ସେପ୍ଟେମ୍ବର ଗାଇଡ୍‌ଲାଇନ୍‌ ଉପରେ ନଜର: କଟକଣା ହଟିବ ନା ରହିବ?

ଅଗଷ୍ଟ କଟକଣାକୁ ଅମାନ୍ୟ କରିଛନ୍ତି ରାଜନୈତିକ ଦଳ, ସପ୍ତାହାନ୍ତ ସଟ୍‌ଡାଉନ୍ ଲୋକଙ୍କୁ ବିବ୍ରତ କଲାଣି

ଭୁବନେଶ୍ବର : ଅଗଷ୍ଟ ମାସରେ ସବୁପ୍ରକାର ସାମାଜିକ, ରାଜନୈତିକ, ସାଂସ୍କୃତିକ, ଧାର୍ମିକ ସମାବେଶ ଉପରେ କଟକଣା ଜାରି କରାଯାଇଛି। ବିଭିନ୍ନ ବାଣିଜ୍ୟିକ ମେଳା, ପ୍ରଦର୍ଶନୀ ଉପରେ ରୋକ୍ ଲଗାଯାଇଛି। କିନ୍ତୁ ଏହି କଟକଣାକୁ ଖୋଲା ଉଲ୍ଲଂଘନ କରୁଛନ୍ତି ରାଜନୈତିକ ଦଳ। ଉଭୟ ଶାସକ ଓ ବିରୋଧୀ ନିୟମକୁ ଦଳି ଦେଇ ମନଇଚ୍ଛା ସମାବେଶ, ଶୋଭାଯାତ୍ରା କରୁଛନ୍ତି। ସବୁ ଦଳର ବରିଷ୍ଠ ନେତାମାନେ ଏଥିରେ ସାମିଲ ହେଉଛନ୍ତି। ଏଥିରେ ସାମାଜିକ ଦୂରତା ଓ ମାସ୍କ ପିନ୍ଧିବା ନିୟମକୁ କେହି ମାନୁ ନାହାନ୍ତି। କିନ୍ତୁ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରଶାସନ ସାହସ ଜୁଟାଇ ପାରୁ ନାହିଁ।

ସେହିପରି ସରକାରୀ ଓ ବ୍ୟାବସାୟିକ ସଭାରେ ସର୍ବାଧିକ ୧୦୦ ଜଣ, ଶିଳାନ୍ୟାସ ଓ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ସର୍ବାଧିକ ୩୦ ଜଣ ଲୋକ ଉପସ୍ଥିତ ରହିବା ପାଇଁ ଅନୁମତି ରହିଛି। କିନ୍ତୁ ଏଥିରେ କେତେ ଶହ ଲୋକ ଉପସ୍ଥିତ ରହୁଛନ୍ତି, ତାହା କାହାରିକୁ ଅଛପା ନାହିଁ। ଲୁଚାଛପା ନୁହେଁ, ସରକାରୀ ଅଧିକାରୀଙ୍କ ଉପସ୍ଥିତିରେ ଏସବୁ ଚାଲିଛି। କଟକଣା ଏଥିରେ ମୂଲ୍ୟହୀନ ହୋଇପଡ଼ୁଛି।

ଏମିତି ପରିସ୍ଥିତି‌ ଭିତରେ ଅଗଷ୍ଟ ମାସ ସରିବାକୁ ଯାଉଛି। ଦିନେ ଦୁଇ ଦିନ ଭିତରେ ସେପ୍ଟେମ୍ବର ମାସ ପାଇଁ ସରକାର କୋଭିଡ୍‌ ଗାଇଡ୍‌ଲାଇନ୍ ଜାରି କରିବେ। ଏହା ମଧ୍ୟରେ କରୋନା ସଂକ୍ରମଣ ବହୁମାତ୍ରାରେ କମିଯାଇଛି। ସକ୍ରିୟ ରୋଗୀଙ୍କ ସଂଖ୍ୟା କମ୍ ରହିଛି।

