ସମ୍ବଲପୁର : ବୁଧବାର ସ˚ଧୢାରେ ଝାଡ଼ୁଆପଡ଼ାର ଲୋକନାଥ ବାବା ଏବ˚ ମୁଦିପଡ଼ାର ଜାଗେଶ୍ବର ବାବାଙ୍କ ପତରପେଁଡ଼ି ଅନୁଷ୍ଠିତ ହୋଇ ଯାଇଛି। ପତରପେଁଡ଼ି ଜରିଆରେ ମହାଦେବଙ୍କ ବିବାହ ସ୍ଥିର ହେବା ପରେ ଗୁରୁବାର ବିଭିନ୍ନ ପଡ଼ାର ଦେବ ନିମନ୍ତ୍ରଣ କାର୍ଯ୍ୟକ୍ରମ ରହିଛି।
ବୁଧବାର ରାତି ୮ଟାରେ ବରପିତା ସନ୍ତୋଷ ସୁପକାର ଝାଡୁଆପଡ଼ାର ମୁରବୀମାନଙ୍କ ସହ ଲୋକନାଥ ବାବାଙ୍କ ପାଇଁ କନ୍ୟା ଅନ୍ବେଷଣରେ ବାହାରିଥିଲେ। ରଥାରୁଢ଼ ବରପିତା ସରଗିପତ୍ରରେ ଶିବଙ୍କ ବେଲପତ୍ର ଓ ଫୁଲ ଧରିଥିବାବେଳେ ସାଥୀରେ ସପ୍ତଋଷି ଓ ପଡ଼ାବାସୀ ଚାଲିଥିଲେ। ଶୋଭାଯାତ୍ରା ଝାଡୁଆପଡ଼ାର ଲୋକନାଥ ବାବାଙ୍କ ମନ୍ଦିରରୁ ବାହାରି ବିବାହସ୍ଥଳ ପାଟଣେଶ୍ବରୀ କଲ୍ୟାଣ ମଣ୍ଡପରେ ପହଞ୍ଚିଥିଲା। ବରପକ୍ଷ କନ୍ୟା ପିତାମାତା ଅମୀୟ ମୁଣ୍ଡ ଏବଂ ସମିତା ମୁଣ୍ଡଙ୍କୁ ତାଙ୍କର ସର୍ବଗୁଣସମ୍ପନ୍ନା କନ୍ୟାର ହାତ ମାଗିଥିଲେ। କନ୍ୟାପକ୍ଷ ପୁଅର ଗୁଣଗ୍ରାମ ବିଷୟରେ ପଚାରି ବୁଝିଥିଲେ। ପରେ ଉଭୟ ପକ୍ଷ ବିବାହ ପାଇଁ ରାଜି ହୋଇଥିଲେ। ବରପିତା ସପ୍ତଋଷିଙ୍କ ଉପସ୍ଥିତିରେ କନ୍ୟା ପିତାମାତାଙ୍କୁ ଲୋକନାଥଙ୍କ ବେଲପତ୍ର, ଫୁଲ ଓ ସରଗିପତ୍ର ଦେଇ ବିବାହ ପକ୍କା କରିଥିଲେ।
ସେହିପରି ମୁଦିପଡ଼ାସ୍ଥିତ ଜାଗେଶ୍ବର ବାବାଙ୍କ ମନ୍ଦିରରେ ପୂଜାର୍ଚନା ପରେ କନ୍ୟା ସ˚ଧାନରେ ଶୋଭାଯାତ୍ରା ବାହାରିଥିଲା। ବରପିତା ମଧୁସୂଦନ ନେଗୀ, ସପ୍ତଋଷି ଏବଂ ପଡ଼ାବାସୀଙ୍କ ସହ ଯାଇ ପଟ୍ଟନାୟକପଡ଼ାସ୍ଥିତ କନ୍ୟାଳୟରେ ପହଞ୍ଚିଥିଲେ। ସେଠାରେ କନ୍ୟା ପିତାମାତା ରାଜେଶ ଚନ୍ଦ୍ର ବହିଦାର ଏବଂ ଜାଗୃତି ବହିଦାର ବରପକ୍ଷଙ୍କୁ ସ୍ବାଗତ କରିବା ସହ ସରଗିପତ୍ର ପ୍ରଦାନ ଜରିଆରେ ଜାଗେଶ୍ବର ବାବା ଓ ମାତା ପାର୍ବତୀଙ୍କ ବିବାହ ସ୍ଥିର ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/SBPHO5-SBP-Jhaduapada-Patarpendi.jpg)