ପଞ୍ଚାୟତିରାଜ ବିଭାଗକୁ ଲୋକାୟୁକ୍ତଙ୍କ ନିର୍ଦେଶ, ଅଁଳୋ ସରପଞ୍ଚଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଅ

ଭୁବନେଶ୍ବର : କଟକ ଜିଲ୍ଲା ନିଆଳି ବ୍ଲକ୍‌ର ଅଁଳୋ ଗ୍ରାମପଞ୍ଚାୟତର ସରପଞ୍ଚ ସ୍ନିଗ୍‌ଧା ମହାନ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପଞ୍ଚାୟତିରାଜ ବିଭାଗକୁ ନିର୍ଦେଶ ଦେଇଛନ୍ତି ଲୋକାୟୁକ୍ତ। ଆସନ୍ତା ୩ମାସ ଭିତରେ ସରପଞ୍ଚଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦେଶ ଦିଆଯାଇଛି। ଏହାର ପରବର୍ତୀ ଶୁଣାଣି ଆସନ୍ତା ଏପ୍ରିଲ ୩ତାରିଖରେ କରାଯିବ ବୋଲି ଲୋକାୟୁକ୍ତଙ୍କ ପକ୍ଷରୁ କୁହାଯାଇଛି।

କଟକ ଜିଲ୍ଲା ନିଆଳି ବ୍ଲକ୍‌ ଅଧୀନ ଅଁଳୋ ଗ୍ରାମ ପଞ୍ଚାୟତରେ ବ୍ୟାପକ ଦୁର୍ନୀତି ଓ ସରକାରୀ ଅର୍ଥ ହରିଲୁଟ୍‌ ହୋଇଥିବା ନେଇ ସୂଚନାଧିକାର କର୍ମୀ ପ୍ରଦୀପ ପ୍ରଧାନ ଗତବର୍ଷ ସେପ୍ଟେମ୍ବର ମାସ ୪ତାରିଖରେ ଲୋକାୟୁକ୍ତଙ୍କ ନିଟକରେ ଅଭିଯୋଗ କରିଥିଲେ। ଅଭିଯୋଗରେ ଶ୍ରୀ ପ୍ରଧାନ ଦର୍ଶାଇଥିଲେ ଯେ, ସ୍ଥାନୀୟ ଗ୍ରାମ ପଞ୍ଚାୟତର କାଳିଆଘାଇ ହାଟ ନିଲାମ ବାବଦ ପ୍ରାୟ ୨ଲକ୍ଷ ଟଙ୍କା ସରପଞ୍ଚ ଶ୍ରୀମତୀ ମହାନ୍ତି ଚଞ୍ଚକତା କରି ଗ୍ରାମ ପଞ୍ଚାୟତ ଖାତାରେ ଜମା ନ କରି ନିଜ ପାଖରେ ରଖିଥିଲେ। ଗ୍ରାମବାସୀମାନେ ଏ ନେଇ ଅଭିଯୋଗ କରିବାରୁ ଉପଜିଲ୍ଲାପାଳ ଜିଲ୍ଲା ପଞ୍ଚାୟତ ଅଧିକାରୀଙ୍କୁ ଟଙ୍କା ଆଦାୟ ସହ ସରପଞ୍ଚଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦେଶ ଦେଇଥିଲେ। ମାତ୍ର ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିଲା। ସେହିପରି ୨୦୧୬-୧୭, ୨୦୧୭-୧୮ ଆର୍ଥିକ ବର୍ଷରେ ଗ୍ରାମ ପଞ୍ଚାୟତ ଉପର ମହଲା ପଲସ୍ତରା କାମ ଓ ଗୋଦାମ ଗୃହ ମରାମତି କାମ ବାବଦରେ ମଧ୍ୟ ମିଥ୍ୟା ବିଲ୍‌ କରି ୫ଲକ୍ଷ ଟଙ୍କା ସରପଞ୍ଚ ଓ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ହଡ଼ପ କରିଥିବା ଅଭିଯୋଗ ହୋଇଥିଲା। ଏହିଭଳି ଏକାଧିକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଅଭିଯୋଗ ସଂପର୍କରେ ସୂଚନା ଅଧିକାର ଆଇନ ବଳରେ ତଥ୍ୟ ମିଳିଥିଲା। ଲୋକାୟୁକ୍ତ ଅଭିଯୋଗକୁ ଗ୍ରହଣ କରିବା ସହିତ ଗତ ଡିସେମ୍ବର ମାସରେ ଜିଲ୍ଲାପାଳଙ୍କୁ ଏହାର ତଦନ୍ତ ନିର୍ଦେଶ ଦେଇଥିଲେ। ଜିଲ୍ଲାପାଳ ଏହା ଉପରେ ତଦନ୍ତ କରିବା ସହିତ ଓଡ଼ିଶା ପଞ୍ଚାୟତ ଆଇନ ୧୯୬୪ ଧାରା ୧୧୫ ଅନୁଯାୟୀ ସରପଞ୍ଚଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ପଞ୍ଚାୟତିରାଜ ନିର୍ଦେଶକଙ୍କୁ ସୁପାରିସ କରିବା ସହିତ ଲୋକାୟୁକ୍ତଙ୍କୁ ଏହାର ରିପୋର୍ଟ ପ୍ରଦାନ କରିଥିଲେ। ଜିଲ୍ଲାପାଳଙ୍କ ସୁପାରିସ ଆଧାରରେ ଲୋକାୟୁକ୍ତ ପଞ୍ଚାୟତିରାଜ ବିଭାଗକୁ ସରପଞ୍ଚଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦେଶ ଦେଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର