ଝାରସୁଗୁଡ଼ା : ଜଣେ ବେକାର ଯୁବକଙ୍କ ସରଳତାର ସୁଯୋଗ ନେଇ ତାଙ୍କୁ ବେଦାନ୍ତ କାରଖାନାରେ ଚାକିରି କରାଇ ଦେବାର ପ୍ରଲୋଭନ ଦେଖାଇ ଟଙ୍କା ଓ ବାଇକ୍ ନେଇ ଫେରାର ହୋଇଯାଇଥିବା ଜଣେ ଠକକୁ ବଡ଼ମାଲ ପୁଲିସ ଗିରଫ କରିଛି। ଅଭିଯୋଗର ମାସକ ପରେ ପୁଲିସ ଅଭିଯୁକ୍ତ ଅରୁଣ କୁମାର ଭୁୟାଁ (୩୨)କୁ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି।
ବଡ଼ମାଲ ଆଇଆଇସି ଅମିତାଭ ପଣ୍ଡାଙ୍କଠାରୁ ପ୍ରକାଶ ଯେ ଖୋର୍ଦ୍ଧା ଜିଲ୍ଲା ବାଙ୍କୋଇ ଥାନା ଅନ୍ତର୍ଗତ ଦାମୋଦରପୁର ଗ୍ରାମର ଅଭିଯୁକ୍ତ ଯୁବକ ଅରୁଣ ଝାରସୁଗୁଡ଼ା ପୁରୁଣାବସ୍ତିରେ ରହେ। ଭୁବନେଶ୍ବରରୁ ବସ୍ରେ ଫେରୁଥିବା ବେଳେ ଅରୁଣର ଶିରିଆପାଲିର କିସନ ନେଟିଙ୍କ ସହ ସାକ୍ଷାତ ହୋଇଥିଲା। କିସନ ଚାକରି ଅନ୍ବେଷଣରେ ଥିବା ଜାଣି ଅରୁଣ ତାକୁ ଫସାଇଥିଲା। ନିଜକୁ ବେଦାନ୍ତର କର୍ମଚାରୀ ବୋଲି କହି ତାକୁ କାରଖାନାରେ ଚାକିରି କରାଇ ଦେବାକୁ କହିଥିଲା। ଏଥିସହ ଡିସେମ୍ବର ୧୯ ତାରିଖ ଦିନ ଅରୁଣ ବେଦାନ୍ତ ଗେଟ୍ ସମ୍ମୁଖକୁ କିସନକୁ ଡାକି ତାଠାରୁ ୫ ହଜାର ଟଙ୍କା ନେଇ ଚାକିରି ଆବେଦନ ଫର୍ମ ପୂରଣ କରିବାକୁ କହିଥିଲା। କିସନ ଫର୍ମ ପୂରଣ କରୁଥିବା ବେଳେ ଅଭିଯୁକ୍ତ ଅରୁଣ ତା’ଠାରୁ ବାଇକ୍ (ଟିଭିଏସ୍ ଆପାଚି ନଂ ଓଡି-୨୩ ଏଚ୍-୬୫୯୪) ନେଇ ଫେରାର ହୋଇ ଯାଇଥିଲା। ବାଇକ୍ ନେଇ ସେ ଆଉ ନଫେରିବାରୁ କିସନ ବଡ଼ମାଲ ଥାନାରେ ୨୦ ତାରିଖ ଦିନ ଅଭିଯୋଗ କରିଥିଲେ।
ପୁଲିସ ଅଭିଯୁକ୍ତର ମୋବାଇଲ ଟ୍ରାକ୍ କରି ତାକୁ ଶନିବାର ଧରିବାରେ ସଫଳ ହୋଇଥିଲା। ଅରୁଣ ଉକ୍ତ ବାଇକ୍ ନେଇ ଫେରାର ହୋଇ ଯାଉଥିବା ବେଳେ ରିଆମାଳଠାରେ ଦୁର୍ଘଟଣାର ଶିକାର ହୋଇଥିଲା। ବାଇକ୍ଟିକୁ ରିଆମାଳରେ ଜଣେ ବ୍ୟକ୍ତିଙ୍କ ଜିମାରେ ଦେଇ ଚିକିତ୍ସା ହୋଇଥିଲା। ଶନିବାର ଝାରସୁଗୁଡ଼ା ଆସିଥିବା ବେଳେ ପୁଲିସ ହାବୁଡ଼ରେ ପଡ଼ିଥିଲା। ପୁଲିସ ରିଆମାଳରୁ ଉକ୍ତ ବାଇକ ଉଦ୍ଧାର କରିଥିବା ବେଳେ ଅଭିଯୁକ୍ତ ବିରୋଧରେ କେସ୍ ନମ୍ବର ୨୨୩/୨୦ରେ ଦଫା ୪୧୯ ଓ ୪୨୦ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି।