ବାଲେଶ୍ୱର: ବାଲେଶ୍ୱର-ଚାନ୍ଦିପୁର ରାସ୍ତାର ସୁନାଚାନ୍ଦି ପେଟ୍ରୋଲପମ୍ପରୁ ସୋମବାର ବିଳମ୍ବିତ ରାତିରେ ଲୁଟ୍ ଉଦ୍ୟମ ବିଫଳ ହୋଇଛି। ଲୁଟ୍ ବେଳେ ପୁଲିସ ସେଠାରେ ପହଞ୍ଚି ୩ଜଣ ଲୁଟେରାଙ୍କୁ ଧରିବାରେ ସଫଳ ହୋଇଛି। ଏହି ଘଟଣାରେ ଉକ୍ତ ପେଟ୍ରୋଲ ପମ୍ପର କିଛି କର୍ମଚାରୀ ସମ୍ପୃକ୍ତ ଥିବା ପୁଲିସ ଜାଣିବାକୁ ପାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣଙ୍କୁ ଅଟକ ରଖି ପଚରାଉଚୁରା ଜାରି ରଖିଛି।
ଗତକାଲି ରାତି ପ୍ରାୟ ୨ଟା ବେଳେ ପେଟ୍ରୋଲ ପମ୍ପର ମ୍ୟାନେଜର ଗଜେନ୍ଦ୍ର ପାଢ଼ୀ କ୍ୟାସ କାଉଣ୍ଟରରେ ବସି ହିସାବକିତାବ କରୁଥିଲେ। ଏହି ସମୟରେ ୩ ଜଣ ଯୁବକ ଏକ ୟାମହା ଆକ୍ଟିଭା ସ୍କୁଟରରେ ଆସି ସିଧା କ୍ୟାସ କାଉଣ୍ଟରରେ ପଶିଥିଲେ। ଏକ ଗାଡ଼ି ମରାମତି ଯନ୍ତ୍ରାଂଶରେ ମ୍ୟାନେଜର ଶ୍ରୀ ପାଢ଼ୀଙ୍କ ମୁଣ୍ଡକୁ ଶକ୍ତ ପ୍ରହାର କରିଥିଲେ। ଶ୍ରୀ ପାଢ଼ୀ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ପାରିନଥିଲେ। ଏହାପରେ କ୍ୟାସ କାଉଣ୍ଟରରେ ଥିବା ୪୦ ହଜାର ଟଙ୍କା ନେଇ ଛୁ ମାରୁଥିଲେ। ତେବେ ଖବର ପାଇ ଏହି ସମୟରେ ସେଠାରେ ଚାନ୍ଦିପୁର ଆଇଆଇସି ପ୍ରଭୁକଲ୍ୟାଣ ଆଚାର୍ଯ୍ୟ ପହଞ୍ଚି ୩ ଲୁଟେରାଙ୍କୁ କାବୁ କରିବା ସହ ସେମାନଙ୍କଠାରୁ ଟଙ୍କା, ମୋବାଇଲ ଓ ଗାଡ଼ି ଜବତ କରିଥିଲେ। ଲୁଟେରା ଯୁବକମାନେ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡ଼ିଛି। ଏହି ଲୁଟ୍ ପାଇଁ ହୋଇଥିବା ଷଡ଼ଯନ୍ତ୍ରରେ ପେଟ୍ରୋଲ ପମ୍ପ କର୍ମଚାରୀ ସାମିଲ ଥିବା ଜଣାପଡ଼ିଛି। ଅଧିକ ତଦନ୍ତ ପାଇଁ ସେମାନଙ୍କ ମଧ୍ୟରୁ ଜଣକୁ ଅଟକ ରଖି ପଚରାଉଚୁରା ଚାଲିଥିବା ବେଳେ ଅଭିଯୁକ୍ତମାନଙ୍କ ନାଁ ପରେ ଦିଆଯିବ ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି।
ସୂଚନାଥାଉକି, ଗତ ୧୩ ତାରିଖ ଭୋର ସମୟରେ ବାଲେଶ୍ୱର-ଚାନ୍ଦିପୁର ରାସ୍ତାରେ ଏକ ସିରିଜ ଲୁଟ ହୋଇଥିଲା। ବାଲେଶ୍ୱର ସହରରୁ କିଛି ମାଛ ବ୍ୟବସାୟୀ ବଳରାମଗଡ଼ି ମୁହାଣକୁ ମାଛ ଆଣିବାକୁ ଯିବା ସମୟରେ ଗଛମାଳିଆ ଠାରେ ସେମାନଙ୍କୁ ଅଟକାଇ ଆକ୍ରମଣ କରିବା ସହ ଟଙ୍କା ଲୁଟି ନେଇଥିଲେ। ସେ ଘଟଣାରେ ମଧ୍ୟ ୩ ଜଣ ଯୁବକ ଗୋଟିଏ ଗାଡ଼ିରେ ଆସିଥିବା ନେଇ ମାଛ ବ୍ୟବସାୟୀମାନେ ଥାନାରେ ଦେଇଥିବା ତାଙ୍କ ଅଭିଯୋଗ ପତ୍ରରେ ମଧ୍ୟ ଉଲ୍ଲେଖ କରିଥିଲେ। ତେଣୁ ପୁଲିସ ସେ ଦିଗରୁ ମଧ୍ୟ ତଦନ୍ତ ଜାରି ରଖିଥିବା ଶ୍ରୀ ଆଚାର୍ଯ୍ୟ ସୂଚନା ଦେଇଛନ୍ତି।
ବାଲେଶ୍ୱର: ପେଟ୍ରୋଲପମ୍ପରେ ଲୁଟ୍ ବେଳେ ୩ ଜଣଙ୍କୁ କାବୁ କଲା ପୁଲିସ
/sambad/media/post_attachments/wp-content/uploads/2020/08/bls-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)