ଭୁବନେଶ୍ବର: ଆଉ ୩ଦିନ ପରେ ଓଡ଼ିଶାରେ ଚତୁର୍ଥ ପର୍ଯ୍ୟାୟ ପାଇଁ ଭୋଟ୍ ପଡ଼ିବ। ରାଜ୍ୟରେ କଂଗ୍ରେସର ପ୍ରଚାରକୁ ସରଗରମ କରିବା ପାଇଁ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଓ ସାଂସଦ ରାହୁଲ ଗାନ୍ଧୀ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଆସନ୍ତାକାଲି ଶ୍ରୀ ଖଡ଼ଗେଙ୍କ ଭଦ୍ରକ ଓ ବାଲେଶ୍ବରରେ ୨ଟି ଶୋଭାଯାତ୍ରା ରହିଛି। ଏହାସହ ଆସନ୍ତା ୩୦ ତାରିଖରେ ରାହୁଲ ଗାନ୍ଧୀ ଭଦ୍ରକରେ ପ୍ରଚାର କରିବେ ବୋଲି ସୂଚନା ଦେଇଛନ୍ତି କଂଗ୍ରେସ ପ୍ରଭାରୀ ଅଜୟ କୁମାର।
କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ କୁମାର କହିଥିଲେ, ଓଡ଼ିଶାବାସୀ ବିଜେପି ଓ ବିଜେଡିର ମିଥ୍ୟା ପ୍ରଲୋଭନରେ ଢଳି ନ ଯାଇ ନିଜର ଭବିଷ୍ୟତ ଦେଖନ୍ତୁ। ନିଜ ପରିବାରର ଅଧିକାର ପାଇଁ ଭୋଟ୍ ଦିଅନ୍ତୁ। ଗତ ୨୪ବର୍ଷର ବିଜେଡି ଶାସନ ଓ ତହିଁରୁ ୯ବର୍ଷରୁ ବିଜେଡି-ବିଜେପି ଶାସନରେ ଯାହା ହୋଇନାହିଁ, ତାହାକୁ ଓଡ଼ିଶାରେ କଂଗ୍ରେସ କରି ଦେଖାଇବ। ଦୁଇ ଦଳ କଂଗ୍ରେସର ଯୋଜନାକୁ ନିଜ ନାଁରେ କରାଇ ଲୋକଙ୍କୁ ଭଣ୍ଡେଇବାରେ ଚେଷ୍ଟା କରୁଛନ୍ତି। ରାଜ୍ୟରେ କଂଗ୍ରେସ କ୍ଷମତାକୁ ଆସିଲେ କୃଷକଙ୍କୁ ବୋନସ ସହ କ୍ବିଣ୍ଟାଲ ପିଛା ୩ହଜାର ଟଙ୍କା ଏମ୍ଏସ୍ପି ଦିଆଯିବ। କୃଷି ଋଣ ଛାଡ଼ ସହ କୃଷକଙ୍କୁ ମାସିକ ୨ହଜାର ଟଙ୍କାର ଭତ୍ତା, ଘରୋଇ ବିଦ୍ୟୁତ ଉପଭୋକ୍ତାଙ୍କୁ ୨ଶହ ୟୁନିଟ୍ ବିଜୁଳି ଛାଡ଼, ୫ହଜାର ଯୁବକଯୁବତୀଙ୍କୁ ନିଯୁକ୍ତି ସହ କଂଗ୍ରେସ ଦେଇଥିବା ଅନ୍ୟାନ୍ୟ ପ୍ରତିଶ୍ରୁତି ପାଳନ କରାଯିବ।
ସେ ଆହୁରିମଧ୍ୟ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ପଛୁଆବର୍ଗଙ୍କୁ ଧୋକା ଦେଉଛନ୍ତି। ଦେଶରେ କେବଳ ଓଡ଼ିଶାକୁ ବାଦ୍ ଦେଲେ ଅନ୍ୟ ରାଜ୍ୟରେ ପଛୁଆବର୍ଗ ପାଇଁ ସଂରକ୍ଷଣ ବ୍ୟବସ୍ଥା ରହିଛି। ମୋଦୀ ସରକାରରେ ପଛୁଆବର୍ଗଙ୍କୁ ୧୧% ସଂରକ୍ଷଣ ଦିଆଯାଉଛି। ମାତ୍ର ଏହି ବର୍ଗର ଉନ୍ନତି ପାଇଁ କଂଗ୍ରେସ ୨୭% ସଂରକ୍ଷଣ ବ୍ୟବସ୍ଥା କରିବା ଲାଗି ପ୍ରତିଶ୍ରୁତି ଦେଉଛି। ଏହାସହ ୧୦୦ ଦିନ ଭିତରେ ଜାତି ଜନଗଣନା କରିବାକୁ କଂଗ୍ରେସ ଗ୍ୟାରେଣ୍ଟି ଦେଇଛି। ଅତୀତରେ କଂଗ୍ରେସ ଯେଉଁ ପ୍ରତିଶ୍ରୁତି ଦେଇଥିଲା ତାହାକୁ ପୂରଣ କରିଛି। ତେଣୁ ଓଡ଼ିଶାବାସୀ ନିଜ ପରିବାରର ଉନ୍ନତି, ସୁରକ୍ଷା ଓ ଅଧିକାର ପାଇଁ କଂଗ୍ରେସକୁ ସମର୍ଥନ ଦେବା ଲାଗି ଶ୍ରୀ କୁମାର ଆହ୍ବାନ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ବିଶ୍ବରଞ୍ଜନ ମହାନ୍ତି, ଋତୁ ଚୌଧୁରୀ, ସୁମିତ ଦୁବେ, ପ୍ରଶାନ୍ତ ଶତପଥୀ ଓ ଜୟଶ୍ରୀ ପାତ୍ର ଉପସ୍ଥିତ ଥିଲେ।