ଭୁବନେଶ୍ବର: ଓଡ଼ିଶା ଜଙ୍ଗଲରେ ପଞ୍ଝା ମେଲାଇ ବସିଛନ୍ତି ଶିକାରୀ। ଉପକୂଳରୁ ଉପାନ୍ତ ଜଙ୍ଗଲ, କେଉଁଠି ବି ସୁରକ୍ଷିତ ନୁହନ୍ତି ବନ୍ୟଜନ୍ତୁ। କେତେବେଳେ ଦାନ୍ତ ହାତେଇବାକୁ ହାତୀ ମାରି ଦେଉଛନ୍ତି ତ ଆଉ କେବେ ବାଘ ଚମଡ଼ା ଉପରେ ଶିକାରୀଙ୍କ ଲୋଲୁପ ଦୃଷ୍ଟି ପଡ଼ୁଛି। ହାତୀ, ବାଘ, ବଜ୍ରକାପ୍ତା ଚାଲାଣ କରି କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି। କୃଷ୍ଣସାର ମୃଗଠାରୁ ଆରମ୍ଭ କରି ଜଙ୍ଗଲୀ ବିଲେଇ, କୁଟୁରା, ଗୟଳ, ଗୁରାଣ୍ଡି, ଝିଙ୍କ, ଠେକୁଆ, ସମ୍ବର, ମୃଗ, ଗାଡ଼ ଭାଲୁ, କୁମ୍ଭୀର, ଚୌଶିଙ୍ଗା, ଉଡ଼ନ୍ତା ଗୁଣ୍ଡୁଚି, ମୟୂର, ଗୋଧି, କଇଁଛ ପର୍ଯ୍ୟନ୍ତ ବନ୍ୟଜନ୍ତୁଙ୍କୁ ମଧ୍ୟ ଛାଡ଼ୁନାହାନ୍ତି। ପ୍ରତି ମାସରେ ଓଡ଼ିଶା ଜଙ୍ଗଲରେ ୭ରୁ ୮ଟି ହାତୀଙ୍କ ଜୀବନ ଯାଉଛି। ଲଗାତାର ୫ ବର୍ଷ ହେଲା ପ୍ରତିବର୍ଷ ୭୦ରୁ ୮୦ଟି ହାତୀ ମରୁଥିବା ଖବର ସାମ୍ନାକୁ ଆସୁଛି। ଏପଟେ ବଢ଼ିଚାଲିଛି ମହାବଳ ଓ କଲରାପତରିଆ ବାଘ ମୃତ୍ୟୁ। ଏ ଭିତରେ ଏବେ ଗୋଟିଏ ପରେ ଗୋଟିଏ ଅଞ୍ଚଳରୁ ଚମଡ଼ା ଜବତ ବନ ବିଭାଗର ନିଦ ହଜାଇ ଦେଲାଣି।

Advertisment

ଶିମିଳିପାଳରେ ମହାବଳ ମୃତ୍ୟୁ ଓ କଟକରେ ବାଘ ଚମଡ଼ା ରୢାକେଟ୍‌ ସାମ୍ନାକୁ ଆସିବା ଏବେ ବାଘ ବଂଶ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ୨୦୧୪ରୁ ୨୦୨୩ ମସିହା ମଧ୍ୟରେ ରାଜ୍ୟରୁ ୮୪ଟି ବାଘ ଓ କଲରାପତରିଆ ଚମଡ଼ା ଜବତ ହୋଇଛି। ୨୦୨୧ରେ ସର୍ବାଧିକ ୨୦ଟି ବାଘ ଚମଡ଼ା ଜବତ ହେବା ଓଡ଼ିଶା ଇତିହାସରେ ପ୍ରଥମ ଘଟଣା ବୋଲି କୁହାଯାଉଛି। ମୟୂରଭଞ୍ଜ, କେନ୍ଦୁଝର, ବୌଦ୍ଧ, ଅନୁଗୁଳ, ଗଞ୍ଜାମ, ରାୟଗଡ଼ା, ସମ୍ବଲପୁର, ସୁବର୍ଣ୍ଣପୁର, ଯାଜପୁର, କଟକ, ବାଲେଶ୍ବର ପରି ଜିଲ୍ଲାରୁ ୧୦ ବର୍ଷ ମଧ୍ୟରେ ବହୁ ପରିମାଣର କଲରାପତରିଆଙ୍କ ଚମଡ଼ା ମିଳିଛି। ଏଥିସହ ଲଗାତାର ୪ ବର୍ଷ ହେଲା ଓଡ଼ିଶାରେ ମହାବଳଙ୍କ ମୃତ୍ୟୁ ଏବେ ବାଘ ବଂଶ ସୁରକ୍ଷା ନେଇ ଆଶଙ୍କା ପ୍ରକାଶ ପାଇଛି। ଗତ ୧୦ ବର୍ଷ ମଧ୍ୟରେ ରାଜ୍ୟରେ ୧୨ଟି ମହାବଳଙ୍କ ଜୀବନ ଯାଇଥିବା ସରକାରୀ ଭାବେ କୁହାଯାଉଛି। ମାତ୍ର ପ୍ରକୃତ ସଂଖ୍ୟା ଅଧିକ ହୋଇଥାଇପାରେ। ୨୦୨୩ରେ କେବଳ ଦୁଇଟି ମହାବଳଙ୍କର ମୃତ୍ୟୁ ହୋଇଛି। ଯଦି ଦେବ୍ରିଗଡ଼‌ରେ ଥିବା ମହାବଳର ମୃତ୍ୟୁ ହୋଇଥାଏ ତାହା ହେଲେ ସଂଖ୍ୟା ୧୩ରେ ପହଞ୍ଚିବ। ତେବେ କଲରାପତରିଆ ବାଘଙ୍କୁ ହତ୍ୟା କରାଯିବା ନିୟମିତ ଘଟଣା ପାଲଟିଲାଣି।

ପ୍ରତି ମାସରେ ଗୋଟିଏ ଯୋଡ଼ିଏ କଲରାପତରିଆଙ୍କ ଛାଲ ଜବତ ହେଉଛି। କେବଳ ବାଘ ନୁହେଁ, ଦାନ୍ତ ନେବାକୁ ଶିକାରୀମାନେ ହାତୀକୁ ହତ୍ୟା କରିବାକୁ ପଛାଉ ନାହାନ୍ତି। ୨୦୧୯ଠାରୁ ଦା‌ନ୍ତ ପାଇଁ ହାତୀକୁ ହତ୍ୟା ସଂଖ୍ୟା ବଢ଼ିଚାଲିଛି। ୨୦୧୪ରେ ୮ଟି ହାତୀଦାନ୍ତ ଜବତ ହୋଇଥିବା ବେ‌ଳେ ୨୦୧୯ରେ ୩୬ଟି ଦାନ୍ତ ଜବତ କରାଯାଇଥିଲା। ୨୦୨୦ରେ ୩୩, ୨୦୨୧ରେ ୩୧, ୨୦୨୨ରେ ୪୮ ଓ ୨୦୨୩ରେ ୪୬ଟି ହାତୀଦାନ୍ତ ଜବତ କରାଯାଇଥିବା ନେଇ ବନ ବିଭାଗ ପକ୍ଷରୁ କୁହାଯାଇଛି। ୨୦୧୪ରୁ ୨୦୨୩ ମଧ୍ୟରେ ୩୯ଟି ଶିଙ୍ଘ ଜବତ କରାଯାଇଥିବା ବେଳେ ୩୧ଟି ମୃଗ ଛାଲ ଜବତ ହୋଇଛି। ହିଂସ୍ର ଜନ୍ତୁମାନଙ୍କ ଚମଡ଼ା, ହାତୀ ଦାନ୍ତ ଓ ଶିଙ୍ଗଗୁଡ଼ିକ ବିଭିନ୍ନ ଉପ କୋଷାଗାର ଓ ଜିଲ୍ଲା କୋଷାଗାରରେ ସଂରକ୍ଷିତ ରଖାଯାଇଥିବା ନେଇ ବନ ବିଭାଗ ସ୍ପଷ୍ଟ କରିଛି।