ବ୍ରହ୍ମପୁର (ସୁଦୀପ୍ତ ଷଡ଼ଙ୍ଗୀ) : ଗଞ୍ଜାମ ଜିଲ୍ଲାର ଅନ୍ୟତମ ଗୁରୁତ୍ବପୂର୍ଣ୍ଣ ବିଧାନସଭା ନିର୍ବାଚନମଣ୍ଡଳୀ କବିସୂର୍ଯ୍ୟନଗରର ରାଜନୈତିକ ଦୃଶ୍ୟପଟ ଏବେ ସମ୍ପୂର୍ଣ୍ଣ ଭିନ୍ନ। ଖଲ୍ଲିକୋଟ ରାଣୀ ଭି.ସୁଜ୍ଞାନ କୁମାରୀ ଦେଓ ସ୍ବାସ୍ଥ୍ୟଗତ କାରଣରୁ ପ୍ରତ୍ୟକ୍ଷ ରାଜନୀତି ଠାରୁ ଦୂରେଇ ରହିବା ପରେ ଏବେ ବିଜେଡି ସଂଗଠନ ଭାଗ ଭାଗ ହୋଇ ଯାଇଛି। ବିବାଦୀୟ ରାଜନୖତିକ ସମୀକରଣ ଭିତରେ ୨୦୧୪ରେ ଟିକେଟ୍ ପାଇ ବାଦ୍‌ ପଡ଼ିଥିବା କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନଙ୍କୁ ୨୦୧୯ରେ ପୁଣି ଦଳୀୟ ଟିକେଟ୍‌ ମିଳିଥିଲା ଓ ସେ ବିଜୟୀ ହୋଇଥିଲେ। ଏବେ ଲତିକାଙ୍କ ବ୍ୟତୀତ ବିଜେଡି ଟିକଟରେ ଏଠାରୁ ୨୦୨୪ ସାଧାରଣ ନିର୍ବାଚନ ଳଢ଼ିବା ପାଇଁ ଏକାଧିକ ଆଶାୟୀ ଲବିରେ ରହିଛନ୍ତି। ରାଣୀ ସାହେବାଙ୍କ ପ୍ରତି କବିସୂର୍ଯ୍ୟନଗର ନିର୍ବାଚମଣ୍ଡଳୀ ଜନସାଧାରଣଙ୍କ ପୂର୍ଣ୍ଣ ସମର୍ଥନ ଓ ସମ୍ମାନ ଏବେ ବି ରହି ଆସିଛି। ସ୍ବାସ୍ଥ୍ୟଗତ ସମସ୍ୟା କାରଣରୁ ଗତ ୨୦୧୯ ସାଧାରଣ ନିର୍ବାଚନରେ ରାଣୀ ପ୍ରାର୍ଥୀ ନହୋଇ ବିଜେଡି ଟିକଟରେ ଲଢ଼ିବାକୁ ଲତିକାଙ୍କ ନାମ ସୁପାରିସ କରିଥିଲେ। ରାଣୀଙ୍କ ପ୍ରତିନିଧି ଭାବେ ଲତିକା ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ। ଏଥର ମଧ୍ୟ ଟିକେଟ୍‌ ପ୍ରଦାନରେ ରାଣୀ ସାହେବାଙ୍କ ମୋହର ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ ବୋଲି ଦଳୀୟ ଶିବିରରେ ଆଲୋଚନା ହେଉଛି।

Advertisment

ଗତବର୍ଷ ପୌର ନିର୍ବାଚନରେ ଅପ୍ରତ୍ୟାଶିତ ଭାବେ ବିଜେପି କୋଦଳା ଏନ୍‌ଏସି ଦଖଲ କରବାରେ ସକ୍ଷମ ହୋଇଥିଲା। ବିଜେପି ତାର ସ୍ଥିତିକୁ ଆହୁରି ମଜଭୂତ କରିବାରେ ଲାଗିଥିବା ବେଳେ କଂଗ୍ରେସ ସଂଗଠନ ଦୁର୍ବଳ ରହିଛି। ୨୦୧୯ରେ ବିଜେପିରୁ ବିଧାୟକ ପ୍ରାର୍ଥୀ ହୋଇଥିବା ରଂଜନ ପୋଲାଇ ବିଜେଡିରେ ଯୋଗଦାନ ପରେ ଦଳର ସାଂଗଠନିକ ସ୍ଥିତି ଉପରେ ଏହାର ପ୍ରଭାବ ପଡ଼ିଛି। ଏବେ ବିଜେଡି ବିଧାୟକ ଆଶାୟୀ ତାଲିକାରେ ଲତିକା, କୋଦଳାର ପୂର୍ବତନ ନଗରପାଳ ହରପ୍ରସାଦ ସାହୁ, ବିଜେଡି ନେତା ପ୍ରମୋଦ କୁମାର ପଣ୍ଡା, ସୀତାରାମ ପାଣିଗ୍ରାହୀ ରହିଛନ୍ତି। ସେହିପରି ନିକଟରେ ବିଜେଡିରେ ଯୋଗ ଦେଇଥିବା ରଂଜନ ମଧ୍ୟ ପ୍ରତିଶ୍ରୁତି ପାଇ ବିଜେପି ଛାଡ଼ିବା ପରେ ଟିକେଟ୍‌ ଆଶାୟୀ ହୋଇ ପଡ଼ିଥିବା କୁହାଯାଉଛି। ବିଜେଡିରେ ଏକାଧିକ ଆଶାୟୀ ରହିଥିବାରୁ କାହାକୁ ଟିକଟ ମିଳିବ ତାକୁ ନେଇ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି। ଟିକଟ ପାଇବା ସହିତ ହାଇକମାଣ୍ଡଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ପ୍ରତ୍ୟେକ ନେତା ନିଜ ନିଜର ସମର୍ଥକଙ୍କୁ ନେଇ ସଂଗଠନ ସୁଦୃଢ଼ କରିବାରେ ଲାଗି ପଡ଼ିଛନ୍ତି। ଇତି ମଧ୍ୟରେ ବହୁ ନେତା ଚେନ୍ନାଇ ସ୍ଥିତ ବାସଭବନକୁ ଯାଇ ରାଣୀଙ୍କୁ ସାକ୍ଷାତ କରି ଫେରିଛନ୍ତି। କିନ୍ତୁ ଆଗାମୀ ୨୦୨୪ରେ କିଏ ବିଜେଡି ଟିକେଟ୍‌ ପାଉଛି, ତାହା ବର୍ତ୍ତମାନ ସ୍ପଷ୍ଟ ହୋଇପାରୁ ନାହିଁ।