ଏହି ପରିପ୍ରେକ୍ଷୀରେ ନୂଆ ଗାଇଡ୍‌ଲାଇନ୍‌ର ସ୍ବରୂପ କିପରି ହେବ, ତାହାକୁ ନେଇ ବିଭିନ୍ନ ମହଲରେ ଭିନ୍ନ ଭିନ୍ନ ଆକଳନ କରାଯାଉଛି। ବାସ୍ତବ ପରିସ୍ଥିତିକୁ ବୁଝି ଗାଇଡ୍‌ଲାଇନ୍‌ରେ ସ୍ପଷ୍ଟ ବାର୍ତ୍ତା ଦେବାକୁ ବିଭିନ୍ନ ମହଲରେ ଦାବି ହେଉଛି। କେବଳ ସାଧାରଣ ଲୋକଙ୍କ ପାଇଁ କଟକଣା କରି ରାଜନୈତିକ ଦଳ ଓ ସରକାରୀ ଅଧିକାରୀମାନଙ୍କୁ ଖୋଲା ଛାଡ଼ି ଅଯଥା ଦ୍ବନ୍ଦ୍ବ ସୃଷ୍ଟି ନ କରିବାକୁ ମତପ୍ରକାଶ ପାଉଛି।

ଅଗଷ୍ଟ ମାସରେ ବହୁ କଟକଣା କୋହଳ କରି ବିଭିନ୍ନ କ୍ଷେତ୍ରରେ ଜୀବିକାକୁ ସ୍ବାଭାବିକ କରିବା ପାଇଁ ସରକାର ଉଦ୍ୟମ କରିଥିଲେ। କିନ୍ତୁ କିଛି କ୍ଷେତ୍ର ପ୍ରତି ଚରମ ଅବିଚାର କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ ରୋକ୍ ଲଗାଇବା ଦ୍ବାରା ଶହ ଶହ କଳାକାର ଅତ୍ୟନ୍ତ ଦୟନୀୟ ସ୍ଥିତିରେ ଦିନ କାଟିଲେ। ରାଜ୍ୟ ସଂସ୍କୃତି ବିଭାଗ ଦୁଇ ତିନିଟି କାର୍ଯ୍ୟକ୍ରମ ଆୟୋଜନ କରିଥିଲେ ମଧ୍ୟ କୌଣସି ଘରୋଇ ସଂସ୍ଥା କାର୍ଯ୍ୟକ୍ରମ ଆୟୋଜନ କରି ନ ଥିଲେ। ଫଳରେ କଳାକାରମାନଙ୍କୁ କାମ ମିଳି ନ ଥିଲା। ସେହିପରି ଯାତ୍ରା ମଞ୍ଚକୁ ସରକାର ଅନୁମତି ଦେଇଥିଲେ ମଧ୍ୟ ନାଇଟ୍‌ କର୍ଫ୍ୟୁ ଯୋଗୁ ଯାତ୍ରା ପରିବେଷଣ ସମ୍ଭବ ନ ଥିଲା। ଏହାକୁ ନେଇ କଳାକାରମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ସେମିତି ବିବାହ, ବ୍ରତ ଆଦି ସାମାଜିକ କାର୍ଯ୍ୟକ୍ରମରେ ଭୋ‌ଜିଭାତ ଉପରେ କଟକଣା ଲାଗିଥିଲା। ଏହା ଦ୍ବାରା ଟେଣ୍ଟ୍, କ୍ୟାଟରିଂ ଆଦି ସଂସ୍ଥାର କର୍ମଚାରୀମାନେ ଜୀବିକା ହରାଇ ନାହିଁ ନ ଥିବା ସମସ୍ୟା ଭୋଗିଥିଲେ। ରାଜନୈତିକ ଓ ସରକାରୀ କାର୍ଯ୍ୟକ୍ରମରେ ଖୋଲାଖୋଲି ଭୋଜିଭାତ ଚାଲିଥିଲା ବେଳେ ପାରିବାରିକ କାର୍ଯ୍ୟକ୍ରମ ଉପରେ କାହିଁକି ରୋକ୍ ଲାଗିଲା? ସରକାରଙ୍କ ଏପରି ଦୋମୁହାଁ ନୀତି କରୋନା କଷଣ ଠାରୁ ବଳିଯାଉଛି ବୋଲି ଅଭିଯୋଗ ହେଲାଣି। ତେଣୁ ସେପ୍ଟେମ୍ବର ଗାଇଡ୍‌ଲାଇନ୍ ଜାରି କଲା ବେଳେ ଏସବୁ ଦିଗ ପ୍ରତି ସରକାର ଠିକ୍ ଭାବେ ବିଚାର କରିବେ ବୋଲି ବିଭିନ୍ନ ମହଲରେ ଆଶାପ୍ରକଟ କରିଛନ୍ତି।

