍କର ମତାମତ ନେବାକୁ ନିଷ୍ପତ୍ତି ନେଇଛନ୍ତି।

ସମ୍ବନ୍ଧିତ ଖବର