ପୁରୀ: ୨୦୧୯ ମେ ମାସରେ ପ୍ରଳୟଙ୍କରୀ ବାତ୍ୟା ‘ଫନି’ ପୁରୀ ଜିଲ୍ଲାରେ ପ୍ରଳୟ ରଚିଥିଲା। ସଂପୂର୍ଣ୍ଣ ଜିଲ୍ଲାକୁ ଧ୍ବଂସସ୍ତୂପରେ ପରିଣତ କରିଥିଲା ଏହି ସାମୁଦ୍ରିକ ଝଡ଼ବାତ୍ୟା। ୫ ବର୍ଷ ପରେ ବାତ୍ୟା ‘ଦାନା’ ପୁରୁଣା ଅନୁଭୂତିକୁ ତାଜା କରିଛି। ‘ଫନି’କୁ ନିକଟରୁ ଦେଖିଥିବା ଲୋକେ ଏବେ ବାତ୍ୟା ‘ଦାନା’ ନାଁ ଶୁଣି ଭୟଭୀତ ଅବସ୍ଥାରେ ଅଛନ୍ତି। ‘ଦାନା’ ପ୍ରଭାବରେ ପୁରୀ, କୋଣାର୍କ, ଚନ୍ଦ୍ରଭାଗା, ଅସ୍ତରଙ୍ଗ ଆଦି ତଟବର୍ତ୍ତୀ ଅଞ୍ଚଳରେ ସମୁଦ୍ର ଅଶାନ୍ତ ରୂପ ଦେଖାଇବା ଆରମ୍ଭ କରିଛି। ପୂର୍ବାପେକ୍ଷା ଅଧିକ ଜୁଆରିଆ ହେବା ସହ କୂଳ ଲଂଘିବା ଆରମ୍ଭ କରିଛି। ସେପଟେ ବିପଦକୁ ଦେଖି ଆଜିଠାରୁ ପର୍ଯ୍ୟଟକଙ୍କ ସମୁଦ୍ର ସ୍ନାନରେ କଟକଣା ଲଗାଯାଇଛି।
ବାତ୍ୟା ‘ଦାନା’ ପୁରୀରୁ ପଶ୍ଚିମବଙ୍ଗର ସାଗର ଦ୍ବୀପ ଭିତରେ ମାଡ଼ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। କେଉଁ ମୁହୂର୍ତ୍ତରେ ଏହା ଦିଗ ପରିବର୍ତ୍ତନ କରିବ, ତାହା ବି ଶଙ୍କା ଭିତରେ ରହିଛି। ଏଭଳି ସ୍ଥିତିରେ ଆଜି ପୁରୀ ସମୁଦ୍ର କୂଳରେ ସମୁଦ୍ର ବହୁ ଆଗକୁ ମାଡ଼ି ଆସିବା ସହ ଉଦ୍ଦାମ ଜୁଆର କୂଳ ଲଂଘିବା ଲୋକଙ୍କ ମନରେ ଭୟ ସଞ୍ଚାର କରିଛି। ପୁରୀ ବେଳାଭୂମିରେ ପେଣ୍ଠକଟାଠାରୁ ଷ୍ଟର୍ଲିନ୍ ପର୍ଯ୍ୟନ୍ତ ସମୁଦ୍ରର ଜଳରାଶି ଅଧିକ ଜୁଆରିଆ ହୋଇ ଲହଡ଼ି ଭାଙ୍ଗିବା ସହ ବେଳାମାର୍ଗ ନିକଟବର୍ତ୍ତୀ ହେବାରେ ଲାଗିଛି। ସେପଟେ ସମୁଦ୍ର ଧୀରେ ଧୀରେ ଗୋଳିଆ ହେବାକୁ ଆରମ୍ଭ କରିଛି। ସମୁଦ୍ର କୂଳଠାରୁ ଭିତର ପର୍ଯ୍ୟନ୍ତ ପ୍ରତିଦିନ ନୀଳ ରଙ୍ଗ ଦେଖାଯାଉଥିବା ସମୁଦ୍ର ଆଜି ଗୋଳିଆ ତଥା ମାଟିଆ ଦୃଶ୍ୟମାନ ହୋଇଥିଲା। ବାତ୍ୟା ପାଇଁ ପୁରୀ ଜିଲ୍ଲା ବିଶେଷ କରି ପୁରୀ ସଦର ବ୍ଳକ୍, ଅସ୍ତରଙ୍ଗ, କୋଣାର୍କ, ସାତପଡ଼ା, ବ୍ରହ୍ମଗିରି ଆଦି ସ୍ଥାନରେ ରେଡ୍ ୱାର୍ଣ୍ଣିଂ ଜାରି ହେବା ପରେ ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନ ପକ୍ଷରୁ ପ୍ରାକ୍ ପ୍ରସ୍ତୁତିକୁ ଜୋରଦାର୍ କରାଯାଇଛି।
ପୁଲିସ, ଅଗ୍ନିଶମ ଓ ମତ୍ସ୍ୟ ସଂପଦ ବିଭାଗ ପକ୍ଷରୁ ସମୁଦ୍ରକୂଳରେ ମିଳିତ ସଚେତନତା କରାଯାଇଛି। ଡାକବାଜି ଯନ୍ତ୍ର ଜରିଆରେ ପର୍ଯ୍ୟଟକଙ୍କୁ ସମୁଦ୍ର ଭିତରକୁ ନ ଯିବା ଲାଗି ପରାମର୍ଶ ଦିଆଯାଇଛି। ବିପଦ ସଂକେତ ସୀମା ଭାବେ ପେଣ୍ଠକଟାଠାରୁ ଲାଇଟ୍ ହାଉସ୍ ପର୍ଯ୍ୟନ୍ତ ବେଳାମାର୍ଗର ବିଭିନ୍ନ ସ୍ଥାନରେ ନାଲି ପତାକା ପୋତା ଯାଇଥିବା ବେଳେ ପୁଲିସ ମୁତୟନ କରାଯାଇଛି। ସେପଟେ ମତ୍ସ୍ୟ ସଂପଦ ବିଭାଗ ପକ୍ଷରୁ ପେଣ୍ଠକଟା ସହ ଅନ୍ୟାନ୍ୟ ଡଙ୍ଗା ରହଣି ସ୍ଥାନରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନ ଯିବାକୁ ବାରଣ କରାଯାଇଛି। ଯଦି କେହି ଉଲ୍ଲଂଘନ କରି ସମୁଦ୍ରକୁ ଯିବାର ଦେଖିବାକୁ ମିଳେ, ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି।