କଟକ : ଲଣ୍ତନର ଯୁବତୀ କଥା ଦେଇଥିଲେ ଓଡ଼ିଶାର ପର୍ଯ୍ୟଟନସ୍ଥଳୀ ବୁଲାଇଦେଲେ ଦୈନିକ ଏକ ଲକ୍ଷ ଟଙ୍କା ଦେବେ। ଯୁବତୀ ଜଣକ ଟଙ୍କା ଦେବା ବାହାନାରେ କୌଶଳକ୍ରମେ ଜଣେ ଓଡ଼ିଆ ଯୁବକଙ୍କ ନିକଟରୁ ୨ ଲକ୍ଷ ଟଙ୍କା ଠକି ନେଇଛନ୍ତି। ଦିଲ୍ଲୀ ଏୟାରପୋର୍ଟରୁ କଷ୍ଟମ୍ ଅଫିସରଙ୍କ ପରିଚୟରେ ଭୁବନେଶ୍ବରର ସମ୍ପୃକ୍ତ ଯୁବକଙ୍କ ବ୍ୟାଙ୍କ ଆକାଉଣ୍ଟର୍ରୁ ଟଙ୍କା ନାଇଜେରିଆର ସାଇବର୍ ଅପରାଧୀ ଗ୍ୟାଙ୍ଗ୍ ଠକି ନେଇଛନ୍ତି। ଦିଲ୍ଲୀରେ ଏହି ଗ୍ୟାଙ୍ଗ୍ ଭଡ଼ା ନେଇ ରହୁଥିବା ବେଳେ ସୁନ୍ଦରୀ ଯୁବତୀଙ୍କୁ ବ୍ୟବହାର କରି ଏଭଳି ଠକେଇ କରୁଥିବା ଜଣାପଡ଼ିଛି।
ଗତ ୧୫ ତାରିଖରେ ଭୁବନେଶ୍ବରର ଜଣେ ଯୁବକଙ୍କ ଫେସ୍ବୁକକୁ ଟୋନିଆ ଵିଲିୟମସ୍ ନାମରେ ଜଣେ ଯୁବତୀ ଫ୍ରେଣ୍ତ ରିକୁଏଷ୍ଟ ପଠାଇଥିଲେ। ସେ ନିଜକୁ ଲଣ୍ତନର ବୋଲି ପରିଚୟ ଦେଇଥିଲେ। ଭୁବନେଶ୍ବରର ଯୁବକ ତାଙ୍କ ସହିତ ବନ୍ଧୁତା ଯୋଡ଼ିଲା ପରେ ସେ ସୁନା କିଣିବାକୁ ଓଡ଼ିଶା ଯାଉଥିବା କହିଥିଲେ। ଲଣ୍ତନରେ ସୁନା ମୂଲ୍ୟ ୧୦ ଗ୍ରାମକୁ ପ୍ରାୟ ୯୦ ହଜାର(ଭାରତୀୟ ମୁଦ୍ରା) ଟଙ୍କା ଥିବାବେଳେ ଓଡ଼ିଶାରେ ପ୍ରାୟ ୪୦ ହଜାର ଟଙ୍କା ଥିବାରୁ ସେ ଓଡ଼ିଶା ସୁନା କିଣିବାକୁ ଆସୁଥିବା କହିଥିଲେ। ସୁନା କିଣିବା ସହିତ ଓଡ଼ିଶାର ବିଭିନ୍ନ ପର୍ଯ୍ୟଟନସ୍ଥଳୀ ବୁଲିବା ପାଇଁ ୧୦ ଦିନିଆ ଟୁର୍ରେ ସେ ଓଡ଼ିଶା ଆସୁଛନ୍ତି ବୋଲି ମଧ୍ୟ କହିଥିଲେ। ବୁଲିବାରେ ଗାଇଡ୍ କରିବା ପାଇଁ ଦୈନିକ ୧ ଲକ୍ଷ ଟଙ୍କା ହିସାବରେ ଭୁବନେଶ୍ବରର ସମ୍ପୃକ୍ତ ଯୁବକଙ୍କୁ ମୋଟ ୧୦ ଲକ୍ଷ ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ୨୫ ତାରିଖରେ ଯୋଜନା କଲା ପରେ ୨୬ ତାରିଖରେ ଲଣ୍ତନରୁ ଫ୍ଲାଇଟ୍ରେ ସେ ଦିଲ୍ଲୀ ବାହାରିଥିଲେ। ଟୋନିଆ ଆସିଲା ବେଳେ ଫ୍ଲାଇଟ୍ରୁ ହ୍ବାଟସ୍ଆପ୍ରେ ମଧ୍ୟ ସମ୍ପୃକ୍ତ ଯୁବକଙ୍କ ସହିତ ଭିଡିଓ କଲ୍ କରି ଅଧିକ ବିଶ୍ବାସ ଜନ୍ମାଇଥିଲେ। ଟୋନିଆ ନିଜର ବିଭିନ୍ନ ଆପତ୍ତିଜନକ ଫଟୋ ମଧ୍ୟ ଓଡ଼ିଆ ଯୁବକଙ୍କୁ ପଠାଇ ତାଙ୍କ ପ୍ରତି ବିଶ୍ବାସ ଜନ୍ମାଇବାକୁ ଉଦ୍ୟମ କରିଥିଲେ। ଏପଟେ ଦିନକୁ ଏକ ଲକ୍ଷ ଟଙ୍କା ପାଇବାର ଲୋଭ ଯୁବକଙ୍କୁ ସାଇବର୍ ଅପରାଧୀ ଜାଲରେ ଛନ୍ଦାଇ ଦେଇଥିଲା। ୨୭ ତାରିଖରେ ଟୋନିଆ ଦିଲ୍ଲୀ ଏୟାରପୋର୍ଟରେ ପହଞ୍ଚିଲା ପରେ ଭୁବନେଶ୍ବରର ଏହି ଯୁବକଙ୍କ ଫୋନ୍କୁ ଏକ ଫୋନ୍ କଲ୍ ଆସିଥିଲା। ଦିଲ୍ଲୀ ଏୟାରପୋର୍ଟରୁ କଷ୍ଟମ୍ ଅଫିସର ନିଜକୁ ପରିଚୟ ଦେଉଥିବା ଜଣେ ମହିଳା ଓଡ଼ିଆ ଯୁବକଙ୍କ ସହିତ ହିନ୍ଦୀରେ କଥା ହୋଇଥିଲେ। ଟୋନିଆ ପ୍ରାୟ ୫ କୋଟି ଟଙ୍କା ଆଣିଥିବାରୁ କଷ୍ଟମ୍ ବିଭାଗ ଟଙ୍କା ଜବତ କରିଛି। ଟଙ୍କା ରିଲିଜ୍ କରିବାକୁ ହେଲେ ୩ ଲକ୍ଷ ଟଙ୍କା ଜମା କରିବାକୁ ପଡ଼ିବ। ଓଡ଼ିଶା ଯୁବକ ଟଙ୍କା ଲୋଭରେ ସମ୍ପୃକ୍ତ ମହିଳାଙ୍କ କହିବା ଅନୁଯାୟୀ, ଦିଲ୍ଲୀର ୟୁକୋ ବ୍ୟାଙ୍କ ଶାଖାରେ ଅରୁଣ ସୁରେଶ ଜୈନ ଏବ˚ ନୋଏଡାର ଆଇସିଆଇସିଆଇ ଶାଖାରେ ସମୀର ଖାଁ ନାମରେ ଦୁଇଟି ଶାଖାରେ ୩ଟି ପର୍ଯ୍ୟାୟରେ ୨ ଲକ୍ଷ ଟଙ୍କା ଜମା କରିଥିଲେ। ଟଙ୍କା ଜମା କଲା ପରେ ତୁରନ୍ତ କଷ୍ଟମ୍ ଅଫିସ ନାଁ ଓ ସିଲ୍ ବାଜିଥିବା ଏକ ରସିଦ୍ ଓଡ଼ିଆ ଯୁବକଙ୍କ ନିକଟକୁ ପଠାଇଦେଲେ। ପୁଣି ଆହୁରି ୧ ଲକ୍ଷ ଟଙ୍କା କଷ୍ଟମ ଅଫିସର ପରିଚୟ ଦେଉଥିବା ମହିଳା ମାଗିଥିଲେ। କିନ୍ତୁ କୌଣସି କାରଣରୁ ଓଡ଼ିଆ ଯୁବକଙ୍କ ସନ୍ଦେହ ହେବାରୁ ଟଙ୍କା କାରବାର ବନ୍ଦ କରିଦେଇଥିଲେ।
ଆଜି ଏ ସ˚କ୍ରାନ୍ତରେ ସେ କ୍ରାଇମ୍ବ୍ରାଞ୍ଚରେ ଅଭିଯୋଗ କରିଛନ୍ତି। ଦୁଇଟି ବ୍ୟାଙ୍କ ଆକାଉଣ୍ଟନ୍ ନମ୍ବର, କଷ୍ଟମ ଅଫିସର ରସିଦ ନକଲି ଥିବା ଜଣାପଡ଼ିଛି। ଯେଉଁ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଜମା ହୋଇଛି, ପ୍ରକୃତରେ ସେହି ନାଁରେ କୌଣସି ବ୍ୟକ୍ତି ନଥିବା ବି ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ ଯେ କ୍ରାଇମ୍ବ୍ରାଞ୍ଚ ଗଲା ଜୁନ ୨ ତାରିଖରେ ଦିଲ୍ଲୀ ତିଳକନଗର ଥାନା ମହାବୀର ନଗରରେ ଭଡ଼ା ନେଇ ରହୁଥିବା ନାଇଜେରିଆ କୋଟେ ଡିଭୋର ସହରର ଜୋଵଜୋ ଆଲେକ୍ସ ଓ ଏରିକୁମେଙ୍କୁ କ୍ରାଇମ୍ବ୍ରାଞ୍ଚ ଗିରଫ କରିଥିଲା। ସେମାନେ ଜେଲ୍ ବିଭାଗର ଜଣେ ମହିଳା ଅଧିକାରୀଙ୍କ ନିକଟରୁ ଏଭଳି ଢଙ୍ଗରେ ୧୦ ଲକ୍ଷ ୪୯ ହଜାର ଟଙ୍କା ଠକି ନେଇଥିଲେ। ତେଣୁ ଏମିତି ଏକ ନାଇଜେରୀୟ ସାଇବର ଠକ ଗ୍ୟାଙ୍ଗ୍ ଓଡ଼ିଆ ଯୁବକଙ୍କ ନିକଟରୁ ୨ ଲକ୍ଷ ଟଙ୍କା ଲୁଟି ନେଇଥିବା ସନ୍ଦେହ ଦୃଢ଼ୀଭୂତ ହୋଇଛି।