ରାଜସ୍ବ, ଗୃହ ବିଭାଗ ବିରୋଧରେ ସର୍ବାଧିକ ଅଭିଯୋଗ
ଲୋକାୟୁକ୍ତରେ ଏବେ ୭୧୩ ମାମଲା ବିଚାରାଧୀନ
ଭୁବନେଶ୍ୱର : ଲୋକାୟୁକ୍ତ ଗଠନ ହେବା ପରଠାରୁ ରାଜ୍ୟରେ ଅନେକ ବଡ଼ ବଡ଼ ଦୁର୍ନୀତି ସଂପର୍କିତ ଅଭିଯୋଗ ଦାୟର ହେଉଛି। ଏସବୁ ଦୁର୍ନୀତି ତଦନ୍ତ ଦାୟିତ୍ବ ଭିଜିଲାନ୍ସକୁ ଦେଉଛନ୍ତି ଲୋକାୟୁକ୍ତ। ଏଭଳି ପରିସ୍ଥିତିରେ ଲୋକାୟୁକ୍ତଙ୍କ ଅଧୀନରେ ଭିଜିଲାନ୍ସ କାର୍ଯ୍ୟ କଲେ ଉଭୟ ଲୋକାୟୁକ୍ତ ଓ ଭିଜିଲାନ୍ସର ବିଶ୍ବସନୀୟତା ବଜାୟ ରହିବ। ରାଜ୍ୟ ସରକାରଙ୍କୁ ଏଭଳି ପ୍ରସ୍ତାବ ଦେଇଛନ୍ତି ଲୋକାୟୁକ୍ତ। କେବଳ ଭିଜିଲାନ୍ସ ବିଭାଗକୁ ଲୋକାୟୁକ୍ତଙ୍କ ଅଧୀନକୁ ଆଣିଲେ ହେବ ନାହିଁ। କାରଣ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ଶୁଣାଣି ସମୟରେ ଅନେକ ଆଇନଗତ ସମସ୍ୟା ରହୁଛି। ତେଣୁ ଦୁଇଜଣ ଆଇନ ବିଶେଷଜ୍ଞଙ୍କୁ ନିଯୁକ୍ତି ଦେବା ସହ ଲୋକାୟୁକ୍ତ କାର୍ଯ୍ୟାଳୟର ସୁପରିଚାଳନା ପାଇଁ ୨ ଏକର ଜମି ଯୋଗାଇ ଦେବା ଲାଗି ରାଜ୍ୟ ସରକାରଙ୍କୁ ନିଜର ବାର୍ଷିକ ରିପୋର୍ଟରେ ଲୋକାୟୁକ୍ତ ପ୍ରସ୍ତାବ ଦେଇଛନ୍ତି।
ଗତବର୍ଷ ମାର୍ଚରେ ଗୌହାଟୀ ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ୍ ଅଜିତ ସିଂହ ରାଜ୍ୟର ପ୍ରଥମ ଲୋକାୟୁକ୍ତ ଅଧ୍ୟକ୍ଷ ଭାବେ ଦାୟିତ୍ବ ନେଇଥିଲେ। ପରର୍ବତୀ ସମୟରେ ଲୋକାୟୁକ୍ତରେ ଏକାଧିକ ସଦସ୍ୟଙ୍କୁ ନିଯୁକ୍ତି ଦିଆଯାଇଥିଲା। ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁଯାୟୀ, ଗତବର୍ଷ ଏପ୍ରିଲରୁ ଚଳିତବର୍ଷ ଫେବ୍ରୁଆରି ଭିତରେ ଲୋକାୟୁକ୍ତଙ୍କ ନିକଟରେ ୧୫୨୬ ମାମଲା ରୁଜୁ ହୋଇଛି। ତହିଁରୁ ୮୨୦ ମାମଲାର ବିଚାର ହୋଇସାରିଛି। ଲୋକାୟୁକ୍ତଙ୍କ ବାର୍ଷିକ ରିପୋର୍ଟ ଅନୁଯାୟୀ ଗତବର୍ଷ ଏପ୍ରିଲରୁ ଡିସେମ୍ବର ମଧ୍ୟରେ ସମୁଦାୟ ୧୧୩୨ଟି ମାମଲା ପଞ୍ଜୀକୃତ ହୋଇଥିଲା। ଏହି ସମୟ ଭିତରେ ସମୁଦାୟ ୫୪୮ଟି ପଞ୍ଜୀକୃତ ଓ ପୂର୍ବରୁ ଲୋକାପାଳଙ୍କ ସମୟର ୧୬୬ଟି ମାମଲାକୁ ମିଶାଇ ସମୁଦାୟ ୭୧୪ ମାମଲାର ଫଇସଲା ହୋଇପାରିଛି।
ତେବେ ଲୋକାୟୁକ୍ତ କେବଳ ଦୁର୍ନୀତି ଅଭିଯୋଗର ଶୁଣାଣି କରିବାର ନିୟମ ରହିଥିବାରୁ ଏଥିରୁ ମାମଲାଗୁଡ଼ିକର ଯାଞ୍ଚ କରାଯାଇ କେବଳ ଦୁର୍ନୀତି ସମ୍ବନ୍ଧୀୟ ମାମଲାକୁ ହିଁ ଲୋକାୟୁକ୍ତ ଗ୍ରହଣ କରିଥିଲେ। ଲୋକପାଳଙ୍କ ସମୁଦାୟ ୧୪୧୮ ମାମଲାରୁ ଦୁର୍ନୀତି ସମ୍ବନ୍ଧୀୟ ୧୬୬ ମାମଲାର ବିଚାର ହୋଇଛି। ଆହୁରି ୨୯ ମାମଲାର ଫଇସଲା ହେବା ବାକି ରହିଛି। ତେବେ ୧୨୨୩ ଅଣ ଦୁର୍ନୀତି ସମ୍ବନ୍ଧୀୟ ଅଭିଯୋଗକୁ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗକୁ ପଠାଇ ଦିଆଯାଇଛି। ଯଦିଓ ଲୋକାୟୁକ୍ତ ନିଯୁକ୍ତ ହେବା ପରେ ମାମଲାର ବିଚାର ଆରମ୍ଭ ହୋଇଛି, ମାତ୍ର ଲୋକାୟୁକ୍ତଙ୍କ ରେଗୁଲେସନ୍ ଓ ଗୁରୁତ୍ବପୂର୍ଣ୍ଣ ରୁଲ୍ ଫ୍ରେମ୍ ହେବା ବାକି ରହିଛି। ୨୦୧୪ ଓଡ଼ିଶା ଲୋକାୟୁକ୍ତ ଆଇନ ଧାରା ୫୭ରେ ଲୋକାୟୁକ୍ତଙ୍କ ରୁଲ୍ ଫ୍ରେମ୍ କରାଯିବାର ନିୟମ ରହିଛି। ରାଜ୍ୟ ସରକାର ବିଜ୍ଞପ୍ତି ଜରିଆରେ ଏହି ରୁଲ୍ ଫ୍ରେମ୍ କରିପାରିବେ। ନିକଟରେ ଲୋକାୟୁକ୍ତ ୩ଟି ରୁଲ୍ ଫ୍ରେମ୍ ହୋଇଥିବା ବେଳେ ୨ଟି ଗୁରୁତ୍ବପୂର୍ଣ୍ଣ ରୁଲ୍ ଫ୍ରେମ୍ ଲାଗ ହୋଇପାରିନାହିଁ। ଲୋକାୟୁକ୍ତ ସଚିବ ମାନସ ତ୍ରିପାଠୀ କହିଛନ୍ତି, ଲୋକାୟୁକ୍ତଙ୍କ ପାଇଁ ସମଦାୟ ୫ଟି ରୁଲ୍ ରହିଛି। ଓଡ଼ିଶା ଲୋକାୟୁକ୍ତ ମାମଲା ଦାଖଲ ପ୍ରକ୍ରିୟା ୨୦୧୯, ଓଡ଼ିଶା ଲୋକାୟୁକ୍ତ ଆପଏମେଣ୍ଟ ଆଣ୍ଡ କଣ୍ଡିସନ୍ ଅଫ ସର୍ଭିସ୍ ଅଫ୍ ସେକ୍ରେଟାରି, ଅଫିସର୍ସ ଏଣ୍ଡ ଷ୍ଟାଫ୍ ରେଗୁଲେସନ୍-୨୦୧୯କୁ ବାଦ୍ ଦେଲେ ଅନ୍ୟ ୩ଟି ରୁଲ୍ କାର୍ଯ୍ୟକାରୀ ହୋଇସାରିଛି।
ସୂଚନାଧିକାରୀ କର୍ମୀ ପ୍ରଦୀପ ପ୍ରଧାନ କହିଛନ୍ତି, ଲୋକାୟୁକ୍ତରେ ଅନେକ ବଡ଼ ବଡ଼ ଦୁର୍ନୀତି ସଂପର୍କିତ ଅଭିଯୋଗର ତଦନ୍ତ ଭାର ଲୋକାୟୁକ୍ତ ଭିଜିଲାନ୍ସଙ୍କୁ ଦେଉଛନ୍ତି। ଭିଜିଲାନ୍ସ ଏହାର ତଦନ୍ତ କରୁଛି। ତେଣୁ ଭିଜିଲାନ୍ସ ସିଧାସଳଖ ଲୋକାୟୁକ୍ତଙ୍କ ଅଧୀନରେ କାର୍ଯ୍ୟ କରିବା ଉଚିତ। ଯାହାଦ୍ବାରା ଭିଜିଲାନ୍ସ ବିଭାଗ ପ୍ରତି ସାଧାରଣଲୋକଙ୍କ ବିଶ୍ବସନୀୟତା ବଜାୟ ରହିବ। ଯଦି ଭିଜିଲାନ୍ସ ଲୋକାୟୁକ୍ତ ଅଧୀନରେ କାର୍ଯ୍ୟ କରିବ, ତାହାଲେ ଭିଜିଲାନ୍ସ ଓ ଏହାର ତଦନ୍ତ ନେଇ ଲୋକଙ୍କ ବିଶ୍ବାସ ବଜାୟ ରହିପାରିବ। ଏହାସହ ଲୋକାୟୁକ୍ତଙ୍କ ନିକଟରେ ଏବେ ବି ଗୁରୁତ୍ବପୂର୍ଣ୍ଣ ରୁଲ୍ ଫ୍ରେମ୍ କାର୍ଯ୍ୟକାରୀ ହେବା ବାକି ରହିଛି। ମାମଲାଗୁଡ଼ିକ କିଭଳି ଫାଇଲ ହେବ, ଲୋକାୟୁକ୍ତ କିଭଳି ମାମଲାର ଦଣ୍ଡବିଧାନ ହେବ, ତାହାର ପ୍ରକ୍ରିୟା ରାଜ୍ୟ ସରକାର କାର୍ଯ୍ୟକାରୀ କରିନାହାନ୍ତି। ଫଳରେ ଲୋକୟୁକ୍ତ ଏବେ ବି ସଂପୂର୍ଣ୍ଣ ଭାବେ କାର୍ଯ୍ୟକାରୀ ହୋଇପାରି ନାହିଁ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।
ଇତିମଧ୍ୟେରେ ମିଳିଥିବା ସୂଚନା ଅନୁଯାୟୀ ଗତବର୍ଷ ଏପ୍ରିଲରୁ ଲୋକାୟୁକ୍ତ କାର୍ଯ୍ୟକ୍ଷମ ହେବାଠାରୁ ଚଳିତବର୍ଷ ଫେବ୍ରୁଆରି ପର୍ଯ୍ୟନ୍ତ ୭୧୩ଟି ମାମଲା ବିଚାରାଧୀନ ରହିଛି। ଏଥିରେ ଗତବର୍ଷ ଏପ୍ରିଲରୁ ଡିସେମ୍ବର ଭିତରେ ୧୧୩୨ ମାମଲା ପଞ୍ଜୀକୃତ ହୋଇଥିବା ବେଳେ ୫୪୮ ମାମଲାର ଫଇସଲା ହୋଇପାରିଛି। ଏହି ସମୟରେ ଲୋକାୟୁକ୍ତଙ୍କ ଫଇସଲା ହାର ୪୮ ପ୍ରତିଶତ ରହିଛି। ଏଥିରେ ରାଜସ୍ବ ଓ ଗୃହ ବିଭାଗ ବିରୋଧରେ ସର୍ବାଧିକ ଅଭିଯୋଗ ହୋଇଥିବା ଜଣାପଡ଼ିଛି। ସମୁଦାୟ ଭାବେ ଫେବ୍ରୁଆରି ମାସ ପର୍ଯ୍ୟନ୍ତ ୭୧୩ ମାମଲା ବିଚାରାଧୀନ ରହିଥିବା ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟରୁ ଜଣାପଡ଼ିଛି। ରାଜସ୍ବ ବିଭାଗ ବିରୋଧରେ ସର୍ବାଧିକ ୩୭୩ ମାମଲା ହୋଇଥିବା ବେଳେ ମାତ୍ର ୮୨ଟିର ଫଇସଲା ହୋଇପାରିଛି। ଏହାସହ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ବିରୋଧରେ ୧୮୩ଟି ଓ ଗୃହ ବିଭାଗ ବିରୋଧରେ ୧୪୩ ମାମଲା ଆସିଛି। ଦୁଇଟି ବିଭାଗରୁ ୧୦୦ ଲେଖାଏଁ ମାମଲାର ଫଇସଲା ହୋଇସାରିଛି। ବିପର୍ଯ୍ୟୟ ପରିଚାଳନା, ଏମ୍ଏସ୍ଏମ୍ଇ, ସଂସ୍କୃତି, ବିଜ୍ଞାନ ଓ ପ୍ରଯୁକ୍ତି, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ହସ୍ତତନ୍ତ ଓ ହସ୍ତଶିଳ୍ପ, ଯୋଜନା ଓ ସମନ୍ବୟ ଓ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ବିରୋଧରେ ଗୋଟିଏ ହେଲେ ମାମଲା ଲୋକାୟୁକ୍ତକୁ ଆସିନାହିଁ। ରାଜ୍ୟରେ ଲୋକାୟୁକ୍ତ ଗଠନ ହେବା ପୂର୍ବରୁ ଲୋକପାଳ କାର୍ଯ୍ୟ କରୁଥିଲା। ତେବେ ଲୋକପାଳଙ୍କ ନିକଟରେ ଦୁର୍ନୀତି ଅଭିଯୋଗଠାରୁ ଆରମ୍ଭ କରି ଚାକିରି ସମ୍ବନ୍ଧୀୟ ଅନ୍ୟାନ୍ୟ ଅଭିଯୋଗ ରହିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/lokayukta.jpg)