ଭୁବନେଶ୍ବର : ୧୦ଟି ଉପକୂଳବର୍ତ୍ତୀ ଜିଲ୍ଲାର ତଟବର୍ତ୍ତୀ ଅଞ୍ଚଳକୁ ସୁରକ୍ଷା ଦେବା ପାଇଁ ଜଳସମ୍ପଦ ବିଭାଗ ପକ୍ଷରୁ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରାଯାଇଛି। ବିଶ୍ବ ବ୍ୟାଙ୍କ ସହାୟତାରେ ୧୯୪୪ କୋଟି ଟଙ୍କାର ପ୍ରକଳ୍ପ ପାଇଁ ଡିପିଆର୍ ପ୍ରସ୍ତୁତ ଚାଲିଛି। ପ୍ରଥମ ପର୍ଯ୍ୟାୟରେ ୩୮୦ କିମି ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ପଥର ବନ୍ଧ ବନ୍ଧାଯିବ ଓ ତା' ଉପରେ ଜାଲ ପକାଯାଇ ପବନ ରୋକିବାକୁ ଗଛ ଲଗାଯିବ। ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ ଶନିବାର ଏହି ଦେଇଛନ୍ତି।
ପୂର୍ବରୁ ଜାତୀୟ ବିପର୍ଯ୍ୟୟ କ୍ଷତି ପରିଚାଳନା ପ୍ରକଳ୍ପ ଜରିଆରେ ରାଜ୍ୟର ଚାରିଟି ଜିଲ୍ଲା କେନ୍ଦ୍ରାପଡ଼ା, ଜଗତସିଂପୁର, ପୁରୀ ଓ ଗଞ୍ଜାମ ଜିଲ୍ଲାରେ ୫୨ କିଲୋମିଟର ଦୀର୍ଘ ଲୁଣା ବନ୍ଧର ସୁରକ୍ଷା କାର୍ଯ୍ୟ ଜଳସମ୍ପଦ ବିଭାଗ ପକ୍ଷରୁ କରାଯାଇଥିଲା। ବିଶ୍ବ ବ୍ୟାଙ୍କ ସହୟତାରେ ୨୦୧୩-୧୬ରେ ଏହି ବନ୍ଧ ନିର୍ମାଣ କରାଯାଇଥିଲା। ଏହା ମଧ୍ୟରେ ୫ଟି ବାତ୍ୟା ପରେ ବି ଲୁଣା ବନ୍ଧର ବିଶେଷ କ୍ଷତି ହୋଇ ନାହିଁ। ଲୁଣାବନ୍ଧର ସ୍ଥାୟୀତ୍ବ ଓ ଦୃଢ଼ତାକୁ ଦୃଷ୍ଟିରେ ରଖି ଅଗ୍ରାଧିକାର ଭିତ୍ତିରେ ଦୁର୍ବଳ ସ୍ଥାନଗୁଡ଼ିକୁ ଚିହ୍ନଟ କରି ରାଜ୍ୟରେ ୧୬୫୦ କିଲୋମିଟର ଲୁଣାବନ୍ଧକୁ ପ୍ରାୟ ୬ ହଜାରରୁ ୭ ହଜାର କୋଟି ଟଙ୍କା ବ୍ୟୟ ଅଟକଳରେ କରାଯିବା ପାଇଁ ବିଭାଗ ତରଫରୁ ପ୍ରସ୍ତାବ ରହିଛି।
ବାତ୍ୟା ୟାସ୍ ପରବର୍ତ୍ତୀ କ୍ଷୟକ୍ଷତିକୁ ଦୃଷ୍ଟିରେ ରଖି ଆଜି ଜଳସମ୍ପଦ ବିଭାଗ ପକ୍ଷରୁ ଏକ ସମୀକ୍ଷା ବୈଠକ କରାଯାଇଥିଲା। ବିଭାଗୀୟ ପ୍ରମୁଖ ଶାସନ ସଚିବ ଅନୁ ଗର୍ଗଙ୍କ ଏଥିରେ ଅଧ୍ୟକ୍ଷତା କରି କହିଥିଲେ ଯେ ଅଧିକାରୀ ଓ ଯନ୍ତ୍ରୀମାନେ ନିଷ୍ଠାର ସହ ଦୁର୍ବଳ ନଦୀବନ୍ଧର କାର୍ଯ୍ୟ କରନ୍ତୁ, ଯାହା କି ଆଗାମୀ ଦିନରେ ସମ୍ଭାବ୍ୟ ବାତ୍ୟା ଓ ବନ୍ୟା ପ୍ରତିରୋଧକ ହୋଇପାରିବ। ଜରୁରୀ ମରାମତି ଆବଶ୍ୟକତା ଥିବା କ୍ଷେତ୍ରରେ ଅର୍ଥ ପ୍ରତିବନ୍ଧକ ସାଜିବ ନାହିଁ। ସର୍ବୋଚ୍ଚ ଯନ୍ତ୍ରୀ ଇଂ ରଥ ସୂଚନା ଦେଇଥିଲେ ଯେ ରାଜ୍ୟରେ ବିଭିନ୍ନ ନଦୀରେ ଜଳ ସ୍ତର କମିଛି ଓ ବନ୍ୟା ସ୍ଥିତି ଧୀରେ ଧୀରେ ସୁଧୁରୁଛି। ବାତ୍ୟା ପରିପ୍ରେକ୍ଷୀରେ ବନ୍ୟା ସ୍ଥିତିକୁ ନଜରରେ ରଖି ବୈତରଣୀ, ବୁଢ଼ାବଳଙ୍ଗ ଓ ସୁବର୍ଣ୍ଣରେଖା ଅବବାହିକାରେ ଥିବା ବୃହତ ଓ ମଧ୍ୟମ ଜଳଭଣ୍ଡାରଗୁଡ଼ିକର ସୁପରିଚାଳନା କରାଯାଇଥିଲା। ଯେଉଁ ସବୁ ନଦୀ ବନ୍ଧର କ୍ଷୟକ୍ଷତି ଘଟିଛି, ବିଭାଗ ପକ୍ଷରୁ ସେସବୁର ରିପୋର୍ଟ ସଂଗ୍ରହ ଚାଲିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/aaad.jpg)