ମଙ୍କିପକ୍ସ ଭୟ: ବିଦେଶ ଫେରନ୍ତାଙ୍କ ଉପରେ ନଜର, ୨ରେ ସ୍ବାସ୍ଥ୍ୟ ବିଭାଗର ଗୁରୁତ୍ବପୂର୍ଣ୍ଣ ବୈଠକ

ନମୁନା ପୁନେସ୍ଥିତ ଏନ୍‌ଆଇଭିକୁ ପଠାଇବାକୁ କେନ୍ଦ୍ରର ନିର୍ଦେଶ

ଭୁବନେଶ୍ବର: ଦେଶରେ ବର୍ତମାନ ସୁଦ୍ଧା ‌ଜଣେ ହେଲେ ବି ମଙ୍କିପକ୍ସ ରୋଗରେ ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି। ମାତ୍ର ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ବା ଡବ୍ଲୁଏଚ୍‌ଓ ମଙ୍କିପକ୍ସକୁ ନେଇ ଚିନ୍ତା ପ୍ରକଟ କରିବା ପରେ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ଆଜି ଏ ସଂପର୍କିତ ଗାଇଡଲାଇନ୍ ଜାରି କରିଛନ୍ତି। ଏହାସହ କ୍ଲିନିକାଲ ନମୁନା ପୁନେସ୍ଥିତ ଏନ୍‌ଆଇଭିକୁ ପଠାଇବାକୁ ରାଜ୍ୟମାନଙ୍କୁ ନିର୍ଦେଶ ଦିଆଯାଇଛି। ଅପରପକ୍ଷରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମଙ୍କିପକ୍ସକୁ ନେଇ ଚିନ୍ତା ପ୍ରକଟ କରାଯିବା ସହିତ ଗତ ୨୧ଦିନ ଭିତରେ ବିଦେଶରୁ ଓଡ଼ିଶାକୁ ଫେରିଥିବା ଲୋକଙ୍କ ଉପରେ ନଜର ରଖାଯାଇଛି। ଏହାସହ ଆସନ୍ତା ୨ତାରିଖରେ ବିଭାଗର ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କୁ ନେଇ ଏକ ଗୁରୁତ୍ବପୂଣ୍ଣ ବୈଠକ ବସିବ। ପରବର୍ତୀ ସମୟରେ ବିଭାଗ ପକ୍ଷରୁ ମଙ୍କିପକ୍ସକୁ ନେଇ ରାଜ୍ୟ ସରକାରଙ୍କ ଗାଇଡଲାଇନ୍ ଆସିପାରେ ବୋଲି ଅନୁମାନ କରାଯାଉଛି।

ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି, ଯେଉଁମାନେ ବିଦେଶରୁ ଓଡ଼ିଶାକୁ ଆସୁଛନ୍ତି ସେମାନଙ୍କ ଉପରେ ନଜର ରଖାଯାଉଛି। ବିଶେଷକରି ଆଫ୍ରିକା ଦେଶମାନଙ୍କରୁ ଫେରୁଥିବା ବ୍ୟକ୍ତିଙ୍କ ଉପରେ ନଜର ରହିଛି। ଆସନ୍ତା ଜୁନ୍ ୨ତାରିଖ‌ରେ ସମସ୍ତ ସିଡିଏମ୍‌ଓ, ବିଭିନ୍ନ ହସ୍ପିଟାଲର ନିର୍ଦେଶକ ଓ ଡାକ୍ତରଙ୍କୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଡକାଯାଇଛି। ବୈଠକରେ ମଙ୍କିପକ୍ସ ଭାଇରାସ ନେଇ ବ୍ୟାପକ ଆଲୋଚନା ହେବ। ମଙ୍କିପକ୍ସ ୩୦ଟି ଦେଶରେ ବ୍ୟାପି ସାରିଲାଣି। ଡବ୍ଲୁଏଚ୍‌ଓ ପକ୍ଷରୁ ଅନ୍ୟ ଦେଶରେ ମଧ୍ୟ ବ୍ୟାପିବା ନେଇ ଆଶଙ୍କା ପ୍ରକଟ କରିଛନ୍ତି। ଏପରିକି ଗୋଷ୍ଠୀ ସଂକ୍ରମଣ ମଧ୍ୟ ହୋଇପାରେ ବୋଲି ଆଶଙ୍କା କରାଯାଉଛି। ତେଣୁ ରୋଗକୁ କିଭଳି ଚିହ୍ନଟ କରାଯିବ, ଏହାର ଲକ୍ଷଣ କ’ଣ ଓ କିଭଳି ଏହାର ସର୍ଭେଲାନ୍‌ସ ହେବ ତାହା ଉପରେ ନଜର ରହିଛି। ଏହାସହ ଡାକ୍ତରମାନଙ୍କୁ ମଧ୍ୟ ସଚେତନ ରହିବାକୁ ନିର୍ଦେଶ ଦିଆଯାଇଥିବା ଡାକ୍ତର ମିଶ୍ର କହିଛନ୍ତି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ଗାଇଡଲାଇନ୍‌ରେ କୁହାଯାଇଛି ଯେ ମଙ୍କିପକ୍ସ ସାଧାରଣଭାବେ ମଣିଷରୁ ମଣିଷକୁ ବ୍ୟାପିଥାଏ। ଏହାସହ ସଂକ୍ରମିତ ପଶୁମାନଙ୍କଠାରୁ ମଧ୍ୟ ଏହା ମଣିଷକୁ ବ୍ୟାପିଥାଏ। ଆକ୍ରାନ୍ତଙ୍କ ଠାରେ ଜ୍ବର, ମୁଣ୍ଡବିନ୍ଧା, ଶରୀର ପୀଡ଼ା, ଦୁର୍ବଳ ଲାଗିବା ଭଳି ଲକ୍ଷଣ ଦେଖିବାକୁ ମିଳିଥାଏ। ୨/୪ ସପ୍ତାହ ପର୍ଯ୍ୟନ୍ତ ଲକ୍ଷଣ ଜାରି ରହିଥାଏ। ଏହି ସନ୍ଦିଗ୍ଧଙ୍କୁ ପୃଥକବାସ କରିବା ସହିତ ପିସିଆର ପରୀକ୍ଷା କରାଯିବା ଜରୁରୀ।

ସମ୍ବନ୍ଧିତ ଖବର