କୋରାପୁଟ: ଆନ୍ଧ୍ରରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଜୋରଦାର ବିରୋଧ ହେବ। ଆବଶ୍ୟକ ପଡ଼ିଲେ ଆନ୍ଧ୍ରରେ ବି ପଶିବାକୁ ଦିଆଯିବନି। ଆଜି ଓଡ଼ିଶା ସୀମାନ୍ତ ତଥା ଆନ୍ଧ୍ରର ସାଲୁର ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏମିତି ଖୋଲାଖୋଲି ଧମକ ଦେଇଛନ୍ତି ଲୋକସତ୍ତା ପାର୍ଟିର ଆନ୍ଧ୍ରପ୍ରଦେଶ ରାଜ୍ୟ ସଭାପତି ବିସେଟି ବାବାଜୀ। ସେହିପରି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ କଡ଼ା ନିନ୍ଦା କରିଛନ୍ତି। ଏପ୍ରିଲ ପହିଲା ଉତ୍କଳ ଦିବସରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିବାଦୀୟ ଅଞ୍ଚଳ କୋଟିଆ ଗସ୍ତ କରିଥିଲେ। ଏହି ସମୟରେ ଅନୁପ୍ରବେଶ କରିଥିବା ଆନ୍ଧ୍ର ଅଧିକାରୀଙ୍କ ସହ ମୁହାଁମୁହିଁ ହେବାରୁ କଡ଼ା ପ୍ରତିରୋଧ କରିଥିଲେ ଧର୍ମେନ୍ଦ୍ର।
କୋଟିଆ ଓଡ଼ିଶାର ବୋଲି କହି ଆନ୍ଧ୍ର ଗୋ ବ୍ୟାକ୍ ନାରା ଦେଇଥିଲେ। କେନ୍ଦ୍ର ମନ୍ତ୍ରୀଙ୍କ ଏଭଳି ଆଭିମୁଖ୍ୟ ସମ୍ମୁଖରେ ମୁଣ୍ଡ ନୁଆଁଇବାକୁ ବାଧ୍ୟ ହୋଇଥିଲେ ଆନ୍ଧ୍ର ଅଧିକାରୀ। କିନ୍ତୁ ଏହି ଘଟଣାକୁ ନେଇ ଆନ୍ଧ୍ରରେ ପ୍ରବଳ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ତଥା ସାଲୁର ବିଧାୟକ ପି. ରାଜନା ଦୋରା ସାମ୍ବାଦିକ ସମ୍ମିଳନୀ କରିଥିଲେ। ଜଣେ କେନ୍ଦ୍ର ମନ୍ତ୍ରୀ ଭାବେ ଆନ୍ଧ୍ର ଗୋ ବ୍ୟାକ୍ ନାରା ଦେବା ଠିକ୍ ନୁହେଁ ବୋଲି ପରାମର୍ଶ ଦେଇଥିଲେ। ସୁପ୍ରିମକୋର୍ଟରେ ମାମଲା ବିଚାରାଧୀନ ରହିଥିବା ଦ୍ବାହି ଦେଇ କେନ୍ଦ୍ର ମନ୍ତ୍ରୀ ଏଭଳି ଆଭିମୁଖ୍ୟରୁ କ୍ଷାନ୍ତ ରୁହନ୍ତୁ ବୋଲି କହିଥିଲେ। ପରବର୍ତ୍ତୀ ସମୟରେ ଆନ୍ଧ୍ରର ଅନୁପ୍ରବେଶ ବନ୍ଦ ହୋଇନଥିବା ବେଳେ ଯେତେବେଳେ ବି ଆନ୍ଧ୍ର ଏବଂ ଓଡ଼ିଶା ମୁହାଁମୁହିଁ ହୋଇଛନ୍ତି ଗୋ ବ୍ୟାକ୍ ନାରା ଶୁଣିବାକୁ ମିଳିଛି। ଏପରିକି ଗତ ଦୁଇ ମାସ ମଧ୍ୟରେ ଦୁଇ ରାଜ୍ୟର ସୀମାନ୍ତ ଅଞ୍ଚଳରେ ସୀମା ବିବାଦ ଅଧିକ ଜଟିଳ ରୂପ ନେଇଛି। ଛକାପଞ୍ଝା ଲାଗି ରହିଥିବା ବେଳେ ଆସନ୍ତା ୨୮ତାରିଖ ଦିନ ଆନ୍ଧ୍ରରେ ଆୟୋଜିତ ସରକାରୀ କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଉଥିବା ସୂଚନା ମିଳିଛି। ସାଲୁର ଠାରେ ଆଦିବାସୀ ବିଶ୍ବବିଦ୍ୟାଳୟ ନିମନ୍ତେ ଶିଳାନ୍ୟାସ କରିବେ। ଏହି କାର୍ଯ୍ୟକ୍ରମରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଏବଂ ସାଲୁର ବିଧାୟକ ତଥା ଉପମୁଖ୍ୟମନ୍ତ୍ରୀ ଯୋଗ ଦେଉଥିବା ସୂଚନା ମିଳିଛି।
କାର୍ଯ୍ୟକ୍ରମକୁ ଆଉ ୩ଦିନ ରହିଥିବା ବେଳେ ଆଜି ରାଜନୈତିକ ଦଳ ଲୋକସତ୍ତା ପାର୍ଟି କେନ୍ଦ୍ର ମନ୍ତ୍ରୀଙ୍କୁ ଖୋଲା ମଞ୍ଚରେ ବିରୋଧ କରିଛି। ଏପ୍ରିଲ ପହିଲାର ଘଟଣାକୁ ସ୍ମରଣ କରି ଆନ୍ଧ୍ର ଗୋ ବ୍ୟାକ୍ ନାରା ଆନ୍ଧ୍ର ପ୍ରତି ଅସମ୍ମାନ। ତେଣୁ କେନ୍ଦ୍ର ମନ୍ତ୍ରୀ ଦେଇଥିବା ନାରା ପାଇଁ କ୍ଷମା ମାଗିବାକୁ ଦାବି କରିଛନ୍ତି। ଆନ୍ଧ୍ରର କର୍ତ୍ତବ୍ୟରତ ପୁଲିସ କର୍ମଚାରୀଙ୍କ ପ୍ରତି କରିଥିବା ଆଚରଣ ପାଇଁ କ୍ଷମା ମାଗନ୍ତୁ। ନଚେତ ସାଲୁରରେ ପ୍ରବେଶ କରିବାକୁ ଦିଆଯିବନି ଏବଂ ପ୍ରବଳ ବିରୋଧ ହେବ ବୋଲି ପ୍ରକାଶ କରିଛନ୍ତି।