ସମାଧାନର ରାସ୍ତା ଖୋଲିଲା

ଲୋକାୟୁକ୍ତ ପ୍ରସଙ୍ଗରେ ନୂଆ ମୋଡ଼

ଆଜି ସରକାର ବିବୃତି ଦେବେ
ତୃତୀୟ ଦିନ ପାଇଁ ଗୃହ ଅଚଳ
ସରକାର, ବାଚସ୍ପତିଙ୍କୁ ନରସିଂହଙ୍କ ଆକ୍ଷେପ

ଭୁବନେଶ୍ୱର : ଲୋକାୟୁକ୍ତ ଆଇନ କାର୍ଯ୍ୟକାରିତା ଓ ନିଯୁକ୍ତି ପ୍ରସଙ୍ଗକୁ ନେଇ ବିଧାନସଭାରେ ଦେଖାଯାଇଥିବା ଅଚଳାବସ୍ଥା ଆଜି ନୂଆ ମୋଡ଼ ନେଇଛି। ବାଚସ୍ପତି ପ୍ରଦୀପ କୁମାର ଅମାତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ସରକାର ରାଜି ହୋଇଛନ୍ତି, ଆସନ୍ତାକାଲି ଏ ପ୍ରସଙ୍ଗରେ ଗୃହରେ ନିଜ ଆଭିମୁଖ୍ୟ ଜଣାଇବେ। ତେବେ ମୁଖ୍ୟମନ୍ତ୍ରୀ ନୁହେଁ, ବରଂ ଜଣେ ମନ୍ତ୍ରୀ ସରକାରଙ୍କ ତରଫରୁ ଗୃହରେ ବିବୃତି ରଖିପାରନ୍ତି। ବିରୋଧୀ ଦଳ ମୁଖ୍ୟମନ୍ତ୍ରୀଙ୍କ ବିବୃତି ଦାବିରୁ ମଧ୍ୟ ଓହରିଯାଇ ସରକାରଙ୍କ ପ୍ରସ୍ତାବରେ ହଁ ମାରିଥିବା ସୂଚନା ମିଳିଛି। ସରକାରଙ୍କ ବିବୃତିକୁ ବିରୋଧୀ ଦଳ କିଭଳି ଢଙ୍ଗରେ ଗ୍ରହଣ କରିବ, ସହମତ ନ ହେଲେ ପ୍ରତିବାଦର ସ୍ୱରୂପ କଣ ହେବ, ତାହା ଆସନ୍ତାକାଲି ବିଧାନସଭାରେ ହିଁ ଜଣାପଡିବ। ତେବେ ସରକାରଙ୍କ ବିବୃତି ପରେ ଗୃହରେ ଅଚଳାବସ୍ଥାରେ ଅବସାନ ଘଟିପାରେ।

ଉଲ୍ଲେଖଯୋଗ୍ୟ, କେବେ ଲୋକାୟୁକ୍ତ ଆଇନ କାର୍ଯ୍ୟକାରୀ ହେବ? ସରକାର କେବେ ଲୋକାୟୁକ୍ତ ନିଯୁକ୍ତି ଦେବେ? ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିବୃତି ଦାବି କରି ବିରୋଧୀ ଦଳ ଆଜିକୁ ମିଶାଇ ତିନି ଦିନ ଧରି ଗୃହକୁ ଅଚଳ କରିଦେଇଛନ୍ତି। ଆଜି ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ କଂଗ୍ରେସ ଓ ବିଜେପି ସଭ୍ୟମାନେ ନିଜ ନିଜ ଆସନରେ ଠିଆ ହୋଇ ପ୍ରତିବାଦ ଜଣାଇଥିଲେ। ତେବେ ଆଜି ଟିକିଏ ନିଆରା ଓ ପ୍ରଭାବୀ ଢଙ୍ଗରେ ବିରୋଧ ପ୍ରକଟ କରିଥିଲେ କଂଗ୍ରେସ ବିଧାୟକ। ସମସ୍ତେ ସାଙ୍ଗରେ ଆଣିଥିଲେ ଛୋଟ ଛୋଟ ବ୍ୟାନର୍‌। ସେଥିରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥାଇ ଲେଖାଥିଲା, ‘ମୁଁ ଚିଟ୍‌ଫଣ୍ଡ୍‌, ଖଣି, ପାଣି, ପିସି, ଓଡ଼ିଶା ଖାଇଛି। ଲୋକାୟୁକ୍ତ ନିଯୁକ୍ତି କରିବି ନାହିଁ। କ’ଣ କରିବ କର।’ ଏହି ବ୍ୟାନର୍‌ ପ୍ରଦର୍ଶନ କରି ବିରୋଧୀ ବିଧାୟକମାନେ ଗୃହ ମଧ୍ୟ ଭାଗକୁ ମାଡ଼ି ଆସିଥିଲେ। ଲୋକାୟୁକ୍ତ ନିଯୁକ୍ତି ଦାବିରେ ନାରାବାଜି କରିଥିଲେ। ଗୋଟିଏ ମିନିଟ୍‌ ପୂରିବା ଆଗରୁ ବାଚସ୍ପତି ଗୃହକୁ ପୂର୍ବାହ୍ନ ୧୧ଟା ୩୦ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରି ଦେଇଥିଲେ।

ଗୃହ ବାହାରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଥିଲେ, ରାଜ୍ୟ ସରକାର-ବାଚସ୍ପତି ମିଳିତ ଭାବେ ଗଣତନ୍ତ୍ରକୁ ହତ୍ୟା କରିଛନ୍ତି। ଏଥିସହିତ ଗୃହର ଅଚଳାବସ୍ଥା ନେଇ ଆପତ୍ତି ଉଠାଇଥିଲେ। ଏହାର କିଛି ମୁହୂର୍ତ ପରେ ସରକାର ଗୃହରେ ସ୍ୱାଭାବିକ ପରିସ୍ଥିତି ଆଣିବା ଲାଗି ଉଦ୍ୟମ ଆରମ୍ଭ କରିଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ପ୍ରତିନିଧିମଣ୍ଡଳୀ ବିରୋଧୀ ଦଳ ନେତାଙ୍କ ପ୍ରକୋଷ୍ଠକୁ ଆସି ଆଲୋଚନା କରିବା ପରେ ସମାଧାନର ରାସ୍ତା ବାହାରିଥିଲା। ଗୃହରେ ଅଚଳାବସ୍ଥା ଫେରାଇ ଆଣିବା ନିମନ୍ତେ ସର୍ବଦଳୀୟ ବୈଠକ ଡାକିବା ଲାଗି ଶ୍ରୀ ମିଶ୍ର ପ୍ରସ୍ତାବ ଦେଇଥିଲେ ଓ ଏହାକୁ ସରକାର ମଧ୍ୟ ଗ୍ରହଣ କରିଥିଲେ।

ସାଢ଼େ ଏଗାରଟାରେ ଗୃହ କାର୍ଯ୍ୟ ଆରମ୍ଭ ହେବାମାତ୍ରେ ବିରୋଧୀ ଦଳ ବିଧାୟକମାନେ କିନ୍ତୁ ଅନୁରୂପ ଢଙ୍ଗରେ ନିଜର ପ୍ରତିବାଦ ପ୍ରଦର୍ଶନ କରିଥିଲେ। ଅନ୍ୟପକ୍ଷରେ ବାଚସ୍ପତି ପ୍ରଦୀପ ଅମାତ ସର୍ବଦଳୀୟ ବୈଠକ ଡକାଯିବା ନେଇ ଘୋଷଣା କରିଥିଲେ।

ଅପରାହ୍ନ ୩ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ କଂଗ୍ରେସ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି, ବିଜେପି ବିଧାୟକ ରବି ନାରାୟଣ ନାୟକ ଗୃହର ମଧ୍ୟଭାଗକୁ ଚାଲିଆସିଥିଲେ। ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ ନିଜ ଆସନ ନିକଟରେ ଛିଡ଼ା ହୋଇ ରହିଥିଲେ। ଗୃହରେ କଂଗ୍ରେସ, ବିଜେପିର ଅନ୍ୟ ସଦସ୍ୟମାନେ ଅନୁପସ୍ଥିତ ଥିଲେ। ଉପ ବାଚସ୍ପତି ସାନନ୍ଦ ମାରାଣ୍ଡି ଗୃହର ମଧ୍ୟଭାଗରେ ଥାଇ ନାରାବାଜି କରୁଥିବା ଦୁଇ ବିଧାୟକଙ୍କୁ ନିଜ ନିଜ ଆସନକୁ ଯିବା ପାଇଁ କହିଥିଲେ। କିନ୍ତୁ ସେମାନେ ନିଜ ନିଜ ଆସନକୁ ନ ଫେରିବାରୁ ସର୍ବଦଳୀୟ ବୈଠକ ପାଇଁ ଗୃହକୁ ଏକ ଘଣ୍ଟା ଲାଗି ମୁଲତବୀ କରାଯାଇଥିଲା। ମାତ୍ର ମିନିଟକ ଭିତରେ ଏ ସମସ୍ତ ଘଟଣା ଘଟିଥିଲା। ଘଣ୍ଟାକ ପରେ ଅର୍ଥାତ୍‌ ୪ଟା ବେଳେ ଉପ ବାଚସ୍ପତି ଶ୍ରୀ ମାରାଣ୍ଡି ଗୃହକୁ ଆସି ଆସନ୍ତାକାଲି ପୂର୍ବାହ୍ନ ସାଢ଼େ ୧୦ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ କରିଥିଲେ।

ପରେ ସର୍ବଦଳୀୟ ବୈଠକର ଫଳାଫଳ ସଂପର୍କରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଲେ ଯେ, ଆସନ୍ତାକାଲି ଲୋକାୟୁକ୍ତ ନିଯୁକ୍ତି ନେଇ ସରକାର ଗୃହରେ ବିବୃତି ରଖିବେ। ସର୍ବଦଳୀୟ ବୈଠକରେ ଶାସକ ଦଳ ପକ୍ଷରୁ କେବଳ ଏହି ସୂଚନା ଦିଆଯାଇଥିଲା। ବିଜେପି ବିଧାୟକ ଦଳ ନେତା ଶ୍ରୀ ସିଂହଦେଓ କହିଛନ୍ତି, ସରକାର ଆସନ୍ତାକାଲି ଗୃହରେ ବିବୃତି ରଖିବା ପରେ ବୈଠକ ସଫଳ ହେଲା କି ବିଫଳ ହେଲା କୁହାଯାଇପାରିବ। ସରକାରୀ ଦଳ ପକ୍ଷରୁ ମଧ୍ୟ ଆଲୋଚନା ସକାରାତ୍ମକ ହୋଇଥିବା ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର