ଭୁବନେଶ୍ବର: ବିଜେପି ସରକାର ଓଡ଼ିଶାର ଶାସନ ଦାୟିତ୍ବ ନେବାର ଏକ ବର୍ଷ ହୋଇଗଲା। କୁହାଯାଉଛି ଏହା ଲୋକଙ୍କ ସରକାର। କିନ୍ତୁ ଲୋକ କାହାନ୍ତି? କେବଳ ଲମ୍ବା ଭାଷଣ, ବଡ଼ ବଡ଼ ବିଜ୍ଞାପନରେ ବିକାଶ ଆସେ ନାହିଁ। ‌ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତି ଉତ୍ସବ ପୂର୍ବରୁ ଏମିତି ଭାବେ ସରକାରଙ୍କୁ ସମାଲୋଚନା କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। 

Advertisment

ଆଜି ବିଜେଡି ପକ୍ଷରୁ ଜନ ଜାଗରଣ ଅଭିଯାନ କାର୍ଯ୍ୟକ୍ରମ ଅବସରରେ ଶଙ୍ଖ ଭବନରେ ଦଳର କର୍ମକର୍ତ୍ତା ସମ୍ମିଳନୀ ଆୟୋଜନ କରାଯାଇଥିଲା। ଏଥିରେ ଉଦ୍‌ବୋଧନ ଦେଇ ଶ୍ରୀ ପଟ୍ଟନାୟକ କହିଲେ, ଆମ ସରକାର ସମୟରେ ଓଡିଶାର ୯୦% ଲୋକ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରୁ ଉପକାର ପାଉଥିଲେ। ଆଜି ଆୟୁଷ୍ମାନ ଭାରତ ଆରମ୍ଭ ହୋଇଛି। ରାଜ୍ୟର ୩୦ ଟି ଜିଲ୍ଲା ମଧ୍ୟରୁ ୧୯ ଟି ଜିଲ୍ଲାରେ ଏବେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ପଦବି ଖାଲି ପଡିଛି। ଲୋକମାନେ ଔଷଧ ପାଉ ନାହାନ୍ତି। ବିନା ଟଙ୍କାରେ ହସ୍ପିଟାଲରେ ଚିକିତ୍ସା ହୋଇ ପାରୁନି। ହଜାର ହଜାର ଲୋକ ହଇରାଣ ହେଉଛନ୍ତି। ସ୍ୱାସ୍ଥ୍ୟ ବ୍ୟବସ୍ଥା ଭୁଷୁଡି ପଡିଛି। ବର୍ତ୍ତମାନ ସରକାରର ଏହା ହେଉଛି ସଫଳତା।

ବିଜେଡି ପକ୍ଷରୁ ଜନ ଜାଗରଣ ଅଭିଯାନ କର୍ମକର୍ତ୍ତା ସମ୍ମିଳନୀ
ସରକାରଙ୍କୁ ତୀବ୍ର ସମା‌ଲୋଚନା କଲେ ନବୀନ 
ସ୍ୱାସ୍ଥ୍ୟ ଅବସ୍ଥା ଭୁଶୁଡ଼ିଛି, ମା’ମାନଙ୍କ ଆତ୍ମବିଶ୍ୱାସ ଭାଙ୍ଗିଛି
ମିଲରଙ୍କ ଦୟାରେ ଚାଷୀ, ସରକାରଙ୍କୁ ଭୟ ନାହିଁ

ରାଜ୍ୟରେ ମିସନ ଶକ୍ତି ମା’ମାନଙ୍କୁ ସରକାରଙ୍କ ଅଣଦେଖା ଉପରେ କ୍ଷୋଭ ପ୍ରକାଶ କରି ଶ୍ରୀ ପଟ୍ଟନାୟକ କହିଲେ, ତାଙ୍କ ସରକାର ମିସନ ଶକ୍ତି ଜରିଆରେ ସତୁରି ଲକ୍ଷ ମା’ମାନଙ୍କୁ ସଶକ୍ତ କରିଥିଲେ। ଗୋଟିଏ ବର୍ଷ ଭିତରେ ମିସନ ଶକ୍ତି ଆନ୍ଦୋଳନକୁ ଦୁର୍ବଳ କରିବା ହେଉଛି ଏ ସରକାରର ସଫଳତା। ବ୍ୟାଙ୍କରେ ମା’ ମାନେ ହଇରାଣ ହେଉଛନ୍ତି। ସରକାରୀ ଦପ୍ତରରେ ମା’ମାନଙ୍କ କାମ ହେଉନାହିଁ। ମା’ମାନଙ୍କ ମନୋବଳ  ଭାଙ୍ଗି ଯାଇଛି। ଏହା ହେଉଛି ଏ ସରକାରର ବଡ଼ ସଫଳତା। ମା’ମାନଙ୍କ ସଶକ୍ତୀକରଣରେ ବାଧା ସୃଷ୍ଟି କରିବା ଏ ସରକାରର ସବୁଠାରୁ ବଡ଼ ଭୁଲ୍‌। ମା’ମାନେ ଏହାକୁ କେବେ କ୍ଷମା ଦେବେ ନାହିଁ। ଚାଷୀ ମାନଙ୍କ ସମସ୍ୟାରେ ଉଦ୍‌ବେଗ ପ୍ରକାଶ କରି ଶ୍ରୀ ପଟ୍ଟନାୟକ କହିଥିଲେ, ନିର୍ବାଚନ ସମୟରେ କୁହାଗଲା କଟ୍‌ନି ଛଟ୍‌ନି ବନ୍ଦ ହେବ। ସବୁ ଚାଷୀ ଏମ୍‌ଏସ୍‌ପି ପାଇବେ। କିନ୍ତୁ କଟ୍‌ନି ଛଟ୍‌ନି ବନ୍ଦ ହୋଇନି। ମିଲରଙ୍କ ଦୟାରେ ଏବେ ଚାଷୀ। ସରକାରଙ୍କୁ ଭୟ ନାହିଁ। ଚାଷୀମାନେ କାହାକୁ ଗୁହାରୀ କରିବେ ?

ଚାଷୀ କୃଷି ଋଣ ପାଇବାରେ ହଇରାଣ। ବିଜେଡି ସମୟରେ ରେକର୍ଡ ପରିମାଣରେ ଜଳସେଚନ କାମ ହୋଇଥିଲା। ଚାଲିଥିବା କାମକୁ ଏମାନେ ବନ୍ଦ କରିଦେଲେ। ଲୋକଙ୍କ ସରକାର। କିନ୍ତୁ ଲୋକ ନାରଖାର। ୨୦୦୦ ରୁ ୨୦୨୪ ମଧ୍ୟରେ ବିଜେଡି ସରକାରର ସଫଳତା ଉପରେ ଆଲୋକପାତ କରି ଶ୍ରୀ ପଟ୍ଟନାୟକ କହିଥିଲେ, ୨୦୦୦ରେ ବିଜେଡି ସରକାର ଦାୟିତ୍ୱ ନେବା ସମୟରେ ଓଡ଼ିଶାର ଋଣ ଭାର ଥିଲା ୧୮ ହଜାର କୋଟି । ଓଭର୍‌ ଡ୍ରାଫ୍ଟରେ ସରକାର ଚାଲିଥିଲା। ୨୦୨୪ ରେ ଆମେ ଦାୟିତ୍ୱ ଛାଡ଼ିବା ବେଳେ ରାଜକୋଷରେ ବଳକା ଥିଲା ୪୫ ହଜାରେ କୋଟି। କିନ୍ତୁ ଏବେ ରେକର୍ଡ ପରିମାଣର ଋଣରେ ସରକାର ଚାଲିଛି। ଗଣତନ୍ତ୍ରରେ ସାଧାରଣ ଲୋକ ହେଉଛନ୍ତି ମାଲିକ। ଲୋକଙ୍କ ଜନାଦେଶରେ ଆମେ ଆଜି ବିରୋଧୀ ଦଳରେ ବସିଛୁ। ବିଜେଡି ଏକ ଦାୟିତ୍ୱପୂର୍ଣ୍ଣ ବିରୋଧୀ ଦଳ ଭାବରେ କାମ କରି ଚାଲିବ। ଦଳର ନେତା ଓ କର୍ମୀମାନଙ୍କୁ ଲୋକଙ୍କ ସେବା ଜାରି ରଖିବାକୁ ଶ୍ରୀ ପଟ୍ଟନାୟକ ଆହ୍ୱାନ ଜଣାଇଥିଲେ।