୫ ଆଇଏଏସ ଅଫିସରଙ୍କୁ ନୋଟିସ ଦେଲେ ଲୋକାୟୁକ୍ତ

ମୟୁରଭଞ୍ଜ: କାହିଁକି ରବର ଚାଷ ସଫଳ ହେଲା ନାହିଁ, ଏ ନେଇ ଜବାବ ଦେବା ପାଇଁ ୫ ଜଣ ଆଇଏଏସ ଅଫିସରଙ୍କୁ ନୋଟିସ ଜାରି କଲା ଓଡ଼ିଶା ଲୋକାୟୁକ୍ତ । ମୟୂରଭଂଜର ଶିମିଳିପାଳ ଅଭୟାରଣ୍ୟ ଆଖପାଖ ଅଂଚଳରେ ରବର ଚାରା ରୋପଣ ପାଇଁ ୫ ବର୍ଷ ମଧ୍ୟରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ହେଲେ ଅନେକ ସ୍ଥାନରେ ଗଛ ବଂଚିଲା ନାହିଁ, କେବଳ ଫଳକ ରହିଗଲା । ଏଥିରେ ଦୁର୍ନୀତି ଓ ଅନିୟମିତତା ହୋଇଥିବା ନେଇ ଖବର ପ୍ରକାଶ ପାଇବା ପରେ ଲୋକାୟୁକ୍ତ ନିଜ ଆଡୁ ମାମଲା ରୁଜୁ କରିଥିଲେ ।

ରବର ଚାଷର ବିଫଳତା ନେଇ ଆଇଏଏସ୍ ଅଫିସର ରାଜେଶ ପ୍ରଭାକର ପାଟିଲ, ସୁରେନ୍ଦ୍ର ମୀନା, ପରମେଶ୍ୱର ବି, ଅରିନ୍ଦମ ଡାକୁଆ ଓ ସୁଭାଷ ସକ୍ସେନାଙ୍କୁ ନୋଟିସ ଜାରି କରିଛନ୍ତି ଲୋକାୟୁକ୍ତ । ଶିିମିଳିପାଳ ଅଂଚଳରେ ରବର ଚାଷରେ ବ୍ୟାପକ ଅନିୟମିତତା ଓ ବିଫଳତା ସଂପର୍କରେ ଏହି ଅଫିସରମାନଙ୍କୁ ଜବାବ ତଲବ କରିଛନ୍ତି ଓଡ଼ିଶା ଲୋକାୟୁକ୍ତ । ବିଭିନ୍ନ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇବା ପରେ ଓଡ଼ିଶା ଲୋକାୟୁକ୍ତ ନିଜ ତରଫରୁ ଏକ ମାମଲା ରୁଜୁ କରିଥିଲେ । ୨୦୧୩ରୁ ୨୦୧୮ ମସିହା ମଧ୍ୟରେ ମୟୂରଭଞ୍ଜ ଜିଲ୍ଲାରେ ଜିଲ୍ଲାପାଳ ଓ ଆଇଟିଡିଏ ପ୍ରଶାସନିକ ଅଧିକାରୀ ଭାବେ କାମ କରିଥିବା ୫ ଜଣ ଆଇଏଏସଙ୍କୁ ନୋଟିସ୍ କରିଛନ୍ତି ଲୋକାୟୁକ୍ତ ।

ନଭେମ୍ବର ୨୨ ସୁଦ୍ଧା ରିପୋର୍ଟ ଦେବାକୁ କୁହାଯାଇଥିବା ବେଳେ ନଭେମ୍ବର ୨୮ରେ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ । ଏଠାରେ ସୂଚନା ଥାଉ କି ମୟୂରଭଂଜ ଜିଲ୍ଲା ବଡ଼ସାହି ବ୍ଲକର ପଥରା ଗାଁ ଅଂଚଳରେ ୨୦୧୪ ମସିହାରେ ପ୍ରାୟ ୧୦୦ ଏକର ଜମିରେ ରବର ଚାରା ଚୋପଣ କରାଯାଇଥିଲା । ଏ ଜମି ଆଦିବାସୀଙ୍କର ଥିଲା । ଉଦ୍ଦେଶ୍ୟ ଥିଲା ୭ ବର୍ଷ ପରେ ରବର ଉତ୍ପାଦନ ଆରମ୍ଭ ହେଲେ ଆଦିବାସୀଙ୍କ ହାତକୁ ଟଙ୍କା ଆସିବ ଓ ସେମାନଙ୍କ ଆର୍ଥିକ ବିକାଶହେବ । ଚାରା ରୋପଣଠାରୁ ଏହାର ରକ୍ଷଣାବେକ୍ଷଣାକୁ ରବର ବୋର୍ଡ ଓ ବିଭିନ୍ନ ଏନଜିଓ ଜରିଆରେ ପରିଚାଳନା କରୁଥିଲା ବାରିପଦା ଆଇଟିଡିଏ- ବାରିପଦା ସମନ୍ୱିତ ଆଦିବାସୀ ବିକାଶ ସଂସ୍ଥା । ହେଲେ ଏବେ ୧୫ ହଜାର ଗଛରୁ ଅଳ୍ପ କିଛି ଗଛ ବଂଚିଥିବା ଦେଖିବାକୁ ମିଳୁଛି । ସେପଟେ ମୟୂରଭଂଜ ଜିଲ୍ଲା କରଂଜିଆ ବ୍ଲକର ବରେହିପାଣି, ଦୂରଦୂରା ଓ ଶୁକ୍ରୁଳି ବ୍ଲକର ଚମ୍ପରେଇ ଅଂଚଳରେ ୨୦୧୪ ମସିହାରେ ମହାତ୍ମାଗାନ୍ଧୀ କର୍ମ ନିଯୁକ୍ତି ଯୋଜନାରେ ପ୍ରାୟ ୩୦୦ ଏକର ଜମିରେ ରବର ଚାରା ଲଗାଗଲା, ହେଲେ ଯତ୍ନ ନିଆଗଲା ନାହିଁ, ଫଳରେ ଲକ୍ଷ ଲକ୍ଷ ଟଙ୍କାର ଅପବ୍ୟୟ ହେଲା ।

ବାରିପଦା ସମନ୍ୱିତ ଆଦିବାସୀ ବିକାଶ ସଂସ୍ଥା ବାରିପଦା, ବଡ଼ସାହି, ଶାମାଖୁଂଟା ଭଳି ତିନି ବ୍ଲକରେ ପ୍ରାୟ ୨୫ କୋଟି ଟଙ୍କା ବ୍ୟୟରେ ପ୍ରାୟ ୨ ହଜାର ଏକର ଜମିରେ ରବର ଚାରା ରୋପଣ କରିଥିଲା । ତିନିଟି ବ୍ଲକର ୧୭ଟି ସ୍ଥାନରେ ରବର ଚାରା ରୋପଣ କରାଯାଇଥିବାବେଳେ ଏଠାରେ ସଫଳତାର ହାର ଅଧିକ ଥିବା ଦେଖିବାକୁ ମିଳିଛି । ତେବେ ଏବେ ଦେଖିବାର କଥା ହେଉଛି, ଏହି ରବର ପ୍ରକଳ୍ପରେ କେତେ ଦୁର୍ନୀତି ହୋଇଛି ଓ କୋଟି କୋଟି ଟଙ୍କା ଖର୍ଚ୍ଚ ପରେ ବି ଅନେକ ସ୍ଥାନରେ ପ୍ରକଳ୍ପର ବିଫଳତା ପାଇଁ କାହାକୁ ଦାୟୀ କରାଯିବ?

ସମ୍ବନ୍ଧିତ ଖବର