୧୨ ବର୍ଷ ଚାଲିଚାଲି ଚା’ ବିକ୍ରି, ଜୀବିକା ସନ୍ଧାନରେ ମୁର୍ଶିଦାବାଦରୁ ବାଲିଚନ୍ଦ୍ରପୁର 

ଚଣ୍ଡିଖୋଲ: ନିଆଁ ଆଞ୍ଚ ସହିତ ଗୋଟିଏ ହାତରେ ଚା’ ଥିବା ଗରମ କେଟଲି। ଅନ୍ୟ ହାତରେ ଗ୍ଲାସ, ପାଣି ଆଦି ସାମଗ୍ରୀ ଥିବା ପ୍ଲାଷ୍ଟିକ ବାଲଟି। ଚା’ ପିଆ କପ୍‌, ପାଣି ବୋତଲ, କାଗେଜି, ଚିନି ଓ ଲୁଣ। ଏସବୁକୁ ଦୁଇ ହାତରେ ଧରି ଦୈନିକ ସକାଳ ୯ ଟାରୁ ବସାଘରୁ ବାହାରି ସନ୍ଧ୍ୟା ପର୍ଯ୍ୟନ୍ତ ବାଲିଚନ୍ଦ୍ରପୁର ବଜାରର ପ୍ରତ୍ୟେକଟି ଦୋକାନ ସହିତ ରାସ୍ତାରେ ବୁଲି ବୁଲି ନାଲି ଚା’ ବା ଲେମନ ଟି ବିକ୍ରି କରିଥାନ୍ତି। ଜୀବିକା ଦାୟରେ ପଶ୍ଚିମବଙ୍ଗ ମୁର୍ଶିଦାବାଦ ଅଞ୍ଚଳର ବିଷ୍ଣୁ ମଣ୍ଡଳ (୩୨) ଗତ ୧୨ ବର୍ଷ ଧରି ବାଲିଚନ୍ଦ୍ରପୁରରେ ସକାଳୁ ସଞ୍ଜଯାଏ ଘୂରିବୁଲୁଛନ୍ତି।

ଏଠାରେ ସେ ୬ ମାସ ରହି ସେ ବ୍ୟବସାୟ କରିଥାନ୍ତି। ଘରେ ତାଙ୍କର ବୃଦ୍ଧ ପିତାମାତା, ପତ୍ନୀ ଓ ଦୁଇ ପୁଅ ଅଛନ୍ତି। ଏହି ଚା’  ବିକ୍ରି କରି ଯାହା ରୋଜଗାର କରନ୍ତି, ଘରଭଡ଼ା ସହିତ ନିଜେ ଚଳିବା ଖର୍ଚ୍ଚ ପରେ ମାସକୁ ମାତ୍ର ୮/୧୦ ହଜାର ଟଙ୍କା ରୋଜଗାର କରିଥାନ୍ତି। ଶୀତଋତୁରେ ଚା’ର ଚାହିଦା ଅଧିକ ଥିବାରୁ ସେ ପୂରା ଶୀତଦିନ ଏଠାରେ କଟାଇଥାନ୍ତି। ଏହାପରେ ସେ ନିଜ ଅଞ୍ଚଳକୁ ଫେରି ଯାଇଥାନ୍ତି। ବଜାର ପାଖ ବସାଘରେ ସେ ଚା’ ପ୍ରସ୍ତୁତ କରି କେଟଲି ଧରି ବଜାରକୁ ବାହାରିଥାନ୍ତି ବିକ୍ରି ସରିଲେ ପୁଣି ଫେରିଥାନ୍ତି। ଅଳ୍ପ ମିଠା ସହିତ କାଗେଜି ଲେମ୍ବୁ ରସ, ସାମାନ୍ୟ ବିଟ୍‌ ଲୁଣ, ଅଦା ଓ ଗୋଲମରିଚ ଗୁଣ୍ଡ ପଡୁଥିବା ତାଙ୍କ ଚା’ର ସ୍ବାଦ ହିଁ ଅଲଗା। ତାଙ୍କର ବିଶେଷତ୍ବ ହେଉଛି ସେ ଚା’ ଚା’.. ବୋଲି ଡାକନ୍ତି ନାହିଁ। ଲୋକମାନେ ହିଁ ତାଙ୍କୁ ଡାକି ଚା’  ପିଇଥାନ୍ତି।

ଶୀତଋତୁ ଆସିଲେ ଆମେ ବିଷ୍ଣୁଙ୍କୁ ଖୋଜିଥାଉ, କେବେ ସେ ଆସିବ ଆଉ ଆମକୁ ତା’ ହାତ ତିଆରି ଚା’ପିଆଇବ ବୋଲି କହନ୍ତି ବିଶିଷ୍ଟ ବ୍ୟବସାୟୀ ଦୁଃଶାସନ ସାହୁ, ପୂର୍ବତନ ସରପଞ୍ଚ ଶରତ କୁମାର ସାମଲ, ବିଳାସ ଚନ୍ଦ୍ର ବାରିକ, ଅବସରପ୍ରାପ୍ତ ଅଧ୍ୟାପକ କିଶୋର ଚନ୍ଦ୍ର ବେହୁରା, ଅନନ୍ତ ସିଂହ, ଗଗନ ବିହାରୀ ଜେନା ଓ ସମ୍ପଦ କୁମାର ଦାସ।

ସମ୍ବନ୍ଧିତ ଖବର