ସୁକିନ୍ଦା: ବର୍ତ୍ତଣ୍ଡା ପଞ୍ଚାୟତ ଲକ୍ଷ୍ମୀନାରାୟଣ ସ୍ବୟଂସହାୟକ ଗୋଷ୍ଠୀର ପାଞ୍ଚଲକ୍ଷ ଟଙ୍କାକୁ ଦୁର୍ବୃତ୍ତମାନେ ଗତକାଲି ଅପରାହ୍‌ଣରେ ଲୁଟି ନେଇଥିବାର ସୁକିନ୍ଦା ଥାନାରେ ଅଭିଯୋଗ ହୋଇଛି। ଗତକାଲି ହାତିବାରୀ ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖାରୁ ଲକ୍ଷ୍ମୀନାରାୟଣ ସ୍ବୟଂସହାୟକ ଗୋଷ୍ଠୀର ତିଳୋତ୍ତମା ପଲେଇ ଓ ସଂଯୁକ୍ତା ନାୟକ ପାଞ୍ଚ ଲକ୍ଷ ଟଙ୍କା ଏବଂ ଶ୍ରୀକୃଷ୍ଣ ସ୍ବୟଂସହାୟକ ଗୋଷ୍ଠୀର ସଦସ୍ୟା ଦୁଇଲକ୍ଷ ଟଙ୍କା ଉଠାଇ ଏକ ଗାଡ଼ିରେ ନିଜ ଗାଁକୁ ଫେରୁଥିଲେ। ବାଟରେ ପଡ଼ୋଶୀ ଗ୍ରାମ ବାହାବଳପୁର ଶ୍ମଶାନ ପାଖ ନିଛାଟିଆ ସ୍ଥାନରେ ଏକ କଳା ରଙ୍ଗର ପଲସରରେ ଦୁଇଜଣ ଦୁର୍ବୃତ୍ତ ଆସି ଗାଡ଼ିଟିକୁ ଅଟକାଇଥିଲେ।

Advertisment

ଭୁଜାଲିରେ ଗାଡ଼ି ଚାଳକଙ୍କୁ ଆକ୍ରମଣ କରିଥିଲେ। ବନ୍ଧୁକ ଦେଖାଇ ସଂଯୁକ୍ତାଙ୍କ ପାଖରୁ ପାଞ୍ଚଲକ୍ଷ ଟଙ୍କା ଥିବା ବ୍ୟାଗ୍‌ଟିକୁ ଛଡ଼ାଇ ନେଇ ସେଠାରୁ ଚମ୍ପଟ ମାରିଥିଲେ। ମହିଳାଙ୍କ ଡାକ ଶୁଣି ସ୍ଥାନୀୟ ଲୋକେ ପହଞ୍ଚିବା ବେଳକୁ ଦୁର୍ବୃତ୍ତ ଘଟଣାସ୍ଥଳରୁ ଉଭାନ ହୋଇ ଯାଇଥିଲେ। ଏ ସମ୍ପର୍କରେ ଖବର ପାଇ ସୁକିନ୍ଦା ପୁଲିସ ପହଞ୍ଚିଥିଲେ ବି ଲୁଟେରାଙ୍କ ଟେର ପାଇନଥିଲା। ତିଳୋତ୍ତମା ପଲେଇଙ୍କ ଅଭିଯୋଗ ଆଧାରରେ ସୁକିନ୍ଦା ଥାନାରେ ୪୦/୨୩ ରେ ମାମଲା ରୁଜୁ କରି ଦଫା  ୩୫୪,୩୯୪,୪୨୬,୩୪ ଏବଂ ମାରଣାସ୍ତ୍ର ଆଇନ ୨୫, ୨୭ ଅନୁସାରେ ତଦନ୍ତ କରାଯାଉଥିବା ଥାନା ଅଧିକାରୀ କାବୁଲି ବାରିକ ସୂଚନା ଦେଇଛନ୍ତି।