କଟକ, ଭୁବନେଶ୍ବର ଓ ପୁରୀ ସହରରେ ଅଗଷ୍ଟ ମାସରେ ସପ୍ତାହାନ୍ତ ସଟ୍‌ଡାଉନ୍ ଜାରି ହୋଇଛି। ଏହାଦ୍ବାରା ବ୍ୟବସାୟୀ ଓ ସାଧାରଣ ଲୋକ ଅଯଥାରେ ହଇରାଣ ହେଉଛନ୍ତି। ରାଜ୍ୟରେ କରୋନାକୁ ନିୟନ୍ତ୍ରଣ କରାଯାଇଛି ବୋଲି କୁହାଯାଉଥିବା ବେଳେ ରାଜ୍ୟତମାମ ନାଇଟ୍‌ କର୍ଫ୍ୟୁ ଲାଗୁ କରିବା ପଛରେ କି ଯୁକ୍ତି ରହିଛି? ଏହାକୁ ନେଇ ପ୍ରଶ୍ନ ଉଠିଲାଣି। ସଟ୍‌ଡାଉନ୍ ଓ ନାଇଟ୍‌ କର୍ଫ୍ୟୁ ସଂପର୍କରେ ସରକାର ଭଲ ଭାବେ ମାନସ ମନ୍ଥନ କରିବାକୁ ବିଭିନ୍ନ ମହଲରେ ଦାବି ହେଉଛି।

ସେପ୍ଟେମ୍ବରରୁ ପାର୍ବଣ ଋତୁ ଆରମ୍ଭ ହେଉଛି। ତେଣୁ ବିଭିନ୍ନ ସ୍ଥାନରେ ଜନଗହଳି ଯେପରି ନ ହୁଏ, ସେଥିପ୍ରତି ସତର୍କ ରହିବାକୁ କେନ୍ଦ୍ର ସରକାର ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। କରୋନାର ସମ୍ଭାବ୍ୟ ତୃତୀୟ ଲହରକୁ ପ୍ରତିହତ କରିବାକୁ ଏହାର ଆବଶ୍ୟକତା ରହିଛି ବୋଲି ବିଶେଷଜ୍ଞମାନେ ମଧ୍ୟ ମତ ଦେଉଛନ୍ତି। କିନ୍ତୁ କଟକଣା ଜାରି କରାଯିବା ସହ କୌଣସି କ୍ଷେତ୍ରରେ ଜୀବିକା ଯେପରି ପ୍ରଭାବିତ ନ ହୁଏ, ତାହାକୁ ମଧ୍ୟ ଧ୍ୟାନରେ ରଖି ଗାଇଡ୍‌ଲାଇନ୍‌ ଜାରି କରିବା ରାଜ୍ୟ ସରକାରଙ୍କ ଦାୟିତ୍ବ। ତେଣୁ କରୋନାରେ କଲବଲ ହେଉଥିବା ମଣିଷଙ୍କ ବାସ୍ତବ ସ୍ଥିତି ବୁଝି ସରକାର ପଦକ୍ଷେପ ନେବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର