୧୦ରେ ଲୋକାୟୁକ୍ତ ମନୋନୟନ କମିଟି ବୈଠକ

ଭୁବନେଶ୍ବର : ଆସନ୍ତା ୧୦ ତାରିଖ ସନ୍ଧ୍ୟାରେ ରାଜ୍ୟ ଅତିଥି ଭବନରେ ଲୋକାୟୁକ୍ତ ସିଲେକ୍ଟ କମିଟି ବୈଠକ ଅନୁଷ୍ଠିତ ହେବ। ବୈଠକରେ ଗଠନ କରାଯିବ ୫ ଜଣିଆ ସର୍ଚ କମିଟି। ଏହି କମିଟି ଲୋକାୟୁକ୍ତ ଓ ସଦସ୍ୟମାନଙ୍କୁ  ଚୟନ କରିବ। ବିଳମ୍ବରେ ହେଲେ ବି ରାଜ୍ୟରେ ଲୋକାୟୁକ୍ତ ଗଠନ ପ୍ରକ୍ରିୟା ଜାରି ରହିଛି। ଅବଶ୍ୟ, ନିୟମିତ ସମୟ ବ୍ୟବଧାନରେ ସୁପ୍ରିମ କୋର୍ଟ ଏହି ପ୍ରକ୍ରିୟା ତ୍ବରାନ୍ବିତ କରିବାକୁ ରାଜ୍ୟ ସରକାରଙ୍କୁ ତାଗିଦ୍‌ କରୁଛନ୍ତି।

ଆସନ୍ତା ୧୦ ତାରିଖରେ ଲୋକାୟୁକ୍ତ ସିଲେକ୍ଟ କମିଟିର ପୂର୍ଣ୍ଣାଙ୍ଗ ବୈଠକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ। ସିଲେକ୍ଟ କମିଟି ୫ଜଣିଆ ସର୍ଚ କମିଟି ଗଠନକୁ ମଞ୍ଜୁରି ଦେବେ। ସର୍ଚ କମିଟି ଲୋକାୟୁକ୍ତ ପଦବି ପାଇଁ ପ୍ରାୟ ୫ଜଣ ଏବଂ ଏହାର ସଦସ୍ୟ ଭାବେ ଆହୁରି ୧୦ଜଣଙ୍କ ନାମ ଚୟନ କରି ସେମାନଙ୍କ ସଂପର୍କରେ ରିପୋର୍ଟ ଦେବେ। ତେବେ ସର୍ଚ କମିଟି ଲୋକାୟୁକ୍ତ ଓ ସଦସ୍ୟମାନଙ୍କ ନାମ ଓ ଯୋଗ୍ୟତା ସଂପର୍କିତ ରିପୋର୍ଟ ଦେବା ପରେ ସେହି ରିପୋର୍ଟ ଆଧାରରେ ସିଲେକ୍ଟ କମିଟି ଲୋକାୟୁକ୍ତ ଓ ସଦସ୍ୟମାନଙ୍କୁ ଚୟନ କରିବେ।

ସୂଚନାଯୋଗ୍ୟ, ସିଲେକ୍ଟ କମିଟିରେ ମୁଖ୍ୟମନ୍ତ୍ରୀଙ୍କ ସହିତ ହାଇ‌େକାର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ୍‌.ଜାଭେରୀ, ବାଚସ୍ପତି ପ୍ରଦୀପ କୁମାର ଅମାତ୍‌ ଓ ବିରୋଧୀ ଦଳ ନେତା ନରସିଂହ ମିଶ୍ର ସଦସ୍ୟ ଅଛନ୍ତି। ଏହାର ପଞ୍ଚମ ସଦସ୍ୟ ଭାବେ ସୁପ୍ରିମ କୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଅନଙ୍ଗ ପଟ୍ଟନାୟକଙ୍କୁ ଚୟନ କରାଯାଇଛି। ସିଲେକ୍ଟ କମିଟି ତାଙ୍କ ନାମ ଚୂଡ଼ାନ୍ତ କରି ରାଜ୍ୟପାଳଙ୍କ ନିକଟକୁ ସୁପାରିସ କରିଥିଲେ। ରାଜ୍ୟପାଳ ତାଙ୍କ ନାମକୁ ଅନୁମୋଦନ ଦେଇଛନ୍ତି। ଗତ ଜୁଲାଇ୯ ତାରିଖରେ ଲୋକାୟୁକ୍ତ ନିଯୁକ୍ତି ପାଇଁ ସର୍ଚ କମିଟି ଗଠନ ପାଇଁ ରାଜ୍ୟ ସରକାର ‌ବିଜ୍ଞପ୍ତି ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର