କରୋନା ମୁକାବିଲା: ଲମ୍ବା ଅଭିଯାନ ଆରମ୍ଭ, ସରପଞ୍ଚଙ୍କୁ ପୁଣି ମିଳିଲା ଜିଲ୍ଲାପାଳ କ୍ଷମତା

ସର୍ବଦଳୀୟ ବୈଠକରେ ମାଳ ମାଳ କାର୍ଯ୍ୟକ୍ରମ ଓ ପଦକ୍ଷେପ ସଂପର୍କରେ ହେଲା ଘୋଷଣା

ଭୁବନେଶ୍ବର : ‘କୋଭିଡ ପରିଚାଳନାରେ ଗୋଷ୍ଠୀ ବା କମ୍ୟୁନିଟି ହେଉଛି ରାଜ୍ୟ ସରକାରଙ୍କର ମୁଖ୍ୟ ସ୍ତମ୍ଭ। ଆରମ୍ଭରୁ ହିଁ ଗ୍ରାମ ପଞ୍ଚାୟତ ଓ ଗାଁ କଲ୍ୟାଣ ସମିତି ଏଥିରେ ସାମିଲ ଅଛନ୍ତି। ଲୋକଙ୍କୁ ସେବା ଯୋଗାଇବା ପାଇଁ ଏଏନ୍‌ଏମ୍, ଆଶା, ଅଙ୍ଗନବାଡି କର୍ମୀ ଓ ମିସନ ଶକ୍ତି ଗୋଷ୍ଠୀ ଆଦି ସମସ୍ତଙ୍କୁ ସାଥିରେ ନେଇ ସରକାର କୋଭିଡ ପରିଚାଳନା କାମ ଜାରି ରଖିଛନ୍ତି। ଆମେ ବର୍ତ୍ତମାନ କୋଭିଡର ଦ୍ବିତୀୟ ଲହର ମଧ୍ୟରେ ଅଛୁ। ଆଗକୁ ଆମକୁ କେତେ ଲହର ଓ କେତେ ପ୍ରକାର ଭୂତାଣୁକୁ ମୁକାବିଲା କରିବାକୁ ହେବ, ତାହା କେହି ଜାଣିନାହିଁ। ‘

ସୋମବାର ସର୍ବଦଳୀୟ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ସୂଚନା ଦେବାସହିତ କୋଭିଡ଼୍ ମୁକାବିଲା ପାଇଁ ବଡ଼ ଅଭିଯାନ ଆରମ୍ଭ କରିଛନ୍ତି। ଘୋଷଣା କରିଛନ୍ତି ଯେ ଆସନ୍ତା ୨୪ ତାରିଖରୁ ୩ମାସ ପାଇଁ ସାରା ରାଜ୍ୟରେ ଆଶା ଓ ଏଏନ୍‌ଏମ୍ ମାନେ ଘରକୁ ଘର ବୁଲି କୋଭିଡ୍ ଲକ୍ଷଣ ଓ ଜଟିଳ ରୋଗ ସଂପର୍କରେ ସର୍ଭେ କରିବେ। ସେଥିପାଇଁ ସେମାନଙ୍କୁ ମାସିକ ୧ହଜାର ଟଙ୍କା ଲେଖାଏଁ ୩ମାସ ପାଇଁ ପ୍ରୋତ୍ସାହନ ରାଶି ଦିଆଯିବ। ସେହିଭଳି ରାଜ୍ୟରେ ୪୬ହଜାର ୧୦୬ଟି ଗାଁ କଲ୍ୟାଣ ସମିତି ରହିଛି। କୋଭିଡ୍ ନିୟନ୍ତ୍ରଣ ପାଇଁ ସେମାନଙ୍କୁ ୧୦ ହଜାର ଟଙ୍କା ଦିଆଯିବ। ଗୃହ ସଙ୍ଗରୋଧ ତଦାରଖ ଦାୟିତ୍ବରେ ଥିବା ଆଶା କର୍ମୀଙ୍କୁ ସାଇକେଲ୍, ଚପଲ, ଛତା, ଟର୍ଚ୍ଚ ଏବଂ କପ୍ ବୋର୍ଡ ଆଦି ପାଇଁ ଏକକାଳୀନ ସରକାର ୧୦ ହଜାର ଟଙ୍କା ଦେବେ।

