ଚୌଦ୍ବାର : ମାସକ ତଳେ ଲୋକମାନ୍ୟ ତିଳକ ସୁପରଫାଷ୍ଟ୍ ଏକ୍ସପ୍ରେସ୍ ଏକ ମାଲ୍ବାହୀ ଟ୍ରେନ୍କୁ ଧକ୍କା ଦେବା କାରଣରୁ ବହୁ ଯାତ୍ରୀ ଆହତ ହୋଇଥିଲେ। ଆଜି ସକାଳେ ପୁଣିଥରେ ଏହି ଟ୍ରେନ୍ର ୨ଟି ବଗି ଓ ଇଞ୍ଜିନ୍ ଅନ୍ୟ ବଗିଗୁଡ଼ିକୁ ଛାଡ଼ି ୧ କିଲୋମିଟର ଦୂର ପଳାଇଛି। ହୋସ୍ ଭଲ୍ୟୁମ୍ ପାଇପ୍ ଫାଟିଯିବାରୁ ଏଭଳି ଘଟିଥିବା କୁହାଯାଉଛି। ଏହି କାରଣରୁ ପ୍ରାୟ ଅଧଘଣ୍ଟାଏ ଧରି ଏହି ଲାଇନ୍ରେ ରେଳ ଚଳାଚଳ ବନ୍ଦ ରହିଥିଲା। ରେଳାଇ ଟେକ୍ନିକାଲ ଟିମ୍ ପହଞ୍ଚି ଭଲ୍ୟୁମ୍ ପାଇପ୍ ମରାମତି କରିବା ପରେ ରେଳ ଚଳାଚଳ ସ୍ବାଭାବିକ ହୋଇଥିଲା। ଦୁର୍ଘଟଣା ଯୋଗୁଁ ଯାତ୍ରୀମାନଙ୍କର କିଛି କ୍ଷୟକ୍ଷତି ହୋଇ ନଥିବା ଜଣାପଡ଼ିଛି।
ଆଜି ସକାଳ ପ୍ରାୟ ୮ଟା ବେଳେ ଭୁବନେଶ୍ବରରୁ ମହାରାଷ୍ଟ୍ର ଯାଉଥିବା ୧୨୮୮୦ ଲୋକମାନ୍ୟ ତିଳକ ସୁପରଫାଷ୍ଟ୍ ଏକ୍ସପ୍ରେସ୍ର ଇଞ୍ଜିନ୍ ଚୌଦ୍ବାର ଶାଳଗାଁ ଷ୍ଟେସନ ପାଖ ପ୍ରଧାନିଆ ଗ୍ରାମ ନିକଟରେ ବଗିକୁ ଛାଡ଼ି ପଳାଇଯାଇଥିଲା। ପ୍ରାୟ ୧ କିଲୋମିଟର ଯିବା ପରେ ଟ୍ରେନ୍ ଡ୍ରାଇଭର ଏହାକୁ ଅଟକାଇବାକୁ ସମର୍ଥ ହୋଇଥିଲେ। ଟ୍ରେନର ହୋସ ଭଲ୍ୟୁମ୍ ପାଇପ୍ ଫାଟିଯିବାରୁ ଧୂଆଁ ବାହାରିଥିଲା ଓ ଇଞ୍ଜିନ ସହିତ ୨ଟି ବଗି ଅନ୍ୟ ବଗିଗୁଡ଼ିକୁ ଛାଡ଼ି ପ୍ରାୟ ୧କିଲୋମିଟର ଆଗକୁ ଚାଲିଯାଇଥିଲେ। ଖବର ପାଇ ରେଳବାଇ ଟେକ୍ନିକାଲ ଟିମ୍ ଘଟଣାସ୍ଥଳରେ ପହଞ୍ଚି ହୋସ୍ ଭଲ୍ୟୁମ୍ ପାଇପ୍ ମରାମତି କରିବା ପରେ ଟ୍ରେନ୍ ଚଳାଚଳ ସ୍ବାଭାବିକ ହୋଇଥିଲା। ଦୁର୍ଘଟଣା ଯୋଗୁଁ ଏହି ଲାଇନ୍ରେ ପ୍ରାୟ ଅଧଘଣ୍ଟାଏ ଧରି ଟ୍ରେନ୍ ଚଳାଚଳ ବନ୍ଦ ରହିଥିଲା।
ସୂଚନାଯୋଗ୍ୟ, ମାସକ ତଳେ ଏହି ସୁପରଫାଷ୍ଟ ଟ୍ରେନ ନିର୍ଗୁଣ୍ଡି ନିକଟରେ ଏକ ମାଲବାହୀ ଟ୍ରେନ୍କୁ ଧକ୍କା ଦେବାରୁ ବହୁ ଯାତ୍ରୀ ଗୁରୁତର ଆହତ ହୋଇଥିଲେ। ଆଜି ପୁଣି ପ୍ରଧାନିଆ ନିକଟରେ ଲୋକମାନ୍ୟ ତିଳକ ସୁପରଫାଷ୍ଟ୍ ଏକ୍ସପ୍ରେସ୍ର ଇଞ୍ଜିନ୍ ବଗିକୁ ଛାଡ଼ି ପଳାଇବା ପରେ ସାଧାରଣରେ ଏହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି।