ବିଶ୍ରା: ରବିବାର ରାତିରେ ଏକ ସଡ଼କ ଦୁର୍ଘଟଣାରେ ଆହତ ହୋଇଥିବା ଲୋକୋ ପାଇଲଟ୍ (ରେଳ ଡ୍ରାଇଭର) କାହ୍ନୁଚରଣ ସାହୁଙ୍କର ମଙ୍ଗଳବାର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ଏହି ଘଟଣା ପରେ ରାଉରକେଲା ଏବଂ ବନ୍ଧମୁଣ୍ଡାର ରନିଂ ବ୍ରାଞ୍ଚର ବିଭିନ୍ନ କର୍ମଚାରୀଙ୍କ ମଧ୍ୟରେ ଶୋକ ପ୍ରକାଶ ପାଇଛି। ସୂଚନାଯୋଗ୍ୟ ଯେ ଗତ ରବିବାର ରାତିରେ ରାଉରକେଲାରୁ ବନ୍ଧମୁଣ୍ଡାକୁ ବାଇକ୍ରେ ଫେରୁଥିବା ଲୋକୋ ପାଇଲଟ୍ କାହ୍ନୁଚରଣ ସାହୁ ଏକ ସଡ଼କ ଦୁର୍ଘଟଣାର ଶିକାର ହୋଇଥିଲେ।
ଗୁରୁତର ଆହତ କାହ୍ନୁଚରଣଙ୍କୁ ଚିକିତ୍ସା ପାଇଁ ରାଉରକେଲା ସୁପର ସ୍ପେସାଲିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମଙ୍ଗଳବାର ଅପରାହ୍ଣରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ରାଉରକେଲା ପ୍ଲାଣ୍ଟସାଇଟ ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ମୃତ କାହ୍ନୁଚରଣ ବିଧବା ପତ୍ନୀ ଓ ଏକମାତ୍ର ପୁଅକୁ ଛାଡ଼ିଯାଇଛନ୍ତି। କାହ୍ନୁ ବନ୍ଧମୁଣ୍ଡା ଚମ୍ପାଗଡ଼ ନିବାସୀ ଥିଲେ।