ଲକ୍‌ଡାଉନ୍, ଟିଏମ୍‌ସି ନିଷ୍ପତ୍ତି ନେଇପାରିବେ ସରପଞ୍ଚ
୨୪ରୁ ଘରକୁ ଘର ବୁଲି ସର୍ଭେ କରିବେ ଆଶା କର୍ମୀ, ମିଳିବ ମାସକୁ ହଜାରେ
କୋଭିଡ୍‌ ନିୟନ୍ତ୍ରଣ କାର୍ଯ୍ୟକ୍ରମରେ ସାମିଲ ହେବ ଗାଁ କଲ୍ୟାଣ ସମିତି, ୧୦ ହଜାର ଟଙ୍କା ଦିଆଯିବ
ଗୃହ ସଙ୍ଗରୋଧ ତଦାରଖ ଦାୟିତ୍ବରେ ଥିବା ଆଶା କର୍ମୀ ଏକକାଳୀନ ପାଇବେ ୧୦ ହଜାର ଟଙ୍କା
ବିଧବା ଓ ବାପା ମାଆଙ୍କୁ ହରାଇଥିବା ପିଲାଙ୍କୁ ମଧୁବାବୁ ଯୋଜନାରେ ସାମିଲ କରାଯିବ, ପିଲାଙ୍କୁ ମାଗଣା ଶିକ୍ଷା
ଅକ୍‌ସିଜେନ ଯୋଗାଣର ସୁପରିଚାଳନା ପାଇଁ ଗଠନ ହେବ ଟାସ୍କଫୋର୍ସ
ଗରିବ ଲୋକଙ୍କୁ ମାସ୍କ ବାଣ୍ଟିବା ପାଇଁ ପାଣ୍ଠିରୁ ୫୦ ଲକ୍ଷ ପର୍ଯ୍ୟନ୍ତ ଖର୍ଚ୍ଚ କରିପାରିବେ ବିଧାୟକ

କେବଳ ସେତିକି ନୁହେଁ, ମୁଖ୍ୟମନ୍ତ୍ରୀ ସରପଞ୍ଚମାନଙ୍କୁ ପୁଣି ଥରେ ଜିଲ୍ଲାପାଳ କ୍ଷମତା ଫେରାଇ ଦେଇଛନ୍ତି। ଶ୍ରୀ ପଟ୍ଟନାୟକ କହିଥିଲେ, ଲକ୍‌ଡାଉନ କାର୍ଯ୍ୟକାରୀ କରିବା ଏବଂ ଗାଁର ଆବଶ୍ୟକତାକୁ ଦେଖି ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର ଖୋଲିବା ବିଷୟ ନେଇ ସରପଞ୍ଚମାନେ ସେମାନଙ୍କର ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରିପାରିବେ। ଗତବର୍ଷ ତୁଳନାରେ ଏ ବର୍ଷ ଅନ୍ୟ ରାଜ୍ୟକୁ ଫେରୁଥିବା ଲୋକଙ୍କ ସଂଖ୍ୟା କମ୍‌ ଥିଲେ ମଧ୍ୟ ସରକାର ଜୋନାଲ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର ଆରମ୍ଭ କରିସାରିଛନ୍ତି।

ମୁଖ୍ୟମନ୍ତ୍ରୀ କହିଥିଲେ, ଆମକୁ ଦୀର୍ଘ ଲଢେଇ ପାଇଁ ପ୍ରସ୍ତୁତ ରହିବାକୁ ହେବ। କରୋନା ବିରୋଧରେ ସଫଳ ଲଢେଇ ପାଇଁ ଟିକାକରଣ ହେଉଛି ମୁଖ୍ୟ ରଣକୌଶଳ। ଲୋକମାନେ ଯେପରି ଶୀଘ୍ର ଟିକା ପାଇପାରିବେ, ସେଥିପାଇଁ ସରକାର ବିଶ୍ବ ବଜାରରୁ ଟିକା କିଣିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି। ସରକାରଙ୍କୁ ରାସ୍ତା ଦେଖାଇବା ପାଇଁ ଏକ ଉଚ୍ଚସ୍ତରୀୟ ବୈଷୟିକ କମିଟି ଗଠନ କରାଯାଇଛି। ଦେଶର ଅନ୍ୟ ଭାଗର ଘଟଣା ଉପରେ ଓଡ଼ିଶା ତୀକ୍ଷଣ ନଜର ରଖିଛି ଓ ଅଭିଜ୍ଞତା ଭିତ୍ତିରେ ଆଗୁଆ ପଦକ୍ଷେପ ନେଉଛି। ସ୍ବାସ୍ଥ୍ୟସେବା ଭିତ୍ତିଭୂମିକୁ ସୁଦୃଢ କରିବା ସହିତ ଆଇସିୟୁ ଓ ଏଚ୍‌ଡିୟୁ ଶଯ୍ୟାରେ ବୃଦ୍ଧି କରାଯାଇଛି। ପ୍ରତି ଜିଲ୍ଲାରେ ଅକ୍‌ସିଜେନ ସଂଯୁକ୍ତ ଶଯ୍ୟା ଉପରେ ସରକାର ଗୁରୁତ୍ବ ଦେଉଛନ୍ତି। ତ୍ରୁଟିଶୂନ୍ୟ ଅକ୍‌ସିଜେନ ଯୋଗାଣ ପାଇଁ ଅଧିକ ଅକ୍‌ସିଜେନ ସିଲିଣ୍ଡର, ରିଫିଲିଂ ଓ ପରିବହନ କାର୍ଯ୍ୟ ତଦାରଖ କରାଯାଉଛି। ମୁଖ୍ୟ ଡାକ୍ତରଖାନା ଗୁଡିକରେ ଅକ୍‌ସିଜେନ ପ୍ଲାଣ୍ଟ ପ୍ରତିଷ୍ଠା ସହ ଅକ୍‌ସିଜେନ ସିଲିଣ୍ଡର ମଧ୍ୟ ଆମଦାନି କରାଯାଉଛି। ଜରୁରୀ ଔଷଧ ଓ ଅକ୍‌ସିଜେନ ଯୋଗାଣରେ ଯେପରି ଅସୁବିଧା ନ ହୁଏ, ସେଥିପ୍ରତି ସରକାର ଦୃଷ୍ଟି ରଖିଛନ୍ତି। ଏହାସତ୍ତ୍ବେ ରାଜ୍ୟରେ ଅକ୍‌ସିଜେନ ପରିଚାଳନା ବ୍ୟବସ୍ଥା ସୁଦୃଢ କରିବା ଏବଂ ଏଥିପାଇଁ ଏକ ମାଷ୍ଟରପ୍ଲାନ ପ୍ରସ୍ତୁତ କରିବା ଲାଗି ଏକ ଟାସ୍କଫୋର୍ସ ଗଠନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଅନ୍ୟ ରାଜ୍ୟକୁ ଅକ୍ସିଜେନ ଯୋଗାଣ ଦ୍ବାରା ବହୁ ମୂଲ୍ୟବାନ ଜୀବନ ରକ୍ଷା କରିପାରୁଛି ଓ ଏହା ଓଡିଶା ପାଇଁ ନିଶ୍ଚିତ ଭାବରେ ଗୌରବର କଥା ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

କୋଭିଡ ଯୋଗୁ ଅନେକ ପରିବାରର ଆତ୍ମୀୟସ୍ବଜନଙ୍କ ଅସମୟରେ ବିୟୋଗ ଘଟିଥିବା ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ଗଭୀର ଉଦ୍‌ବେଗ ପ୍ରକାଶ କରିଥିଲେ। ସେମାନଙ୍କ ପରିବାରର ଏହି ଦୁଃଖ ସମୟରେ ସରକାର ସେମାନଙ୍କ ସହିତ ରହିଛନ୍ତି ବୋଲି ଆଶ୍ବାସନା ଦେଇ ନବୀନ ଆହୁରି ଘୋଷଣା କରିଥିଲେ ଯେ କୋଭିଡ ମୃତକଙ୍କ ପରିବାରର ବିଧବା ଓ ବାପା ମା’ ଙ୍କୁ ହରାଇ ଥିବା ପିଲାମାନଙ୍କୁ ମଧୁବାବୁ ପେନ୍‌ସନ୍‌ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ। ଏହି ପିଲାମାନଙ୍କ ପାଇଁ ସରକାର ମାଗଣା ଶିକ୍ଷା ବ୍ୟବସ୍ଥା କରିବେ।

ମୁଖ୍ୟମନ୍ତ୍ରୀ କହିଥିଲେ, ସମଗ୍ର ଦେଶ ଗତ ଏକ ବର୍ଷରୁ ଅଧିକ ସମୟ ଧରି କରୋନା ସହ ଲଢୁଛି। କରୋନାର ଏହି ଦ୍ବିତୀୟ ଲହର ସାରା ଦେଶରେ ଗୁରୁତର ଜନସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରିବା ସହ ବିପୁଳ କ୍ଷତି କରିଚାଲିଛି। ଏହି ପରିପ୍ରେକ୍ଷୀରେ ସମସ୍ତଙ୍କ ସହଯୋଗରେ କରୋନା ବିରୋଧରେ ଆମର ଲଢେଇକୁ ଆହୁରି ମଜବୁତ କରିବାକୁ ହେବ। ଓଡ଼ିଶାରେ ଗତ ଏକ ମାସରୁ ଊର୍ଦ୍ଧ୍ବ ସମୟ ଧରି ସଂକ୍ରମଣ ବଢୁଛି। ମହାପ୍ରଭୁଙ୍କ ଆଶୀର୍ବାଦରୁ ପରିସ୍ଥିତିକୁ ମୋଟାମୋଟି ଭାବରେ ନିୟନ୍ତ୍ରଣରେ ରଖାଯାଇଛି। ଏଥିପାଇଁ ପ୍ରଶାସନ ଓ ସ୍ବାସ୍ଥ୍ୟକର୍ମୀ ଯେଉଁମାନେ ଦିନରାତି ପରିଶ୍ରମ କରୁଛନ୍ତି, ସେମାନେ ଧନ୍ୟବାଦର ପାତ୍ର। ଏହି ଲଢେଇରେ ସ୍ବାସ୍ଥ୍ୟ କର୍ମୀ ଓ ଡାକ୍ତରମାନଙ୍କ ସବୁଠାରୁ ଗୁରୁ ଦାୟିତ୍ବ ଥିବାରୁ ଏ କ୍ଷେତ୍ରରେ ମାନବ ସମ୍ବଳ ବୃଦ୍ଧି ଉପରେ ଗୁରୁତ୍ବ ଦିଆଯାଇଛି। ୭୮୬ ଡାକ୍ତର ଓ ୫୧୩୭ ପାରାମେଡିକାଲ ଷ୍ଟାଫଙ୍କୁ ଇତିମଧ୍ୟରେ ସରକାର ନିଯୁକ୍ତି ଦେଇଛନ୍ତି। ଏହାସହିତ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କୁ ଚୁକ୍ତିଭିତ୍ତିକ ନିଯୁକ୍ତି ଦେବା ପାଇଁ ପଦକ୍ଷେପ ନିଆଯାଇଛି।

ଓଡିଶାରେ ଲୋକଙ୍କୁ ମାଗଣା ପରୀକ୍ଷା ଓ ରୋଗୀଙ୍କୁ ମାଗଣା ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି। ଘରୋଇ ଡାକ୍ତରଖାନା ମାନଙ୍କୁ ସାଥିରେ ନେଇ କୋଭିଡ ରୋଗୀଙ୍କୁ ଉତ୍ତମ ଚିକିତ୍ସା ଯୋଗାଇ ଦିଆଯାଉଛି। ଏହାଦ୍ବାରା ରୋଗୀ ଶୀଘ୍ର ଚିକିତ୍ସା ସେବା ପାଉଛନ୍ତି ଓ ସାରା ଦେଶରେ ଓଡିଶାର ମୃତ୍ୟୁ ହାର ସେଥିପାଇଁ କମ୍‌ ରହିଛି ବୋଲି ମୁଖ୍ୟମନ୍ତ୍ରୀ ଏହି ଅବସରରେ ସୂଚନା ଦେଇଥିଲେ।

ଲୋକଙ୍କୁ ସତର୍କ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଦ୍ବିତୀୟ ଲହରର ପ୍ରଭାବ ହ୍ରାସ କରିବା ପାଇଁ ଆମେ ଲକ୍‌ଡାଉନ କରିଛୁ। କିନ୍ତୁ କେବଳ ଲକ୍‌ଡାଉନ ଏହାର ସମାଧାନ ନୁହେଁ। କାରଣ ଏହାଦ୍ବାରା ଅନେକ ଲୋକଙ୍କ ଜୀବିକା ଗଭୀର ଭାବରେ ପ୍ରଭାବିତ ହେଉଛି। ଏହା ଏକ ଲମ୍ବା ଲଢେଇ। ତେଣୁ ଲୋକଙ୍କୁ ସଚେତନ କରିବା ସହ ମାସ୍କ ପିନ୍ଧିବା, ହାତ ଧୋଇବା ଓ ସାମାଜିକ ଦୂରତା ରକ୍ଷା କରିବା, ଅନାବଶ୍ୟକ ଭାବରେ ବାହାରେ ନ ବୁଲିବା ଏବଂ ଗହଳିକୁ ନ ଯିବା ଆଦି ନିୟମକୁ କଡାକଡି ଭାବରେ ପାଳନ କରାଯିବା ଉଚିତ୍। ଏହି ସଚେତନତାର ବାର୍ତ୍ତା ଲୋକଙ୍କୁ ପାଖରେ ପହଞ୍ଚାଇବା ପାଇଁ ମୁଖ୍ୟମନ୍ତ୍ରୀ ବିଧାୟକମାନଙ୍କୁ ପରାମର୍ଶ ଦେବା ସହିତ କୋଭିଡ ପରିଚାଳନା କାର୍ଯ୍ୟ ବିଶେଷତଃ, ମିସନ ଶକ୍ତି ଗ୍ରୃପ ଠାରୁ କିଣି ଗରିବ ଲୋକଙ୍କୁ ମାସ୍କ ବାଣ୍ଟିବା ପାଇଁ ବିଧାୟକ ପାଣ୍ଠିରୁ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିପାରିବେ ବୋଲି କହିଥିଲେ।

ସମସ୍ତଙ୍କ ସହଯୋଗରେ କୋଭିଡ ଲଢେଇରେ ମଧ୍ୟ ଓଡିଶା ସଫଳ ହେବ ବୋଲି ଦୃଢୋକ୍ତି ପ୍ରକାଶ କରି ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ଯେହେତୁ ବିଧାୟକମାନେ ଅନେକ ଲୋକଙ୍କ ସହ ପ୍ରତିଦିନ ମିଶୁଛନ୍ତି, ତେଣୁ ନିଜର ଓ ନିଜ ପରିବାରର ଯତ୍ନ ନେବା ଦରକାର।

”ପ୍ରତ୍ୟେକ ଜୀବନ ମୂଲ୍ୟବାନ’।ଏହି ନୀତିରେ ହିଁ ଆମେ କାମ କରିଚାଲିଛୁ ଏବଂ ଲୋକଙ୍କ ଜୀବନ ରକ୍ଷା ପାଇଁ ସରକାର ତାଙ୍କର ସମସ୍ତ ଉଦ୍ୟମ ଜାରି ରଖିବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର