ନିମ୍ନମାନର ଛତୁଆ ଯୋଗାଣ, ତଦନ୍ତ ନିର୍ଦେଶ ଦେଲେ ଲୋକାୟୁକ୍ତ

ଭୁବନେଶ୍ବର : ମ‌ାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ଓ ଖଇରପୁଟ ବ୍ଲକ୍‌ରେ ନିମ୍ନମାନର ଓ କମ୍ ପରିମାଣର ଛତୁଆ ବଣ୍ଟନ ଅଭିଯୋଗ ଘଟଣାର ତଦନ୍ତ ନିର୍ଦେଶ ଦେଇଛନ୍ତି ଲୋକାୟୁକ୍ତ। ମହିଳା ଓ ଶିଶୁ ବିକାଶ ବିଭାଗର ନିର୍ଦେଶିକାଙ୍କୁ ଏହାର ତଦନ୍ତ କରି ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି। ଆସନ୍ତାମାସ ୧୫ତାରିଖରେ ମାମଲାର ପରବର୍ତୀ ଶୁଣାଣି କରାଯିବ ବୋଲି ଜଣାପଡ଼ିଛି।

ଗର୍ଭବତୀ ମହିଳା, ୬ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କୁ ପୋଷଣଯୁକ୍ତ ଖାଦ୍ୟ ଯୋଗାଇ ଦେବା ଲାଗି କେନ୍ଦ୍ର ସରକାର ଆଇସିଡିଏସ୍‌ ପ୍ରକଳ୍ପ କାର୍ଯ୍ୟକାରୀ କରିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଏଥିପାଇଁ ପ୍ରତିମାସରେ ଛତୁଆ, ସୁଜି ହାଲୱା, ବାଦାମ ଲଡ଼ୁ ଓ ଅଣ୍ଡା ଦିଆଯାଉଛି। ସ୍ବୟଂ ସହାୟକ ଗୋଷ୍ଠୀମାନେ ଏସବୁ ଖାଦ୍ୟ ପ୍ରସ୍ତୁତ କରୁଛନ୍ତି। ହେଲେ ଏହି ଦୁଇ ବ୍ଲକ୍‌ରେ ଧାର୍ଯ୍ୟ ପରିମାଣଠାରୁ କମ୍ ପରିମାଣର ଛତୁଆ, ସୁଜି ହାଲୱା ଓ ବାଦାମ ଲଡ଼ୁ ପ୍ରଦାନ କରାଯାଉଥିବା ନଜରକୁ ଆସିଥିଲା। ଏହାସହ ହିତାଧିକାରୀଙ୍କ ନିକଟରୁ ଏହି ଖାଦ୍ୟ ନମୁନାକୁ ସଂଗ୍ରହ କରି ରାଜ୍ୟ ଖାଦ୍ୟ ପରୀକ୍ଷାଗାରରେ ପରୀକ୍ଷା କରାଯାଇଥିଲା। ଏଥିରେ ଛତୁଆ ଓ ବାଦାମ ଲଡ଼ୁ ନିମ୍ନମାନର ଥିବା ଜଣାପଡ଼ିଥିଲା। ପରବର୍ତୀ ସମୟରେ ସୂଚନାଧିକାର କର୍ମୀ ପ୍ରଦୀପ ପ୍ରଧାନ ସମସ୍ତ ରିପୋର୍ଟକୁ ନେଇ ଲୋକାୟୁକ୍ତଙ୍କ ନିକଟରେ ମାମଲା ଦାୟର କରିଥିଲେ। ଘଟଣାର ଉପଯୁକ୍ତ ତଦନ୍ତ କରିବା ସହିତ ଏହି ଦୁର୍ନୀତିରେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ନିବେଦନ କରିଥିଲେ।

ଲୋକାୟୁକ୍ତ ମାମଲାକୁ ଗ୍ରହଣ କରିଥିଲେ। ପରବର୍ତୀ ସମୟରେ ଦୁଇ ବ୍ଲକ୍‌ର ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଏହାର ରିପୋର୍ଟ ପ୍ରଦାନ କରିଥିଲେ। ହେଲେ ଲୋକାୟୁକ୍ତ ଏଥିରେ ସନ୍ତୁଷ୍ଟ ନ ହେବା ସହିତ ମହିଳା ଓ ଶିଶୁ ବିକାଶ ବିଭାଗର ନିର୍ଦେଶିକଙ୍କୁ ଏହାର ତଦନ୍ତ କରିବା ଲାଗି ନିର୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର