ଭୁବନେଶ୍ବର/କାଳିଆପାଣି : ଆସନ୍ତା ମାର୍ଚ ୨୧ ତାରିଖରେ ନଗଡ଼ା ପରିଦର୍ଶନରେ ଯିବେ ଲୋକାୟୁକ୍ତ। ସଦଳବଳ ନଗଡ଼ା ଗସ୍ତକରି ବାସ୍ତବ ସ୍ଥିତି ପରଖିବେ। ନଗଡ଼ାରେ ସରକାରଙ୍କ ପକ୍ଷରୁ ଚାଲିଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମରେ ହୋଇଥିବା ବ୍ୟାପକ ଦୁର୍ନୀତିର ଯାଞ୍ଚ କରିବେ। ଏହି ଦଳରେ ଲୋକାୟୁକ୍ତ ଅଧ୍ୟକ୍ଷ ଜଷ୍ଟିସ୍ ଅଜିତ୍ ସିଂହଙ୍କ ସହିତ ଲୋକାୟୁକ୍ତ ସଦସ୍ୟ ଡ. ରାଜେନ୍ଦ୍ର କୁମାର ଶର୍ମା, ଲୋକାୟୁକ୍ତ ତଦନ୍ତ ନିର୍ଦେଶକ ଏବଂ ଏକାଧିକ ଅଭିଜ୍ଞ ଯନ୍ତ୍ରୀ ସାମିଲ ହେବେ ବୋଲି ଜଣାପଡ଼ିଛି। ଏଥିପାଇଁ ଯାଜପୁର ଜିଲ୍ଲାପାଳଙ୍କ ସମେତ ଡିଆରଡିଏର ପ୍ରକଳ୍ପ ନିର୍ଦେଶକ, ସୁକିନ୍ଦା ବିଡିଓ, ଯାଜପୁର ଟାଉନର ନିର୍ବାହୀ ଯନ୍ତ୍ରୀ ଆରଡି-୧, ଧବଳିଗିରିର ବିଦ୍ୟୁତ ବିଭାଗର ନିର୍ବାହୀ ଯନ୍ତ୍ରୀ, ଆରଡବ୍ଲୁଏସ୍ଏସ୍ର ନିର୍ବାହୀ ଯନ୍ତ୍ରୀ, ଜିଲ୍ଲା ସାମାଜିକ କଲ୍ୟାଣ ଅଧିକାରୀଙ୍କୁ ସେଦିନ ସମସ୍ତ ରେକର୍ଡ ସହିତ ଉପସ୍ଥିତ ରହିବା ପାଇଁ ନିର୍ଦେଶ ଦିଆଯାଇଛି। ରାଜ୍ୟରେ ଲୋକାୟୁକ୍ତ ଗଠନ ହେବା ପରେ ଏହାର ଅଧ୍ୟକ୍ଷଙ୍କ ସମେତ ଅନ୍ୟ ସଦସ୍ୟ କ୍ଷେତ୍ର ପରିଦର୍ଶନ କରି ଯାଞ୍ଚ କରିବା ପ୍ରଥମ ଘଟଣା ହେବ।
୨୦୧୬ ମସିହାରେ ଯାଜପୁର ଜିଲ୍ଲାର ନଗଡ଼ା ଗ୍ରାମରେ ୨୩ଜଣ ଜୁଆଙ୍ଗ ଆଦିବାସୀ ଶିଶୁ ପୁଷ୍ଟିହୀନତାର ଶିକାର ହୋଇ ପ୍ରାଣ ହରାଇବା ଘଟଣା ରାଜ୍ୟବ୍ୟାପୀ ଚର୍ଚାର ବିଷୟ ପାଲଟିଥିଲା। ଚାରିଆଡ଼ୁ ସମାଲୋଚନାର ଶିକାର ହେବା ପରେ ରାଜ୍ୟ ସରକାର ନଗଡ଼ାର ସାମଗ୍ରିକ ବିକାଶ ସହିତ ଜୁଆଙ୍ଗ ଆଦିବାସୀଙ୍କ ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ଅନେକ କାର୍ଯ୍ୟକ୍ରମ ହାତକୁ ନେଇଥିଲେ। ତେବେ ଏସବୁ କାର୍ଯ୍ୟକ୍ରମରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା। ସୂଚନାଧିକାର ଆଇନରେ ବିଭିନ୍ନ ପ୍ରକଳ୍ପରେ ୨୩ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ନଜରକୁ ଆସିବା ପରେ ସୂଚନାଧିକାର କର୍ମୀ ପ୍ରଦୀପ ପ୍ରଧାନଙ୍କ ନେତୃତ୍ବରେ ଏକ ୫ଜଣିଆ ଟିମ୍ ନଗଡ଼ା ପରିଦର୍ଶନ କରିଥିଲେ। ସେଠାରେ ସେମାନେ ବିଭିନ୍ନ ପ୍ରକଳ୍ପରେ କାମ ଅଧାଗଡ଼ା ହୋଇଥିବା ଦେଖିବାକୁ ପାଇଥିଲେ। ଏହା ବିରୋଧରେ ଗତବର୍ଷ ଅକ୍ଟୋବର ୧୪ତାରିଖରେ ଶ୍ରୀ ପ୍ରଧାନ ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ଲୋକାୟୁକ୍ତ ଯାଜପୁର ଜିଲ୍ଲାର ବିଭିନ୍ନ ବିଭାଗର ୬ଜଣ ଅଧିକାରୀଙ୍କୁ ନୋଟିସ୍ ଜାରି କରିଥିଲେ। ୬ ସପ୍ତାହ ଭିତରେ ଏହାର ଜବାବ ରଖିବା ଲାଗି ଲୋକାୟୁକ୍ତ ନିର୍ଦେଶ ଦେଇଥିଲେ।
ଚଳିତବର୍ଷ ଜାନୁଆରି ୨୮ତାରିଖରେ ଏହାର ପରବର୍ତୀ ଶୁଣାଣି ହୋଇଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ପକ୍ଷରୁ ଦିଆଯାଇଥିବା ତଥ୍ୟରେ ତ୍ରୁଟି ରହିଥିବା ଶ୍ରୀ ପ୍ରଧାନ ଦର୍ଶାଇଥିଲେ। ଚଳିତ ମାସ ୧୨ତାରିଖରେ ହୋଇଥିବା ଶୁଣାଣିରେ ଅଭିଯୋଗକାରୀ ଶ୍ରୀ ପ୍ରଧାନଙ୍କ ପକ୍ଷରୁ ସଂଯୁକ୍ତା ପାଣିଗ୍ରାହୀ ଓ ସୁଧୀର ମହାନ୍ତି ନଗଡ଼ା ଦୁର୍ନୀତି ସଂପର୍କିତ ବଳିଷ୍ଠ ତଥ୍ୟ ପ୍ରମାଣ ଉପସ୍ଥାପନ କରିଥିଲେ। ଯାହାକି ଲୋକାୟୁକ୍ତଙ୍କୁ ପ୍ରଭାବିତ କରିଥିଲା। ଶେଷରେ ଲୋକାୟୁକ୍ତ ଅଧ୍ୟକ୍ଷ ଜଷ୍ଟିସ ସିଂ ଓ ତଦନ୍ତ ନିର୍ଦେଶକ ନିଜେ ଯାଇ ନଗଡ଼ା ସ୍ଥିତି ପରଖିବାକୁ ଇଚ୍ଛା ପ୍ରକାଶ କରିଥିଲେ ଏବଂ ଏ ନେଇ ବିଧିବଦ୍ଧ ଭାବେ ନିର୍ଦ୍ଦେଶ ଜାରି କରିଥିଲେ।
ଲୋକାୟୁକ୍ତ କହିଛନ୍ତି ଯେ, ୨୦୧୬ ମସିହାରେ ସ୍ଥାନୀୟ ଅଞ୍ଚଳରେ ୭.୬ କି.ମି ରାସ୍ତା ପାଇଁ ୧୩ କୋଟି ଟଙ୍କା ଖର୍ଚ କରାଯାଇଥିଲା। ମାତ୍ର ଖୁବଶୀଘ୍ର ଏହା ନଷ୍ଟ ହୋଇଯାଇଥିଲା। ତେଣୁ ଗାଡ଼ି ଚଳାଚଳ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଜନ ପଦକ୍ଷେପ ଗ୍ରହଣ କରିବା ଲାଗି ଲୋକାୟୁକ୍ତ କହିଛନ୍ତି। ଆସନ୍ତା ମାର୍ଚ ୨୧ତାରିଖରେ ସୁକିନ୍ଦାର ପୂର୍ତ୍ତ ବିଭାଗ ବଙ୍ଗଳାରେ ବୈଠକ ପାଇଁ ସ୍ଥିର କରାଯାଇଛି। ସେଦିନ ସଂପୃକ୍ତ ପ୍ରଶାସକ, ଯନ୍ତ୍ରୀ ଓ ଅନ୍ୟ ଅଧିକାରୀମାନେ ସକାଳ ୧୦ଟା ସୁଦ୍ଧା ଏଠାରେ ସାକ୍ଷାତ କରିବା ପରେ ତାଙ୍କ ସହ ନଗଡ଼ା ଗସ୍ତରେ ଯିବେ। ତଦନ୍ତ ସମୟରେ ଉପରୋକ୍ତ ପ୍ରଶାସକ, ଯନ୍ତ୍ରୀ ଓ ଅଧିକାରୀ ଉପସ୍ଥିତ ରହି ସମୀକ୍ଷାରେ ସହଯୋଗ କରିବାକୁ ଲୋକାୟୁକ୍ତଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। ଯାହାଫଳରେ ଅଭିଯୋଗ ହୋଇଥିବା ଘଟଣାର ନିରପେକ୍ଷ ଯାଞ୍ଚ ହୋଇପାରିବ। ମାର୍ଚ ୩୦ତାରିଖରେ ଏହାର ପରବର୍ତୀ ଶୁଣାଣି କରାଯିବ ବୋଲି ଲୋକାୟୁକ୍ତ କାର୍ଯ୍ୟାଳୟରୁ ସୂଚନା ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/02/nagada6-kMvG-621x414@LiveMint.jpg)