୨୦୧୯ ସାଧାରଣ ନିର୍ବାଚନରେ ଖଲ୍ଲିକୋଟ ରାଣୀ ନିର୍ବାଚନ ନଲଢ଼ିବାରୁ ଲତିକାଙ୍କୁ ସୁଯୋଗ ମିଳିଥିଲା। ରାଣୀଙ୍କ ସହମତିରେ ଲତିକା ଛିଡ଼ା ହୋଇଥିବାରୁ ସମସ୍ତ ବିଜେଡି ନେତା ତାଙ୍କୁ ସହଯୋଗ କରିଥିଲେ। ପରବର୍ତ୍ତୀ ସମୟରେ ଲତିକା ଓ ହର ଗୋଷ୍ଠୀ ମଧ୍ୟରେ ମତାନ୍ତର ହେବାରୁ ବିଜେପି ଏହାର ଫାଇଦା ଉଠାଇ କୋଦଳା ଏନ୍‌ଏସିକୁ ଦଖଲ କରି ନେଇଥିଲା। ଏବେ ହର ପୁଣିଥରେ ରାଜନୀତିରେ ସକ୍ରିୟ ରହିଛନ୍ତି। ୨୦୧୪ରେ ସେ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢ଼ିଥିବା ବେଳେ ଏଥର ବିଜେଡି ଟିକଟ ପାଇବା ଆଶାରେ ରହିଛନ୍ତି। ଯଦି ତାଙ୍କୁ ଟିକଟ ନମିଳୁଛି ସେ ପୁଣିଥରେ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢ଼ି ପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଯୁବ ସଙ୍ଗଠନକୁ ନିଜ ଆଡ଼କୁ ଆକୃଷ୍ଟ କରିବା ପାଇଁ ସେ ଝିଅ ରଂଜିତା ସାହୁଙ୍କୁ ନେଇ କବିସୂର୍ଯ୍ୟ ଯୁବ ଫୋରମ୍‌ ନାମରେ ଗଠନ କରିଛନ୍ତି। ରଂଜିତା ସଂଗଠନର ସଭାନେତ୍ରୀ ରହିଥିବା ବେଳେ ବିଭିନ୍ନ ସମୟରେ ଯୁବ ସମାବେଶ ଆୟୋଜନ କରାଯାଉଛି। ଏଥିରୁ ସ୍ପଷ୍ଟ ବାରି ହୋଇ ପଡ଼ୁଛି ଯେ, ଆଗାମୀ ୨୦୨୪ରେ ହର ନହେଲେ ତାଙ୍କ ପରିବାର କେହି ଜଣେ ନିହାତି ଭାବେ ନିର୍ବାଚନ ଲଢ଼ିବେ। ହର ବିଜେଡି ଟିକଟ ନପାଇ ସ୍ବାଧୀନ ଭାବେ ନିର୍ବାଚନ ଲଢ଼ିଲେ ବିଜେଡି ଭୋଟ୍‌ ଭାଗଭାଗ ହୋଇଯିବା ଆଶଙ୍କା ରହିଛି। ତେବେ ବିଜେଡି ରାଜ୍ୟ ସଙ୍ଗଠନ କବସୂର୍ଯ୍ୟନଗର ନିର୍ବାଚନମଣ୍ଡଳୀର ନେତାଙ୍କୁ ଏକଜୁଟ୍‌ କରିବା ପାଇଁ କି ରଣନୀତି ଅପଣାଉଛି ତାହା ଦେଖିବାକୁ ରହିଲା।