ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାର ନିଜର ପ୍ରଥମ ନିବେଶକ ସମ୍ମିଳନୀ ‘ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ ୨୦୨୫’କୁ ନେଇ ଜୋରଦାର ଉଦ୍ୟମ ଜାରି ରଖିଛନ୍ତି। ୨୦୨୫ ଜାନୁଆରି ୨୮ ଓ ୨୯ରେ ଭୁବନେଶ୍ବରରେ ଅନୁଷ୍ଠିତ ହେବାକୁ ଥିବା ଏହି କନ୍କ୍ଲେଭ୍କୁ ସାରା ବିଶ୍ବର ନିବେଶକମାନଙ୍କୁ ଆକୃଷ୍ଟ କରିବା ଲାଗି ବିଭିନ୍ନ ସ୍ଥାନରେ ଆୟୋଜନ କରାଯାଉଛି ନିବେଶକ ସମ୍ମିଳନୀ ଓ ରୋଡ୍ ସୋ’। ପୁଞ୍ଜିନିବେଶ କ୍ଷେତ୍ରରେ ରାଜ୍ୟକୁ ଏକ ପ୍ରମୁଖ ସ୍ଥାନ ଭାବେ ଉପସ୍ଥାପନ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ତେବେ ଏହି କନ୍କ୍ଲେଭ୍ ଜରିଆରେ କେତେ ପୁଞ୍ଜି ଆଣିବାରେ ସରକାର ସଫଳ ହେବେ ତାହା ଉପରେ ସମସ୍ତଙ୍କ ନଜର ରହିଛି।
ଏଥର କେତେ ପୁଞ୍ଜି ଆସିବ?
ପୂର୍ବ ସରକାରଙ୍କ ଅମଳରେ ଆସିଥିଲା ୧୬.୭୫ ଲକ୍ଷ କୋଟି
ପୂର୍ବ ସରକାରଙ୍କ ଅମଳରେ ମେକ୍ ଇନ୍ ଓଡ଼ିଶାର ତିନିଟି ସଂସ୍କରଣକୁ ୨୦୧୬, ୨୦୧୮ ଓ ୨୦୨୨ରେ ଆୟୋଜନ କରାଯାଇଥିଲା। ଏହି ତିନିଟି ସଂସ୍କରଣ ଜରିଆରେ ରାଜ୍ୟକୁ ସମୁଦାୟ ୧୬,୭୫,୧୫୬ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଆସିଥିଲା। ୨୦୧୬ରେ ଆସିଥିଲା ୨,୦୩,୨୩୫ କୋଟି ଟଙ୍କା। ଦ୍ବିତୀୟ ସଂସ୍କରଣରେ ନିବେଶ ପ୍ରସ୍ତାବ ଦୁଇ ଗୁଣା ବୃଦ୍ଧି ପାଇ ହୋଇଥିଲା ୪,୨୩,୧୧୪ କୋଟି ଟଙ୍କା ହୋଇଥିଲା। କରୋନା ମହାମାରୀର ପରବର୍ତ୍ତୀ ସମୟରେ ୨୦୨୨ରେ ଆୟୋଜନ କରାଯାଇଥିବା ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ ରାଜ୍ୟକୁ ରେକର୍ଡ ୧୦,୪୮,୮୦୭ କୋଟି ଟଙ୍କାର ନିବେଶ ପ୍ରସ୍ତାବ ଆଣିଥିଲା। ତେଣୁ ଚଳିତ ସଂସ୍କରଣର କନ୍କ୍ଲେଭ୍କୁ ନେଇ ରାଜ୍ୟବାସୀଙ୍କ ମନରେ ଉତ୍ସାହ ରହିବା ସ୍ବାଭାବିକ। ପ୍ରତିଟି ସଂସ୍କରଣରେ ରାଜ୍ୟର ସବୁଠୁ ଆକର୍ଷଣୀୟ କ୍ଷେତ୍ର ଧାତବ ଓ ଖଣିଜ କ୍ଷେତ୍ରକୁ ସର୍ବାଧିକ ପୁଞ୍ଜିନିବେଶ ପ୍ରସ୍ତାବ ଆସିଥିଲା। ୨୦୧୬ରେ ଏହି କ୍ଷେତ୍ରକୁ ୯୭,୯୧୧ କୋଟି ଟଙ୍କା, ୨୦୧୮ରେ ୨,୩୬,୪୩୫.୫୧ କୋଟି ଟଙ୍କା ଏବଂ ୨୦୨୨ରେ ୫,୪୯,୫୧୬ କୋଟି ଟଙ୍କାର ନିବେଶ ପ୍ରସ୍ତାବ ଆସିଥିଲା।
ରାଜ୍ୟର ଶିଳ୍ପାୟନ ଇତିହାସର ପୃଷ୍ଠା ଲେଉଟାଇଲେ ପୁଞ୍ଜିନିବେଶ ନିରନ୍ତର ଭାବେ ବୃଦ୍ଧି ପାଉଥିବା ଜଣାପଡ଼ୁଛି। ୨୦୦୨ରେ ରାଜ୍ୟକୁ ମାତ୍ର ୩୫୦୦ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଆସିଥିଲା। ୨୦୨୩ରେ ରାଜ୍ୟକୁ ଆସିଥିଲା ୨୦,୭୧,୨୯୩ କୋଟି ଟଙ୍କାର ପୁଞ୍ଜି। ଗତବର୍ଷ ବିଧାନସଭାରେ ସରକାର ଉପସ୍ଥାପନ କରିଥିବା ତଥ୍ୟ ଅନୁସାରେ, ମେକ୍ ଇନ୍ ଓଡ଼ିଶାର ୨୦୧୮ ଓ ୨୦୨୨ ସଂସ୍କରଣରେ ଯଥାକ୍ରମେ ୨୦୨ ଓ ୭୪୧ଟି ନିବେଶ ପ୍ରସ୍ତାବ ଆସିଥିଲା। ୨୦୧୮ରେ ଆସିଥିବା ପ୍ରସ୍ତାବଗୁଡ଼ିକ ମଧ୍ୟରୁ ୧୦୯ଟି ପ୍ରସ୍ତାବକୁ ଅନୁମୋଦନ କରାଯାଇଥିବା ବେଳେ ସେଥିରୁ ୭୧ଟି ପ୍ରକଳ୍ପର କାର୍ଯ୍ୟ ବିଭିନ୍ନ ପର୍ଯ୍ୟାୟରେ ଜାରି ରହିଛି।
ରାଜ୍ୟରେ ସରକାର ପରିବର୍ତ୍ତନ ହେବା ପରେ ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ର ନାମକୁ ପରିବର୍ତ୍ତନ କରି ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା ରଖାଯାଇଛି। କନ୍କ୍ଲେଭ୍ର ଆଗାମୀ ସଂସ୍କରଣ ଲାଗି ନିବେଶକଙ୍କୁ ଆକୃଷ୍ଟ କରିବା ନିମନ୍ତେ ଦେଶର ପ୍ରମୁଖ ସହରଗୁଡ଼ିକ ବ୍ୟତୀତ ସିଙ୍ଗାପୁରରେ ରୋଡ୍ ସୋ’ ଆୟୋଜନ କରିଛନ୍ତି। କନ୍କ୍ଲେଭ୍ର ପ୍ରଥମ ସହଯୋଗୀ ହୋଇଛି ସିଙ୍ଗାପୁର। ଏହାର ଲୋଗୋ ଓ ୱେବସାଇଟ୍ ମଧ୍ୟ ଉନ୍ମୋଚନ ହୋଇସାରିଛି। ଜନତା ମଇଦାନରେ ଭୂମିପୂଜନ କାର୍ଯ୍ୟ ମଧ୍ୟ ଅନୁଷ୍ଠିତ ହୋଇଯାଇଛି। ରେଡ୍ କାର୍ପେଟ୍ ବିଛାଇ ଦେଶବିଦେଶର ନିବେଶକଙ୍କୁ ସ୍ବାଗତ କରିବା ଲାଗି ସରକାର ପ୍ରସ୍ତୁତ ରହିଛନ୍ତି।