ପ୍ରଦୀପଙ୍କ ମାମଲାର ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ ଦେଲେ ଲୋକାୟୁକ୍ତ

ଭୁବନେଶ୍ୱର : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ରୁଜୁ ହୋଇଥିବା ଦୁର୍ନୀତି ମାମଲାକୁ ଲୋକାୟୁକ୍ତ ଆଜି ଭିଜିଲାନ୍ସକୁ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି| ଦୁର୍ନୀତି ମାମଲାର ତଦନ୍ତ ଲାଗି ଭିଜିଲାନ୍ସ ନିର୍ଦ୍ଦେଶକଙ୍କୁ ଲୋକାୟୁକ୍ତ ନିର୍ଦ୍ଦେଶ ଦେଇଛନ୍ତି | ଗତ ୭ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଆସିଥିବା ଦୁର୍ନୀତି ଅଭିଯୋଗର ତଦନ୍ତ ଲାଗି ଲୋକାୟୁକ୍ତଙ୍କୁ ସୁପାରିସ କରିଥିଲେ |

ଆଉ ମୁଖ୍ୟମନ୍ତ୍ରୀଙ୍କ ସୁପାରିସକୁ ଗ୍ରହଣ କରି ଲୋକାୟୁକ୍ତ ଏଭଳି ନିର୍ଦ୍ଦେଶ ଦେଇଛନ୍ତି | ଏହି ମାମଲାକୁ ୨ ମାସ ମଧ୍ୟରେ ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଆସନ୍ତା ଫେବୃୟାରି ୧୨ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ଲୋକାୟୁକ୍ତ ସ୍ପଷ୍ଟ କରିଛନ୍ତି |

ଲୋକାୟୁକ୍ତ ଗଠନ ପରେ ପ୍ରଥମ ମାମଲା ଭାବେ ରାଜ୍ୟ ସରକାର ପ୍ରଦୀପ ପାଣିଗ୍ରାହୀଙ୍କ ଦୁର୍ନୀତି ମାମଲାକୁ ସୁପାରିସ କରିଥିଲେ । ସୂଚନାଯୋଗ୍ୟ, ଗତ ୩ ତାରିଖରେ ପ୍ରଦୀପ ପାଣିଗ୍ରାହୀଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଜାମିନ୍‌ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା। ଏବେ ପ୍ରଦୀପ ପାଣିଗ୍ରାହୀ ଝାରପଡ଼ା ଜେଲ୍‌ରେ ଅଛନ୍ତି।

ସମ୍ବନ୍ଧିତ ଖବର