ଗଦାଧର ପଣ୍ଡା
ଯାଜପୁର: ଏସିଆ ମହାଦେଶର ଇସ୍ପାତ୍ ରାଜଧାନୀ ‘କଳିଙ୍ଗନଗର’ କେବଳ ଏକ ସାଇନ୍ବୋର୍ଡରେ ସୀମିତ। ରାଜପଥରେ ଲାଗିଥିବା ହୋର୍ଡିଂ ହିଁ କଳିଙ୍ଗନଗର ଠିକଣା। ବାସ୍ତବରେ ଇସ୍ପାତ୍ ରାଜଧାନୀ କଳିଙ୍ଗନଗର କେଉଁଠି? ଏ ସହରର କଳେବର କ’ଣ? ସେନେଇ କୌଣସି ସ୍ପଷ୍ଟତା ନାହିଁ। ପ୍ରାୟ ତିନି ଦଶନ୍ଧି ଧରି ଯାଜପୁରିଆଙ୍କ ପାଇଁ କଳିଙ୍ଗନଗର ସହର ଏକ ପ୍ରହେଳିକା ପାଲଟିଛି। ଜିଲ୍ଲା ଗଠନ ହେବାର ୩୩ ବର୍ଷ ଭିତରେ ଯାଜପୁର ଯେତିକି ଦେଇଛି, ଭୋଗିଛି, ହରାଇଛି ତାହା ଆକଳନ କରିବା କଷ୍ଟ।
କଳିଙ୍ଗନଗର ମାଟି, ପାଣି, ପବନକୁ ପ୍ରଦୂଷିତ କରି ଶିଳ୍ପ ସଂସ୍ଥା ଲାଭବାନ ହୋଇଛନ୍ତି। ବାହାର ରାଜ୍ୟର ପରିବହନ ସଂସ୍ଥା ମାଲାମାଲ୍ ହୋଇଛନ୍ତି। ହେଲେ କଳିଙ୍ଗନଗରକୁ ନେଇ କୌଣସି ସହର ଯୋଜନା କରାଯାଇନାହିଁ। ସହର ଯୋଜନାକୁ କାର୍ଯ୍ୟକାରୀ କରିବାକୁ ରହିଥିବା କଳିଙ୍ଗନଗର ଉନ୍ନୟନ କର୍ତ୍ତୃପକ୍ଷ (କେଏନ୍ଡିଏ) ଏବେ ସ୍ଥାଣୁ ପାଲଟିଛି। କଳିଙ୍ଗନଗରକୁ ନେଇ କୌଣସି ସ୍ପଷ୍ଟ ଚିତ୍ର ଦେଉନାହିଁ। ସେଲ୍ ପକ୍ଷରୁ ପ୍ରତିଷ୍ଠା ହୋଇଥିବା ଏକ କାରଖାନାକୁ ନେଇ ଯଦି ରାଉରକେଲା ଭଳି ସହର ଗଠନ ହୋଇପାରିଲା, ଟାଟା ଷ୍ଟିଲକୁ ନେଇ ଝାଡ଼ଖଣ୍ଡର ଜାମସେଦପୁର ସହର ଗଠନ ହେଲା ତେବେ କଳିଙ୍ଗନଗର କ୍ଷେତ୍ରରେ ଏତେ ପାତରଅନ୍ତର କାହିଁକି? ଏହା ବୁଦ୍ଧିଜୀବୀଙ୍କୁ ଆନ୍ଦୋଳିତ କରିଛି।
୧୬ରୁ ଅଧିକ ଶିଳ୍ପ ଥାଇ ସହର ନାହିଁ
କେବଳ ସାଇନ୍ବୋର୍ଡରେ ସୀମିତ
କଟକ ଜିଲ୍ଲାରୁ ପୃଥକ୍ ହୋଇ ୧୯୯୩ ଏପ୍ରିଲ୧ରେ ଯାଜପୁର ଜିଲ୍ଲା ଗଠନ ହୋଇଥିଲା। ଯାଜପୁର ଜିଲ୍ଲା ଏବେ ବିଭିନ୍ନ କ୍ଷେତ୍ରରେ ବିକାଶର ଶିଖର ଛୁଇଁଛି। ଶିଳ୍ପ ସମୃଦ୍ଧ ହୋଇଛି। ଟାଟା ଷ୍ଟିଲ, ନୀଳାଚଳ ଇସ୍ପାତ(ଏବେ ଟାଟା ଷ୍ଟିଲ ପଚିଚାଳନାଧୀନ), ଜେଏସ୍ଏଲ, ମୈଥାନ, ରୋହିତ ଫେରୋଟେକ୍, ବିଆରପିଏଲ୍, ଦୀନବନ୍ଧୁ, ଫେରୋକ୍ରୋମ, ୩ଟି ସିମେଣ୍ଟ୍ ପ୍ଲାଣ୍ଟ ସମେତ ଆହୁରି ଅନେକ ଛୋଟବଡ଼ ଶିଳ୍ପ କଳିଙ୍ଗନଗର ଓ ଏହାର ଆଖପାଖରେ ମୁଣ୍ଡ ଟେକିଛି। ସୁକିନ୍ଦାର କ୍ରୋମ୍ ଉପତ୍ୟକାରୁ ସରକାର ଶହଶହ କୋଟିର ରାଜସ୍ବ ପାଉଛନ୍ତି। କାରଖାନାରେ ନିଯୁକ୍ତି, ପରିବହନ ସନ୍ଧାନରେ ଦେଶର ବିଭିନ୍ନ ପ୍ରାନ୍ତରୁ ଲୋକ ଯାଜପୁରମୁହାଁ ହୋଇଛନ୍ତି। ହେଲେ ଏଠାରେ ଏକ ଇଣ୍ଟିଗ୍ରେଟେଡ୍ ଟାଉନ୍ ପ୍ଲାନ୍(ସହର ପ୍ରତିଷ୍ଠା) କାର୍ଯ୍ୟକାରୀ ହୋଇପାରୁନାହିଁ।
କେଏନ୍ଡିଏ ଏ କ୍ଷେତ୍ରରେ ଆନ୍ତରିକତା ଦେଖାଉନାହିଁ। ଯାଜପୁର ଜିଲ୍ଲାର ଦାଦଗଦୀ ବ୍ଲକ୍ ଓ ସୁକିନ୍ଦା, କୋରେଇର କିଛି ଅଞ୍ଚଳକୁ ନେଇ ପରିକଳ୍ପନା କରାଯାଇଥିବା କଳିଙ୍ଗନଗର ସହର ଏବେ ତା’ର ଠିକଣା ହଜାଇଛି। କଳିଙ୍ଗନଗରକୁ ଲାଗି ରହିଥିବା ବ୍ୟାସନଗର ସହର ଉପରେ ନିର୍ଭରଶୀଳତା ବଢ଼ିଛି। ଏ ସହରର ମଧ୍ୟ ବିକାଶ କରାଯାଉନାହିଁ। କଳିଙ୍ଗନଗର ଏବେ ବି ଗ୍ରାମ କୈନ୍ଦ୍ରିକ ହୋଇ ରହିଛି। ଶିଳ୍ପପାଇଁ ହଜାରହଜାର ଏକର ଜମି ହରାଇଥିବା ଦାନଗଦୀ ବ୍ଲକ୍ର ବିଭିନ୍ନ ପଞ୍ଚାୟତର ଗ୍ରାମବାସୀ ନିରାଶ ହୋଇଛନ୍ତି। ଜିଲ୍ଲାର ସବୁଠୁ ଅନୁନ୍ନତ ଅଞ୍ଚଳ ଭାବେ ଏବେ ବି ଦାନଗଦୀ ବ୍ଲକ୍ ରହିଛି। ଏଠାରେ ଅପପୁଷ୍ଟି, ଅଶିକ୍ଷା ରାଜୁତି କରୁଛି। ସ୍ଥାନୀୟ ଲୋକ ଦାରିଦ୍ର୍ୟ ଭିତରେ କାଳାତିପାତ କରୁଛନ୍ତି। କଳିଙ୍ଗନଗରକୁ ଏକ ସୁନ୍ଦର ସହର ଭାବେ ଗଢ଼ି ତୋଳିବା ପାଇଁ ଅନେକ ଥର ଦାବି ହୋଇଥିଲେ ହେଁ ଶିଳ୍ପ ସଂସ୍ଥା, କେଏନ୍ଡିଏ, ଜିଲ୍ଲା ପ୍ରଶାସନ ଏ କ୍ଷେତ୍ରରେ ଆନ୍ତରିକତା ଦେଖାଉନଥିବାରୁ ଅସନ୍ତୋଷ ଦେଖାଦେଇଛି।